ବୈଜୟନ୍ତଙ୍କ ବେକାରୀ ବାଣ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଡ଼ିଶାରେ ବେକାରୀଙ୍କ ନିଯୁକ୍ତି ନେଇ ବିଜେପି-ବିଜେଡି ଭିତରେ ରାଜନୀତିକ ଲଢ଼େଇ ଚାଲିଥିଲା ବେଳେ ଆଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ଉଭୟଙ୍କ ପଦକ୍ଷେପକୁ ଚ୍ୟାଲେଞ୍ଜ କଲା ଭଳି ମତ ରଖିଛନ୍ତି । ଏଠାରେ କାମ ଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ ଯାଇ ଓ ବିଦେଶକୁ ଯାଇ ଓଡ଼ିଶାର ପିଲା କାମ କରୁଛନ୍ତି ଏବଂ ସେମାନଙ୍କ ଭିତରେ ଅନେକ ନିର୍ଯାତନାର ଶୀକାର ହୋଇ ମୃତ୍ୟୁବରଣ କରୁଛନ୍ତି । ଏହି ଘଟଣାକୁ ଗୁରୁତ୍ୱ ଦିଆଯାଉନାହିଁ । ଏହା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ । ଓଡ଼ିଶା ପିଲା ଆଉ ଯେପରି ବାହାରକୁ ନ ଯିବେ ଓ ମୃତ୍ୟୁ ମୁଖରେ ନ ପଡ଼ିବେ ସେଥିପାଇଁ ଉଦ୍ୟମ ହେବା ଦରକାର ବୋଲି ବୈଜୟନ୍ତ ସୂଚନା ଦେଇଛନ୍ତି । ହଠାତ ବୈଜୟନ୍ତଙ୍କର ଏହି ଟ୍ୱିଟ ପଛରେ ଥିବା ରାଜନୀତିକ ଉଦ୍ଦେଶ୍ୟ ଜଣାପଡ଼ିଯାଉଛି । ସୁକିନ୍ଦାରେ ଥିôବା ଇମ୍ଫା ମାଇନ୍ସରେ ଆନ୍ଦୋଳନଯୋଗୁ ତାଲା ପଡ଼ିବା ଘଟଣାକୁ ମଧ୍ୟ ଏହା ମାଧ୍ୟମରେ ସେ ସମାଲୋଚନା କରିଛନ୍ତି । କାରଣ ରାଜ୍ୟ ଭିତରେ ଥିବା ଶିଳ୍ପପତିମାନେ ଯେଉଁମାନେ ନିଯୁକ୍ତି ଦେବାକୁ ଓଡ଼ିଆ ଲୋକଙ୍କୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ହତୋତ୍ସାହିତ କରାଯିବା କଥା ସେ ଜଣାଇବାକୁ ଚାହିଁଛନ୍ତି ।
ବୈଜୟନ୍ତ କହିଛନ୍ତି, କାମ ପାଇଁ ବାହାରକୁ ଯାଇ ଅକାଳରେ ପ୍ରାଣ ହରାଉଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ମଧ୍ୟରେ କେବଳ ଓଡ଼ିଶାରୁ ପ୍ରାୟ ୪୦ ଲକ୍ଷ ଲୋକ ଅଛନ୍ତି । ବାହାରେ ଫସି ରହିଥିବା ଯୁବକଙ୍କୁ ଫେରାଇ ଆଣିବା ଦିଗରେ ଶହଶହ ପରିବାରଙ୍କୁ ମୁଁ ସାହାଯ୍ୟ କରିଛି । ଅତି ଦୁଃଖର କଥା ଅନେକ ଯୁବକ କଫିନରେ ଫେରୁଛନ୍ତି । ମୋ ସ୍ୱପ୍ନ ଆମ ଯୁବକଙ୍କୁ ଏଠି ଚାକିରି ମିଳୁ । ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାସ କରା ନ ଯାଉ । ପ୍ରତିଦିନ ବିଦେଶରେ କାମ କରୁଥିବା ୧୦ ଭାରତୀୟଙ୍କ ମୃତ୍ୟୁ ହେଉଛି ଏବଂ ଓଡ଼ିଆ ଯୁବକ ମଧ୍ୟ କାମ ପାଇଁ ବାହାରକୁ ଯାଇ ଶୋଷଣ ତଥା ଅକାଳ ମୃତ୍ୟୁର ଶୀକାର ହେଉଥିବା ଖବର ପ୍ରତିଦିନ ଦେଖିବାକୁ ମିଳୁଛି । ଏଥିରେ ମୁଁ ଅତ୍ୟନ୍ତ ମର୍ମାହତ । ଏକଥା ଦର୍ଶାଇବା ସହ ଦୋହରାରୁ ସ୍ୱର୍ଗତ ଗୋପବନ୍ଧୁ ରାଉତଙ୍କ ମୃତଦେହ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିବା କଥା ଉଲ୍ଲେଖ କରିଛନ୍ତି ।
ନିଯୁକ୍ତିକୁ ନେଇ ଏବେ ଦୁଇ ଦଳ ବିଜେପି-ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି । ରାଜ୍ୟର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ତାହା ପୂରଣ କରିବାରେ ଫେଲ ମାରିଥିବା ଦର୍ଶାଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସବୁ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ବେକାରମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବାରେ ଫେଲ ମାରିବା ଘଟଣା ଲୋକଙ୍କୁ ଜଣାଇବା ଓ ବେକାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଜେପିର ଏହି ଉଦ୍ୟମ ଥିଲା । କାରଣ ବେକାରଙ୍କ ଘଟଣା ସମସ୍ତଙ୍କ ମନକୁ ଛୁଇଁବ । ବିଜେପିର ଏହି କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେଡି ଆଗେଇ ଆସିଲା । ବିଜେଡିର ଯୁବ ଛାତ୍ରଙ୍କ ପକ୍ଷରୁ ସବୁ କେନ୍ଦ୍ରୀୟ ଉଦ୍ୟୋଗ ଆଗରେ ୩ ଦିନ ଧରି ବିକ୍ଷୋଭ ସମାବେଶ କରାଗଲା । ସେମାନେ ରାଜ୍ୟର ଲୋକଙ୍କୁ ଜଣାଇବାକୁ ଚାହିଁଲେ ରାଜ୍ୟ ସରକାର ନୁହେଁ ଓଡ଼ିଶାରୁ ସମସ୍ତ ସୁବିଧା ସୁଯୋଗ ନେଉଥିବା କେନ୍ଦ୍ର ସରକାର ଏଠାରେ ଥିବା ତାଙ୍କ ରାଷ୍ଟ୍ରାୟତ ଉଦ୍ୟୋଗରେ ଓଡ଼ିଆଙ୍କୁ ନିଯୁକ୍ତି ଦେଉନାହାଁନ୍ତି । ବେକାରଙ୍କୁ ନିଯୁକ୍ତି ନ ମିଳିବା ନେଇ ଓଡ଼ିଶା ସରକାର ନୁହେଁ ବରଂ କେନ୍ଦ୍ର ସରକାର ଦାୟୀ ବୋଲି ଏଭଳି ଏକ ଧାରଣା ସୃଷ୍ଟି କରିବାକୁ ବିଜେଡି ଉଦ୍ୟମ କରିଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here