ରକ୍ତର ହୋଲି ଖେଳୁଛନ୍ତି ମାଓବାଦୀ, ପୁଣି ଯବାନଙ୍କ ସମେତ ୪ଜଣଙ୍କ ନେଲେ ଜୀବନ

https://www.facebook.com/nnsodia/videos/267154983995629/?t=5

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ନଭେମ୍ବର ୧୨କୁ ଅର୍ଥାତ୍ ଠିକ୍ ୪ ଦିନ ପୂର୍ବରୁ ମାଓବାଦୀମାନେ ରକ୍ତର ହୋଲି ଖେଳୁଥିବାର ଦେଖିବାକୁ ମିଳୁଛି । ନକ୍ସଲ ପ୍ରବଣ ଦାନ୍ତେୱାଡା ଜିଲ୍ଲା ବାଚେଲିରେ ଆଜି ମାଓବାଦୀମାନେ ପୁଣିଥରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି । ଏଥିରେ ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଅନ୍ୟ ଦୁଇ ଜଣ ସିଆଇଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାଚେଲି ସ୍ଥିତ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।
ସୁଚନାରୁ ପ୍ରକାଶ, ନିର୍ବାଚନ ଲାଗି ବିଭିନ୍ନ ସ୍ଥାନରେ ସିଆଇଏସ୍‌ଏଫ୍‌ ଯବାନମାନେ ମୁତୟନ ହୋଇଥିଲେ । ତେବେ ଡ୍ୟୁଟି ସରିବା ପରେ କିଛି ଯବାନ କେରାଣ୍ଡୁଲ ଦାନ୍ତେୱାଡା ମାକେର୍ଟରୁ ସଉଦା ନେଇ ଏକ ବସ୍‌ରେ କ୍ୟାମ୍ପକୁ ଫେରୁଥିବା ବେଳେ ପୂର୍ବରୁ ବାଚେଲି ରାସ୍ତାରେ ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବସ୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଜଣେ ଯବାନଙ୍କ ସହିତ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ଜଣେ କ୍ଲିନରଙ୍କ ମୃତ୍ୟୁ ଘଟିଥିବା ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି । ଏହି ଘଟଣା ପୂର୍ବରୁ ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ । ଯେଉଁଥିରେ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ । ସେହିପରି ଅକ୍ଟୋବର ୩୦ରେ ଦାନ୍ତେୱାଡାରେ ହୋଇଥିବା ଆମ୍ବୁସ୍‌ରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ମାଓବାଦୀଙ୍କ ଏପରି ଦିନକୁ ଦିନ କରୁଥିବା ରକ୍ତର କାଣ୍ଡକୁ ଯବାନମାନେ କିପରି ଆୟତ୍ତକୁ ନେବେ ତାହା ନେଇ ସାଧାରଣ ପ୍ରଶ୍ନ ଉଠୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here