ବିଦା ହେବା ପରେ ବି ଦାମ କହୁଛନ୍ତି ମୁଁ ଏବେବି ଦଳରେ ଅଛି

ଭୁନନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ଇତିମଧ୍ୟରେ ବହିଷ୍କାର କରାଯାଇସାରିଛି । ହେଲେ ସେ ଆଜି କହିଛନ୍ତି ମୁଁ ଏବେବି ବିଜେଡିରେ ଅଛି । ଦଳ ମୋର ବହିଷ୍କାର ସମ୍ପର୍କରେ ମୋତେ ଲିଖିତ ଭାବେ କିଛି ଜଣାଇନାହିଁ । ଏପରି କି ବହିଷ୍କାର ପୂର୍ବରୁ ମୋତେ କିଛି କୈଫିୟତ ମଗାଯାଇନାହିଁ । ମୁଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ । ଏଣୁ ଦଳର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ମୋତେ ବହିଷ୍କାର କରାଯିବ ଦରକାର । ଏଣୁ ଜଣେ ସମ୍ପାଦକ କିଭଳି ଭାବରେ ବହିଷ୍କାର ନେଇ ଚିଠି ଲେଖିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଡାକ୍ତର ରାଉତଙ୍କ ବହିଷ୍କାରଙ୍କୁ ନେଇ ବହୁ ତୁମ୍ବିତୋଫାନ ରାଜ୍ୟ ରାଜନୀତିରେ ଚାଲିଛି । ସେ ମଧ୍ୟ ଭଲଭାବରେ ଜାଣିଛନ୍ତି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକ କାର୍ଯ୍ୟଧାରା କ’ଣ । ଏହା ସତ୍ତେ୍ୱ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଏବେ ବି ଦଳରେ ଅଛନ୍ତି । ଦଳ ପକ୍ଷରୁ ତାଙ୍କୁ କୌଣସି ନୋଟିସ ଇସ୍ୟୁ ହୋଇନାହିଁ କିମ୍ବା ତାଙ୍କ ବହିଷ୍କାର ନେଇ ତାଙ୍କୁ ଅବଗତ କରାଯାଇନାହିଁ । ସେ କେବଳ ଗଣମାଧ୍ୟମରୁ ଯାହା ସୂଚନା ପାଇଛନ୍ତି । ତାଙ୍କ ପାଖକୁ କୌଣସି ଲେଖା ଆସିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହିଷ୍କାର ସମ୍ପର୍କରେ ଗଣମାଧ୍ୟମରେ କହିସାରିଛନ୍ତି । ଡାକ୍ତର ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବହିଷ୍କାର କରାଗଲା ବୋଲି ଖୋଲାଖୋଲି କହିଛନ୍ତି । ଦଳର ସୁପ୍ରିମୋ ଘୋଷଣା କରିସାରିଲା ପରେ ଡାକ୍ତର ରାଉତଙ୍କ ଏହି ଦାବିର ଯଥାର୍ଥତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ କେତେଦୂର ଗ୍ରହଣ କରାଯିବ ତାହା ମଧ୍ୟ ବିଚାର୍ଯ୍ୟର ବିଷୟ ।

LEAVE A REPLY

Please enter your comment!
Please enter your name here