ଦାମଙ୍କ ବିସ୍ଫୋରକ ମନ୍ତବ୍ୟ, ବିଜେଡି ସତର୍କ ନ ହେଲେ ଫସିବ

ଭୁବନେଶ୍ୱର: ରାଜନୀତିକ ଚର୍ଚ୍ଚାରେ ସବୁବେଳେ ବିଜେଡିରେ ଥିଲାବେଳେ ଓ ବିଜେଡିରୁ ଆସିଲା ପରେ ବି ଡାକ୍ତର ଦାମୋଦର ରାଉତ ରହିଆସିଛନ୍ତି । ଏବେ ତାଙ୍କ ପୁଅକୁ ନେଇ ନୂଆ ଆଲୋଚନା ଚାଲିଥିଲା ବେଳେ ଡାକ୍ତର ରାଉତ ଏକ ସାଂଘାତିକ ମନ୍ତବ୍ୟ ରଖିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ବିଜେଡି ନେତାମାନଙ୍କୁ ଏବେଠାରୁ ସତର୍କ ନ ହେଲେ ଭବିଷ୍ୟତରେ ବିପର୍ଯ୍ୟୟରେ ପଡ଼ିପାରନ୍ତି ବୋଲି କୁହାଯାଉଛି । ଡାକ୍ତର ରାଉତଙ୍କ ପୁଅ ବିଜେଡି ଭିତରେ ରହି ବାପାଙ୍କ ଅପମାନର ପ୍ରତିଶୋଧ ନେଇ ପାରନ୍ତି ବୋଲି ଡାକ୍ତର ରାଉତ ଆଜି ଖୁଲାସା କରିବା ପରେ ବିଜେଡି ପାଇଁ ନୂଆ ବିପଦ ଆଣିଛି ।
ବିଜେଡିରୁ ବିଦା ହେବା ପରେ ଡାକ୍ତର ରାଉତ ବୁଲି ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ବିଷୋଦଗାର କରିବାରେ ଲାଗିଛନ୍ତି । ସଭାସମିତିଠୁ ଆରମ୍ଭ କରି ନିଜ ଖବରକାଗଜରେ ମଧ୍ୟ ଟାର୍ଗେଟ କରୁଛନ୍ତି । ଏଭଳି ସ୍ଥିତିରେ ଗତ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସରେ ମଂଚ ଉପରେ ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା । ସେ ଅନ୍ୟ କୋଉଠି ନୁହଁ ନବୀନଙ୍କ ପଛପଟେ ହିଁ ରହୁଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଫଟୋ ସହ ଖବର ଆସିବା ପରେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏଭଳି ପରିସ୍ଥିତିରେ ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଡାକ୍ତର ରାଉତ ଆସିଥିଲା ବେଳେ ଏହି ପ୍ରଶ୍ନ ଉଠିଥିଲା । ତାଙ୍କୁ ଯେତେବେଳେ ପଚରାଗଲା ଯେ, ଆପଣ କହୁଛନ୍ତି ନବୀନ ବାବୁଙ୍କ ପଛରେ ଆଉ କେହି ବିଜୁବାବୁଙ୍କ ଭଲ ପାଉଥିବା ଲୋକ ନାହାଁନ୍ତି । କିନ୍ତୁ ବିଜେଡିର ପ୍ରତିଷ୍ଠା ଦିବସରେ ଆପଣଙ୍କ ପୁଅ କିଭଳି ରହିଲେ ନବୀନ ପଟ୍ଟନାୟକଙ୍କ ପଛପଟେ, ଯେତେବେଳେ ବାପା ବୁଲି ବୁଲି ନବୀନ ବାବୁଙ୍କ ବିରୋଧରେ କହୁଛନ୍ତି ।
ଡାକ୍ତର ରାଉତ ଉତ୍ତରଦେବାକୁ ଯାଇ ଯେଉଁ ମତ ରଖିଲେ ତାହା ଅତ୍ୟନ୍ତ ସାଂଘାତିକ ଓ ପ୍ରଣୀଧାନଯୋଗ୍ୟ । ସେ କହିଲେ ମୋ ପୁଅ ଓ ମୋ ଝିଅ ପାଇଁ ମୁଁ ଗର୍ବ ଅନୁଭବ କରେ । ଏଇଥିପାଇଁ ସେମାନେ ହେଉଛନ୍ତି ମୋର ପୁଅ ଝିଅ । ସୋମନେ ମୋର ଯିଏ ବଡ଼ଭାଇ ଅଶୋକ ଦାସର ପୁଅ ନୁହଁ କି ସ୍ୱର୍ଗତ କଳ୍ପତରୁ ଦାସଙ୍କ ପୁଅ ନୁହଁ କି ଅନ୍ୟ କାହାର ପୁଅ ନୁହଁ ସେ ମୋ ପୁଅ । ମୋ ପୁଅ କଣ କଲେ ଭଲ ହେବ ତାର ବିଚାର ବୁଦ୍ଧି ଅଛି ସେ ବିଚାର କରିବ । ମୋତେ ଯେତେ କତୁରୀ ଦେଖାଇଛନ୍ତି ମୋ ପୁଅ କାହାକୁ କତୁରୀ ଦେଖାଇବନି ବୋଲି ଆପଣ କାହିଁକି ଭାବୁନାହାଁନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି । ତାଙ୍କର ଏହି ମତକୁ ନେଇ ଯେତେବେଳେ ପ୍ରଶ୍ନ ହେଲା ବିଜୁ ଜନତା ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହେବ ଯେତେବେଳେ ଆପଣଙ୍କର ପୁଅ ଆପଣଙ୍କ କଥା ମାନି ସବୁକିଛି କାର୍ଯ୍ୟ କରିବ । ବିଜୁ ଜନତା ଦଳର ଯେଉଁ ଆଇନର ଗଣ୍ଡି ରହିଛି ବା ତାଙ୍କର ଯେଉଁ ଶାଳିନତା ରହିଛି ତା ଭିତରେ ସେ ରହିବନି କିଛି ବି ହୋଇପାରେ ବିଜେଡିରେ । ଏହାର ଉତ୍ତରରେ ଡାକ୍ତର ରାଉତ କହିଲେ ବିଜୁ ଜନତାଦଳ ରହିବ କି ରସାତଳକୁ ଯିବ ଛତିଶଗଡ଼ ଦେଖିଲା ପରେ ଆପଣଙ୍କର କାହିଁକି ଧାରଣା ହେଉନି ।
ବିଜୁ ସମତାକ୍ରାନ୍ତୀ ଦଳ ଗଠନ କରି ଶେଷରେ ସେଥିରୁ ଦୂରେଇ ରହିବା ପରେ ଆଗକୁ କଣ କରିବେ ସେ ସମ୍ପର୍କରେ ଡାକ୍ତର ରାଉତ କହିଛନ୍ତି ରାଜନୀତି କରିବାକୁ ହେଲେ ଜଣେ ନେତାଙ୍କ ପାଇଁ ଏକ ଦଳ ଅପରିହାର୍ଯ୍ୟ ନୁହେଁ । ଅର୍ଥାତ ସେ କୌଣସି ଦଳରେ ସାମିଲ ନ ହେଲେ ବି ରାଜନୀତିରୁ ଦୂରେଇ ଯିବେ ନାହିଁ କି ତାଙ୍କୁ କେହି ଦୂରେଇ ପାରିବେ ନାହିଁ ଏଭଳି ଏକ ସୂଚନା ସେ ଦବାକୁ ଚାହିଁଛନ୍ତି ବୋଲି କୁହାଯାଉଛି ।

ମୋଦିଙ୍କ ଦଶା ଭୋଗିବେ ନବୀନ: ଦାମ