ନବୀନଙ୍କ ବିରୋଧରେ ଥିବା ନିର୍ବାଚନୀ ମାମଲା ଏ ମାସରେ ଖାରଜ ହେବ: ପିନାକୀ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଚଳିତ ମାସ ସୁଦ୍ଧା ଖାରଜ କରିବେ । ଏ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ସିଇସିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜେପି ପକ୍ଷରୁ ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା । ହିଞ୍ଜିଳିର ବିଜେପି ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚ ଅନିୟମିତତା ନେଇ ନବୀନଙ୍କ ବିରୋଧରେ ହାଇକୋର୍ଟରେ ମାମଲା କରିଥିଲେ । ପରେ ନିର୍ବାଚନ କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ନବୀନଙ୍କ ନିର୍ବାଚନ ଖର୍ଚ୍ଚରେ ବହୁ ଅନିୟମିତତା ହୋଇଥିବା ଦର୍ଶାଇ ଏହି ପିଟିସନ ଦାଖଲ କରାଯାଇଥିଲା ଏବଂ ଏଥିରେ ନବୀନଙ୍କ ନିର୍ବାଚନକୁ ରଦ୍ଧ କରିବା ପାଇଁ ଦର୍ଶାଯାଇଥିଲା । ଏହି ମାମଲା ଦୀର୍ଘଦିନ ହେଲା ନିର୍ବାଚନ କମିଶନଙ୍କ ପାଖରେ ପଡ଼ି ରହିଛି । ଇତିମଧ୍ୟରେ କମିଶନ ମଧ୍ୟ ଏହା ଉପରେ ଅନୁଧ୍ୟାନ କରି ଆବଶ୍ୟକ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଆବେଦନକୁ କମିଶନ ଡିସ୍ପୋଜ କରି ନାହାଁନ୍ତି ।
ଦେଶରେ ଆଗୁଆ ନିର୍ବାଚନ ହେଲେ ଏଥିରେ ବିଜେଡି ସାମିଲ ହେବାକୁ ସହମତ ବୋଲି ସିଇସିଙ୍କୁ ଦଳର ମତ ଜଣାଇବା ପାଇଁ ପିନାକି ଆଜି ଭେଟିଥିଲେ । ଦଳ ପକ୍ଷରୁ ପିନାକୀଙ୍କୁ ଏଥିନେଇ ଅନୁମତି ଦିଆଯାଇଥିଲା । ପିନାକୀ ଏହି ଦାବି ରଖିବା ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୀର୍ଘଦିନ ଧରି ପଡ଼ି ରହିଥିବା ନିର୍ବାଚନୀ ମାମଲା ବିଷୟ ଉଠାଇଥିଲେ । କମିଶନ ତାଙ୍କୁ ଏହି ମାସ ସୁଦ୍ଧା ଆବେଦନକୁ ଖାରଜ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପିନାକୀ କହିଛନ୍ତି । ସେ କହିଛନ୍ତି ନିର୍ବାଚନ କମିଶନରଙ୍କୁ କହିଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଓ ମନୋଗଢ଼ା ନିର୍ବାଚନୀ ମାମଲା କରାଯାଛି । ଏହା କମିଶନରଙ୍କ ନିକଟରେ ବିଚାରାଧୀନ ରହିଛି । ଏ ସମ୍ପର୍କରେ ଆମେ ଆରଟିଆଇରେ ତଥ୍ୟ ମାଗିଥିଲୁ । ଏଥିରେ ଆମକୁ ସବୁ ବିଷୟ ମିଳିଯାଇଛି । ଅଭିଯୋଗରେ କୌଣସି ଭିତ୍ତି ନ ଥିବା ବିଷୟ କମିଶନରଙ୍କ ନୋଟିଂ ଉଲ୍ଲେଖ ରହିଛି । ଏଣୁ ଏହି ମାମଲାକୁ ଡିସ୍ପୋଜ କରିବା ପାଇଁ ଅନୁରୋଧ କରିଛୁ । ଏଭଳି ମାମଲାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଝୁଲାଇ ରଖିବାର କୌଣସି ଅବାଶ୍ୟକ ନାହିଁ । ନିର୍ବାଚନ କମିଶନର ସବୁ ବିଷୟ ଶୁଣି ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ମାସରେ ଏହାକୁ ଡିସ୍ପୋଜ କରିବୁ । ଏହି ମାସ ସୁଦ୍ଧା ଉକ୍ତ ଆବେଦନ ଖାରଜ ହେବ । ଏହି ପ୍ରତିଶ୍ରୁତି ମିଳିଛି । କାରଣ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାନ୍ତି କରିବା ପାଇଁ ଏହି ପିଟିଶନ ନବୀନ ବାବୁଙ୍କ ବିରୋଧରେ ଦାଖଲ କରାଯାଇଛି ବୋଲି ପିନାକୀ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here