You are here
Home > ଲାଟେଷ୍ଟ > ସାବଧାନ ବୁଲୁଛି ଜାଲ ନୋଟ : ବାଲେଶ୍ବର ସୋରରୁ ନକଲି ନୋଟ୍ ଜବତ,୫ ଗିରଫ

ସାବଧାନ ବୁଲୁଛି ଜାଲ ନୋଟ : ବାଲେଶ୍ବର ସୋରରୁ ନକଲି ନୋଟ୍ ଜବତ,୫ ଗିରଫ

ଭୁବନେଶ୍ବର : ନୋଟର ରଙ୍ଗ ରୂପ ବଦଳିଛି, କିନ୍ତୁ ଜାଲ ନୋଟ ଉପରେ ଅଙ୍କୁଶ ଲାଗି ପାରିନି । ବଜାରରେ ଏବେବି ବିପୁଳ ପରିମାଣର ଜାଲ ନୋଟ୍ ବୁଲୁଛି । ଗତ ମାସେ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ନୋଟ୍ ଜବତ ହୋଇଛି । ଜାଲ ନୋଟ୍ ଛପା କାରଖାନା ବି ସିଜ୍ ହୋଇଛି । ଜାଲ ନୋଟ୍ ଚଳାଇବା ପାଇଁ ଅପରାଧୀମାନେ ଟାର୍ଗେଟ କରିଛନ୍ତି ଉପାନ୍ତ ଅଞ୍ଚଳର ବଜାର ଆଉ ବ୍ୟାଙ୍କ ।
୨୦୦୦, ୫୦୦, ୨୦୦, ୧୦୦ଟଙ୍କିଆ । ସବୁ ପ୍ରକାର ନକଲି ନୋଟ୍ ବୁଲୁଛି । ଅପରାଧୀଙ୍କ ଟାର୍ଗେଟରେ ଗ୍ରାମାଞ୍ଚଳ । ବାଲେଶ୍ବର ସୋରରେ ନକଲି ନୋଟ୍ କାରବାର ପହଞ୍ଚିଛି ଚରମରେ । ଗତ ୯ତାରିଖରେ ୨୨ଟି ୨ହଜାର ଟଙ୍କିଆ ନୋଟ୍ ଜବତ ହୋଇଥିଲା । ସପ୍ତାହେ ନଯାଉଣୁ ପୁଣି ଥରେ ଧରା ହୋଇଛି ୭୫ ଟି ଜାଲ୍ ୨ ହଜାର ଟଙ୍କିଆ ନୋଟ୍ । ୫ ଜଣଙ୍କୁ ଗିରଫ କରିଛି ସିମୁଳିଆ ପୋଲିସ । ବାଲେଶ୍ବର ଓ ସିମୁଳିଆ ପୋଲିସର ଚଢାଉ କରି ଏମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ କାର୍ ଓ ଦୁଇଟି ବାଇକ୍ ବି ଜବତ ହୋଇଛି । ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ନକଲି ଟଙ୍କା କାରବାରର ଚେର ଲମ୍ବିଥିବା ସନ୍ଦେହ କରାଯାଉଛି ।
ଗତ ୩ତାରିଖରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରୁ ଜବତ ହୋଇଥିଲା ୨ଖଣ୍ଡ ୧୦୦ଟଙ୍କିଆ ଏବଂ ୨ଖଣ୍ଡ ୨୦୦ଟଙ୍କିଆ ଜାଲ ନୋଟ । ରାମ୍ଭିକଟା ଓ ହରେକୃଷ୍ଣପୁର ଛକରେ ଥିବା ପାନଦୋକାନରେ ଦୁଇ ଜଣ ବ୍ୟକ୍ତି ଜାଲ ନୋଟ ଦେଲା ବେଳେ ଧରାପଡିଥିଲେ । ଏମାନଙ୍କ ଠାରୁ ସୁରାଗ ପାଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେହିପରି ଗତ ମାର୍ଚ୍ଚ ୩୦ତାରିଖରେ ରାୟଗଡା ଚାନ୍ଦିଲି ଜିଞ୍ଜଲବାଡି ଗାଁରୁ ଜବତ ହୋଇଥିଲା ନକଲି ନୋଟ୍ । ଏହି କାରବାରରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ୯ଟି ୫ଶହ ଟଙ୍କିଆ ନକଲି ନୋଟ୍ ଜବତ ହୋଇଥିଲା ।
କେବଳ ଜାଲ୍ ନୋଟ୍ କାରବାର ନୁହେଁ, ଗତମାସ ୧୬ ତାରିଖରେ ନୂଆପଡା ଖଡିଆଳରେ ଠାବ ହୋଇଛି ନକଲି ନୋଟ କାରଖାନା । ୧୦୨ଟି ଜାଲ ଶହେ ଟଙ୍କିଆ ନୋଟ ସହ ଟଙ୍କା ତିଆରି ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟର, କଲର ପ୍ରିଣ୍ଟର, ମୋବାଇଲ ଏବଂ ପେନ ଡ୍ରାଇଭ ଜବତ ହୋଇଛି । ନକଲି ନୋଟ୍ କାରବାର ଚେର କଳାହାଣ୍ଡି ଯାଏ ଲମ୍ବିଥିବା ସୁରାଗ ମିଳିଛି । ଜାଲନୋଟ୍ କାରବାର ନେଟୱର୍କ ଲମ୍ବିଛି ଗାଁରୁ ଗାଁ । ଗ୍ରାମାଞ୍ଚଳ ବଜାର ଉପରେ ଅପରାଧୀ ରଖିଛନ୍ତି ନଜର ।

Loading...
ONA

Leave a Reply

Top