ବିଜେଡିକୁ ଘାଇଲା କରୁଛନ୍ତି ଦାମ

ଭୁବନେଶ୍ୱର: ବିଜେଡିକୁ ବିରୋଧୀଙ୍କ ଅପେକ୍ଷା ନିଜ ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅଧିକ ଘାଇଲା କରୁଛନ୍ତି । ଡକ୍ଟର ରାଉତ ବେଶ କିଛି ଦିନ ଧରି ନିରବ ରହିବା ପରେ ଏବେ ବାଣମାରିବା ଆରମ୍ଭ କରିଦେଇଛନ୍ତି । ଗ୍ୟାଙ୍ଗଷ୍ଟାର ଟିଟୋ ଘଟଣାରେ ବିଜେପି ବର୍ତ୍ତମାନ ବିଜେଡିକୁ ଘାଇଲା କରିବାରେ ଲାଗିଛି । ବିଜେଡି ନେତାଙ୍କ ସମ୍ପୃକ୍ତିକୁ ଧରିବା ପାଇଁ ସିବିଆଇ ତଦନ୍ତ ଆଦେଶ ଦିଆଯାଇଛି । ଟିଟୋର ପେଟ୍ରୋଲପମ୍ପ ଆଳରେ ଏହି ପଦକ୍ଷେପ ନିଆଯାଇଛି । ଏଥିରେ କୁହାଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରଣାଳୟ ପେଟ୍ରୋଲ ପମ୍ପ ପ୍ରଦାନ କରିଥାଏ । ଏ କ୍ଷେତ୍ରରେ ସେ ସିିଆଇ ତଦନ୍ତ ଆଦେଶ ଦେବା ପଛରେ ତାଙ୍କ ଉଦ୍ଦେଶ୍ୟ ଜଣାପଡିଯାଉଛି । କ୍ରାଇବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ସିବିଆଇ ତଦନ୍ତ କରାଯାଇଥିବାରୁ ସ୍ୱାଭାବିକ ଭାବେ ବିଜେଡି ପ୍ରତିକ୍ରୀୟାଶୀଳ ହୋଇଛି । ଏହି ସମୟରେ ପାଲଟା ନିଜ ଦଳକୁ ଡକ୍ଟର ରାଉତ କାର୍ଯ୍ୟକରିବା ଫଳରେ ରାଜନୀତିକ ଚର୍ଚ୍ଚା ଜୋର୍ ଧରିଛି ।
ଟିଟୋର ରାଜାନୈତିକ ସମ୍ପର୍କ ପଦାକୁ ଆଣିବା ପାଇଁ ଉଦ୍ୟମ ଚାଲିଛି । ଏହାକୁ ନେଇ ରାଜନୀତିକ ବାତାବରଣ ମଧ୍ୟ ସରଗରମ ରହିଛି । ଟିଟୋର ଅପରାଧୀକ ଓ ବ୍ୟବସାୟିକ ସାମ୍ରାଜ୍ୟ କାହିିଁ କେତେଦୂର ଲମ୍ବିଛି । ଶହଶହ କୋଟି ଟଙ୍କାର ସେ ମାଲିକ । ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ତାର ପ୍ରଭାବ ରହିଛି । ଟିଟୋକୁ ନେଇ ରାଜନୀତିକ ଚର୍ଚ୍ଚା ଚାଲିଥିଲା ବେଳେ ଡକ୍ଟର ରାଉତଙ୍କ ମନ୍ତବ୍ୟ ସବୁଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ନିଜ ଦଳର ନେତା ଓ ସରକାରଙ୍କୁ ସେ ଟିଟୋର ଏହି ସାମ୍ରାଜ୍ୟବିସ୍ତାର ପାଇଁ ଦାୟୀ କରିଛନ୍ତି । ଏମାନଙ୍କ ସହାୟତା ବିନା ଏତେବଡ଼ ସାମ୍ରାଜ୍ୟର ମାଲିକ ସେ କେବେ ହୋଇ ପାରିନଥାନ୍ତା ବୋଲି ଦର୍ଶାଇଛନ୍ତି । ଡକ୍ଟର ରାଉତ କହିଛନ୍ତି ଟିଟୋର ସାନଭାଇକୁ ଆଣି ବିଜେଡି ମିଶାଇ ଦିଆଗଲା । ବିଜେଡିର କେନ୍ଦ୍ରାପଡ଼ା ନେତାଙ୍କ ଜରିଆରେ ସେ ଆସି ମିଶିଲେ । ଏଣୁ ଏମାନେ ସବୁ ଛନ୍ଦାଛନ୍ଦି ହୋଇ ରହିଛନ୍ତି । ଏବେ ତଦନ୍ତରୁ ଜଣାଡୁଛି ସେ ୧୦୦ କୋଟିରୁ ଅଧିକ ଟଙ୍କାର ମାଲିକ । ଏଠି ଶାସନ ଅଛି, ପୁଲିସ ଅଛି, ସେଠି ଏସବୁ କାମ ହେଉଥିବା ତାକୁ କଣ କେହି ଜାଣିପାରୁ ନ ଥିଲେ ବୋଲି ଡକ୍ଟର ରାଉତ କହିଛନ୍ତି ।
ଟିଟୋର ଭାଇକୁ ଆଣି ବିଜେଡିରେ ନିଜ ଦଳୀୟ ନେତାମାନେ ମିଶାଇ ଥିବାରୁ ସେମାନଙ୍କର ସମ୍ପର୍କ ସ୍ପଷ୍ଟ ବୋଲି ଡକ୍ଟର ରାଉତ କହିବାକୁ ଚାହିଁଛନ୍ତି । କାରଣ ସେମାନେ ସବୁ ଛନ୍ଦାଛନ୍ଦି ହୋଇ ରହିଛନ୍ତି । ଟିଟୋ ସହ ସମ୍ପର୍କ ନ ଥିଲେ ତା ଭାଇକୁ ଆଣି ବିଜେଡି ନେତାମାନେ ମିଶାଇ ନ ଥାନ୍ତେ । ସ୍ଥାନୀୟ ବିଜେଡି ନେତା ଓ ବିଧାୟକମାନେ ଟିଟୋ ଭାଇକୁ ଆଣି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବିଜେଡିରେ ମିଶାଇଥିଲେ । ଡକ୍ଟର ରାଉତ ସରକାରଙ୍କୁ ମଧ୍ୟ ଏଥିରେ କାଠ ଗଡ଼ାକୁ ଟାଣିଛନ୍ତି । ସେ ଦର୍ଶାଇବାକୁ ଚାହିଁଛନ୍ଦି ଟିଟୋ ଏତେବଡ଼ ଅପରାଧୀକ ଓ ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରୁଥିଲା ବେଳେ ପୁଲିସ ଓ ପ୍ରଶାସନ କଣ କରୁଥିଲେ । ଏମାନେ କିଭଳି ଭାବରେ ଜାଣିପାରିଲେ ନାହିଁ ଯେ, ଜଣେ ଅପରାଧୀ ଏତେ ସମ୍ପତ୍ତିର ମାଲିକା ସାଜିଲା କିପରି । ବାସ୍ତବିକ ପ୍ରଶାସନ ଓ ପୁଲିସର ଜାଣତରେ ସବୁକିଛି ଚାଲିଥିôବା ସେ କହିବାକୁ ଚାହିଁଛନ୍ତି । ବିଜେଡି ୨୦୦୦ ମସିହାରୁ ରାଜ୍ୟରେ ଶାସନଭାର ଗ୍ରହଣ କରିଛି । ଏଣୁ ଟିଟୋର ଏହି ସାମ୍ରାଜ୍ୟ ପାଇଁ ଡକ୍ଟର ରାଉତ ନିଜ ଦଳ ଓ ସରକାରଙ୍କୁ ଦାୟୀ କରିଛନ୍ତି ।
ଡକ୍ଟର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଦିଆଯାଇଛି । ଏବେ ଶୁଣାଯାଉଛି ଆସନ୍ତା ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ନାହିଁ । ଡକ୍ଟର ରାଉତଙ୍କ ସ୍ଥାନରେ ତାଙ୍କ ପୁଅକୁ ଦଳ ପ୍ରାର୍ଥୀ କରିବ । ବୋଧହୁଏ ଡକ୍ଟର ରାଉତ ଦଳର ଏହି ଉଦ୍ଦେଶ୍ୟକୁ ଜାଣି ସାରିଲେଣି । ଏହା ସେ ଚାହୁଁନାହାନ୍ତି । ହଠାତ୍ ନିର୍ବାଚନ ରାଜନୀତିକୁ ଅବସର ନେଇଯିବା ତାଙ୍କର ଇଛାନାହିଁ ।ସେଥିପାଇଁ ସେ ଆଉ ଚୁପ୍ ହୋଇ ନ ବସି ଦଳକୁ ଆଟାକ କରିବାରେ ଲାଗିଛନ୍ତି । ଦାମଙ୍କ ବାଣ ଏବେ ବିରୋଧୀଙ୍କ ଅପେକ୍ଷା ଦଳକୁ ବେଶି ଘାଇଲା କରୁଛି ।
ଟିଟୋ ମାମଲାରେ ଦଳୀୟ ନେତାମାନେ ବିଜେପିକୁ ଟାର୍ଗେଟ୍ କରୁଥିଲା ବେଳେ ଡକ୍ଟର ରାଉତ ନିଜ ଓ ସରକାରଙ୍କୁ ଟାର୍ଗେଟରେ ରଖିଛନ୍ତି । ଦଳର ଜଣେ ପୁରୁଖା ନେତା ଯେତେବେଳେ କିଛି ମତ ରଖୁଛନ୍ତି ସେତେବେଳେ ତାହା ଅଧିକ ବିଶ୍ୱାସଯୋଗ୍ୟ ହେବ । କାରଣ ସେ ମନ୍ତ୍ରିମଣ୍ଡଳରେ ଥିଲେ ଏବଂ ଜଣେ ବରିଷ୍ଠ ନେତାଭାବେ ବେଶ୍ ପରିଚିତ । ସେଥିପାଇଁ ଲୋକେ ତାଙ୍କ କଥାକୁ ଅଧିକ ବିଶ୍ୱାସ କରିବାର ସମ୍ଭାବନା ରହିଛି । ଏହା ଦଳ ପାଇଁ କ୍ଷତିକାର ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here