You are here
Home > ବଡ଼ଖବର > ଗଜପତିଙ୍କ ସଙ୍ଗୀନ ଅଭିଯୋଗ, ସରକାର ଫେଲ ମାରିବାରୁ କୋର୍ଟ ଆଗକୁ ଆସିଲେ

ଗଜପତିଙ୍କ ସଙ୍ଗୀନ ଅଭିଯୋଗ, ସରକାର ଫେଲ ମାରିବାରୁ କୋର୍ଟ ଆଗକୁ ଆସିଲେ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଓ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହାକ୍ରମେ ରାଜନୈତିକ ମୋଡ଼ ନେଇସାରିଛି । ଏହି ବିବାଦ ମଧ୍ୟରେ ପୁରୀ ଗଜପତି ଦିବ୍ୟସିଂହଦେବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଯାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଏ ବିଷୟରେ ଅନୁଧ୍ୟାନ ହେବ ଦରକାର । ଗଜପତି ଗୁରୁତର ଅଭିଯୋଗ ପ୍ରଶାସନ ଓ ସରକାରଙ୍କ ବିରୋଧରେ ଆଣିଛନ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଯେଉଁ ସବୁ ନୂଆନୂଆ ବିବାଦ ଆସିଛି ତାକୁ ଦୃଷ୍ଟିରେ ରଖି ଗଜପତି ସିଧାସଳଖ ସରକାରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି । ତାଙ୍କ ମତ ହେଉଛି କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ସେମାନଙ୍କ କାର୍ଯ୍ୟ ଓ ଦାୟିତ୍ୱରୁ ଫେଲମାରିବାରୁ ଆଜି ବିଚାରବିଭାଗକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି ଏବଂ ଏଭଳି ନିର୍ଦ୍ଦେଶନାମା ଆସୁଛି । ଚାବି ହଜିବା ଘଟଣା ନେଇ ମଧ୍ୟ ଗଜପତି କ୍ଷୋଭ ପ୍ରକାଶ କରିଛନ୍ତି । ଜଷ୍ଟିସ୍ ବିପି ଦାସ କମିଶନକୁ ବନ୍ଦ କରିଦେବା ଘଟଣାକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି । ଏହାଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ବ୍ୟାହତ ହୋଇଥିବା ସେ ଦର୍ଶାଇଛନ୍ତି ।
ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିବା ଖବର ଆସିବା ପରଠାରୁ ବିବାଦ ବଢ଼ିବଢ଼ି ଚାଲିଛି । ବିବାଦର ମୂଳ କାରଣ ହୋଇଛି ଏହି ଚାବି ପ୍ରସଙ୍ଗ । ଚାବି ହଜିବା ଓ ଚାବି ମିଳିବା ଏହାକୁ ନେଇ ଚାଲିଛି ବିତର୍କ । ଗଣମାଧ୍ୟମରେ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଗଜପତି ତାଙ୍କ ମତ ରଖିଛନ୍ତି । ଚାବି ହଜିବା ସମ୍ପର୍କରେ ଗଜପତି କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣା ନିଶ୍ଚିତ ଭାବେ ସମସ୍ତଙ୍କୁ ବ୍ୟଥିତ କରିଛି । କାରଣ ଏଭଳି ଘଟଣା କେବେ ପୂର୍ବରୁ ଘଟିନାହିଁ । ହଠାତ୍ ୪ ତାରିଖ ପରିଚାଳନା କମିଟିରେ ଏକଥା ଉଠିଲା ଯେ, ଚାବି ମିଳୁନାହିଁ । ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ । ଜିଲ୍ଲା ପ୍ରଶାସନକୁ କହିଲୁ ଆଉଥରେ ଖୋଜିକି ଦେଖନ୍ତୁ । ଏହି ଘଟଣାରେ ରାଜ୍ୟ ସରକାର ବିଚାରବିଭାଗୀୟ କମିଶନ ବସାଇଛନ୍ତି । କମିଶନ୍ କ’ଣ ମତ ଦେଉଛନ୍ତି ତାହା ଦେଖିବା । କିନ୍ତୁ ଏହିଭଳି ଘଟଣା ଘଟିଲା କାହିଁକି । ଭବିଷ୍ୟତରେ କେମିତି ନ ଘଟିବ ନିଶ୍ଚିତ ଭାବେ ତାର ବ୍ୟବସ୍ଥା କରିବାକୁ ହେବ । ରତ୍ନଭଣ୍ଡାରର ଭିତର ଓ ବାହାର ଯାଞ୍ଚ ହୋଇ କଣ କଣ ରହିଛି ତାର ତାଲିକା ପ୍ରସ୍ତୁତ ହେବା ଦରକାର । ଏ ସମ୍ପର୍କରେ ଇନ୍ଭେଣ୍ଟ୍ରି ପାଇଁ ପରିଚାଳନା କମିଟି ନିଷ୍ପତ୍ତି ନେଇସାରିଛନ୍ତି । କେବେହେବ, କେମିତି ହେବ ତାର ପ୍ରକ୍ରୀୟା ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି ଗଜପତି କହିଛନ୍ତି ।
ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ବେଳେ କିଛି ସେବାୟତ ତାଙ୍କୁ ଅସମ୍ମାନିତ କରିବା ଘଟଣାକୁ ନେଇ ବହୁ ହୋହଲ୍ଲା ହୋଇଛି । ରାଷ୍ଟ୍ରପତି ଭାବରୁ ଚିଠି ଆସିବାଠୁ ଆରମ୍ଭ କରି ଅସନ୍ତୋଷ ବ୍ୟକ୍ତ କରିବା ପର୍ଯ୍ୟନ୍ତ ଅନେକ କଥା କୁହାଯାଇଛି । ସେବାୟତମାନେ ବି ଏହି ଘଟଣାରେ ପ୍ରତିକ୍ରୀୟାଶୀଳ ହୋଇଛନ୍ତି । ପ୍ରଶାସନ ଅଯଥା ସେମାନଙ୍କୁ ବଦନାମ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏକ୍ଷେତ୍ରରେ ରାଷ୍ଟ୍ରପତି ଭବନ ମଧ୍ୟ କୌଣସି ଚିଠି ଆସି ନ ଥିବା କଥା ମତ ରଖିବାକୁ ପଡ଼ିଥିଲା । ଏହି ବିବାଦୀୟ ପ୍ରସଙ୍ଗରେ ଗଜପତି କହିଛନ୍ତି ମହାମହିମ ରାଷ୍ଟ୍ରପତିଦମ୍ପତିଙ୍କର ଦର୍ଶନ ପରେ ଆମ ପରିଚାଳନା କମିଟିର ଯେଉଁ ବୈଠକ ବସିଥିଲା ସେଠି ପ୍ରଶାସନ ତରଫରୁ ଏଭଳି ସମ୍ବାଦ ଦିଆଗଲା । କିନ୍ତୁ କୌଣସି ଲିଖିତ ଭାବେ ଆସିନାହିଁ ବୋଲି କୁହାଗଲା । ମୌଖିକ ଭାବେ ରାଷ୍ଟ୍ରପତିଙ୍କ ସହ ଯେଉଁମାନେ ଥିଲେ ସେମାନେ ଆମ ପ୍ରଶାସନକୁ ଯାହା କହିଲେ, ପ୍ରଶାସନ ହିଁ ଆମକୁ ତାହା କହିଲେ ଗଜପତି ମତ ରଖିଛନ୍ତି ।
ଶ୍ରୀମନ୍ଦିରର ପ୍ରସଙ୍ଗ ନେଇ ଅନୁଧ୍ୟାନ କରିବା ପାଇଁ ସରକାର ଗଠନ କରିଥିବା ଜଷ୍ଟିସ୍ ବି.ପି. ଦାସ କମିଶନଙ୍କ କାର୍ଯ୍ୟକାଳନ ନ ବଢ଼ାଇ ବନ୍ଦ କରିଦେବା ଘଟଣାକୁ ଗଜପତି ନାପସନ୍ଦ କରିଛନ୍ତି । ସରକାର ଏଭଳି କରି ଠିକ୍ କରିନାହାଁନ୍ତି ବୋଲି ସେ କହିଛନ୍ତି । ଗଜପତି କହିଛନ୍ତି, ଯେତେବେଳେ ଜଷ୍ଟିସ୍ ବିପି ଦାସ କମିଶନଙ୍କ କାର୍ଯ୍ୟକାଳ ବଢ଼ିଲା ନାହିଁ ବୋଲି ଶୁଣିଲି ସେତେବେଳେ ମୁଁ ବି ଟିକେ ଆଶ୍ଚର୍ଯ୍ୟ ହୋଇଗଲି । ଯାହାଦ୍ୱାରା ଯେଉଁ ଉଦ୍ଦେଶ୍ୟ ନେଇ ବିପି ଦାସ କମିଶନ ଗଠନ ହୋଇଥିଲା ତାର ଫଳ ଆମକୁ ମିଳିଲା ନାହିଁ । ଭକ୍ତମାନଙ୍କର ପ୍ରାୟ ୧୩ ହଜାର ସତ୍ୟପାଠ ବିପି ଦାସଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ସମଗ୍ର ଉକ୍ରଳ ପ୍ରଦେଶରୁ । ସେଗୁଡ଼ା ସେମିତି ରହିଗଲା । ଏଇଟା ଠିକ୍ ନୁହେଁ ସେ କହିଛନ୍ତି ।
ସରକାର ଶ୍ରୀମନ୍ଦିରକୁ ଯେଭଳି ଭାବରେ ଗୁରୁତ୍ୱ ଦେବା କଥା ତାହା ଦେଉନ ଥିବା ନେଇ ଗଜପତି ଅଭିଯୋଗ ରଖିଛନ୍ତି । କେବଳ ରଥଯାତ୍ରା ସରିଗଲେ ସରକାର ଭାବୁଛନ୍ତି ତାଙ୍କ କାମ ସରିଗଲା । ଯେଉଁଭଳି ରଥଯାତ୍ରା ସମୟରେ ଆଗ୍ରହର ସହ ସରକାର କାର୍ଯ୍ୟ କରୁଛନ୍ତି ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କଥାକୁ ଭୁଲି ଯାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଗଜପତି । ସେ କହିଛନ୍ତି ରଥଯାତ୍ରା ସମୟରେ ସରକାର ଯେଉଁଭଳି ଭାବରେ ଶ୍ରୀମନ୍ଦିରକୁ ଗୁରୁତ୍ୱ ଦେଉଛନ୍ତି ସେଭଳି ଗୁରୁତ୍ୱ ନ ଦେଲେ ରଥଯାତ୍ରା ହେବା ସମ୍ଭବପର ନୁହେଁ । କିନ୍ତୁ ରଥଯାତ୍ରା ସରିଗଲେ ମହାପ୍ରଭୁ ସରକାରଙ୍କ ଏକ ନମ୍ବର ଏଜେଣ୍ଡାରୁ କେଉଁ ନମ୍ବରକୁ ଯାଉଛନ୍ତି ଆମକୁ ଆଉ ଜଣାପଡୁନାହିଁ ବୋଲି ଏଭଳି ଅଭିଯୋଗ ରଖିଛନ୍ତି ସେ ।
ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ଓ ପାରମ୍ପାରିକ ବଂଶାନକ୍ରମିକ ସେବାକୁ ଉଚ୍ଛେଦ କରିବା ଭଳି କେତେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବା ଲାଗି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ ଅବ୍ୟବସ୍ଥା ଓ ଭକ୍ତମାନଙ୍କୁ ହେଉଥିବା ଶୋଷଣକୁ ନେଇ ସୁପ୍ରିମ୍କୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ରୁଜୁ ହୋଇଥିଲା । କୋର୍ଟ ଏହାର ଶୁଣାଣୀ କରିଛନ୍ତି । ଏଥିରେ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏବେ ରାଜ୍ୟବ୍ୟପୀ ବିତର୍କ ଚାଲିଛି । ଏହା ଲାଗୁ ହେଲେ କଣ ପରିଣତି ହେବି ତାକୁ ନେଇ ଆଲୋଚନା ଚାଲିଛି । ଏ ସବୁ ପାଇଁ ପ୍ରଶାସନିକ ବିଫଳତାକୁ ଗଜପତି ଦାୟୀ କରିଛନ୍ତି । ସେ କହିଛନ୍ତି ‘ଯେତେବେଳେ ଏକ୍ଜୁକ୍ୟୁଟିଭ୍ ଫେଲ କଲା, ଲେଜିସ୍ଲେଟିଭ୍ ବି ଫେଲ୍ କଲା ଶେଷରେ ଜୁଡିସିଆରି ବାଧ୍ୟ ହୋଇ ଆଗକୁ ଆସିଲା । ଏଇଟା ବଡ଼ ଦୁଃଖର କଥା ।’ ଅର୍ଥାତ୍ ଗଜପତି କହୁଛନ୍ତି କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ଫେଲ ମାରିଲା ପରେ ବିଚାର ବିଭାଗ ସୁରକ୍ଷା ପାଇଁ ଆଗକୁ ଆସିଛି । ବିଚାର ବିଭାଗର ହସ୍ତକ୍ଷେପ ଓ ଯେଉଁ ଘଟଣା ଘଟିଛି ସେଥିପାଇଁ ଉଭୟ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ଅର୍ଥାତ୍ ସରକାର ଦାୟୀ ବୋଲି ଗଜପତି ଦର୍ଶାଇବାକୁ ଚାହିଁଛନ୍ତି ।

Loading...
ONA

Leave a Reply

Top