ଆଜି ଫାଇନାଲ : ନେଦରଲାଣ୍ଡ୍ସ ବନାମ ବେଲଜିୟମ

ଭୁବନେଶ୍ଵର: ଅଷ୍ଟ୍ରେଲିଆକୁ ପରାସ୍ତ କରି ଓଡିଶା ହକି ବିଶ୍ଵ କପର ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ୍ସ। ଆଜି ବେଲଜିୟମ ଓ ନେଦରଲାଣ୍ଡ୍ସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ। ନିର୍ଦ୍ଧାରିତ ସମୟରେ ମୁକାବିଲା ୨-୨ରେ ଡ୍ର ରହିବା ପରେ ନିର୍ଣ୍ଣାୟକ ପେନାଲଟି ସୁଟ୍ ଆଉଟରେ ନେଦରଲାଣ୍ଡ୍ସ ଅଷ୍ଟ୍ରେଲିଆକୁ ୪-୩ରେ ପରାସ୍ତ କରି ସପ୍ତମ ଥର ହକି ବିଶ୍ଵ କପ ଫାଇନାଲରେ ପ୍ରବେଶ କରିଛି। ଏପଟେ ବ୍ରୋଞ୍ଜ ପଦକ ମୁକାବିଲାରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନ ପାଇଁ ଆସନ୍ତାକାଲି ଇଂଲଣ୍ଡ ସହ ଆଜି ଅପରାହ୍ନ ୪.୩୦ରେ ମୁକାବିଲା କରିବ।
ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନେଦରଲାଣ୍ଡ ପକ୍ଷରୁ ଗ୍ଲେନ ଛୁରମ(୯ମ), ସେଭେମାନ ଆସ(୨୦ମ) ମିନିଟରେ ଗୋଲ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଟିମ୍ ହଓ୍ଵାର୍ଡ, ଓକେନଡେନ ଏଡିଏ(୬୦ମ) ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ଏହି ମ୍ୟାଚରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ପିରମିନ ବ୍ଲାକ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଭୁବନେଶ୍ଵରର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ସେମି ଫାଇନାଲ ମ୍ୟାଚର ଆରମ୍ଭରୁ ନେଦରଲାଣ୍ଡ୍ସ ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲା। ମ୍ୟାଚର ୯ତମ ମିନିଟରେ ଗ୍ଲେନ ଛୁରମନ ଗୋଲ୍ ସ୍କୋର କରି ନେଦରଲାଣ୍ଡ୍ସକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ଵାର୍ଟର ପର୍ୟ୍ୟ ନ୍ତ ଦଳ ୧-୦ରେ ଏହି ଅଗ୍ରଣୀକୁ ଜାରି ରଖିବାରେ ସଫଳ ହୋଇଥିଲା।


ଦ୍ଵିତୀୟ କ୍ଵାର୍ଟରରେ ମଧ୍ୟ ନେଦରଲାଣ୍ଡ୍ସ ଅଷ୍ଟ୍ରେଲିଆକୁ ଚାପରେ ରଖିଥିଲା। ମ୍ୟାଚର ୨୦ ତମ ମିନିଟରେ ଆଉ ଏକ ଗୋଲ୍ କରି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଦଳ ପକ୍ଷରୁ ଏହି ଦ୍ଵିତୀୟ ଗୋଲ ସେଭେମାନ ଆସ୍ ଦେଇଥିଲେ। ଅଷ୍ଟ୍ରେଲିଆ ମ୍ୟାଚକୁ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦ୍ଵିତୀୟ କ୍ଵାର୍ଟର ପର୍ୟ୍ୟ ନ୍ତ ନେଦରଲାଣ୍ଡ୍ସ ୨-୦ରେ ଅଗ୍ରଣୀ ହାସଲ କରିଥିଲା।
ଏହା ପରେ ତୃତୀୟ କ୍ଵାର୍ଟରରେ ଅଷ୍ଟ୍ରେଲିଆ ନେଦରଲାଣ୍ଡ୍ସ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଫଳ ସ୍ଵରୂପ ତୃତୀୟ କ୍ଵାର୍ଟରର ଶେଷ ମିନିଟ୍ ଅର୍ଥାତ ମ୍ୟାଚର ୪୫ତମ ମିନିଟରେ ଅଷ୍ଟ୍ରେଲିଆ ଗୋଲ୍ ସ୍କୋର କରି ମ୍ୟାଚକୁ ୨-୧ ସ୍ତରରକୁ ଆଣିଥିଲା। ଦଳ ପକ୍ଷରୁ ଟିମ୍ ହାଓ୍ଵାର୍ଡ ଏହି ଗୋଲ୍ ଦେଇ ଦଳକୁ ମ୍ୟାଚକୁ ଆଣିଥିଲେ।
ତୃତୀୟ କ୍ଵାର୍ଟରରେ ମ୍ୟାଚ୍ ୨-୧ରେ ରହିବା ପରେ ନେଦରଲାଣ୍ଡ୍ସ ମ୍ୟାଚ୍ ଜିତିବା ନେଇ ସମ୍ଭାବନା ଦେଖାଯାଇଥିଲା। ଚତୁର୍ଥ କ୍ଵାର୍ଟର ଶେଷ ମିନିଟ୍ ପର୍ୟ୍ୟବନ୍ତ ନେଦରଲାଣ୍ଡ୍ସ ଏହି ଅଗ୍ରଣୀକୁ ଜାରି ରଖିଥିଲା। ମାତ୍ର ମ୍ୟାଚର ଅନ୍ତିମ କ୍ଷଣ ଆର୍ଥାତ ୬୦ ତମ ମିନିଟରେ ଓକେନଡେନ ନେଦରଲାଣ୍ଡ୍ସ ଡିଫେଣ୍ଡରକୁ ଭେଦି ଓ ଗୋଲ କିପରଙ୍କୁ ଚକମା ଦେଇ ଦର୍ଶନୀୟ ଗୋଲ୍ ଦେଇଥିଲେ। ଯାହା ଫଳରେ ମ୍ୟାଚ୍ ୨-୨ ସମାନ ସ୍ତରକୁ ଆସିଥିଲା।
୨-୨ରେ ଡ୍ର ହେବା ପରେ ପେନାଲଟି ସୁଟଆଉଟର ସାହାରା ନିଆଯାଇଥିଲା। ଯେଉଁଥିରେ ନେଦରଲାଣ୍ଡ୍ସ ଅଷ୍ଟ୍ରେଲିଆକୁ ୪-୩ରେ ପରାସ୍ତ କରି ସପ୍ତମ ଥର ହକି ବିଶ୍ଵ କପର ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛି।

ଆସିବେ ତେନ୍ଦୁଲକର