ଅଦ୍ଭୁତ ଡାକ୍ତର, ଜୀବିତକୁ ଘୋଷଣା କଲେ ମୃତ

ଭଦ୍ରକ: ଅଦ୍ଭୁତ ଲାଗିଲେ ବି ସତ | ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମୃତ କହିଲେ ଡାକ୍ତର । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଡାକ୍ତରଖାନାରେ | ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଷ୍ଟମୋର୍ଟମ ହେବାକୁ ଯିବା ଆଗରୁ ରୋଗୀଙ୍କର ହୋସ୍ ଆସିବା ପରେ ପଦାରେ ପଡ଼ିଥିଲା ଡାକ୍ତରଙ୍କ କାରନାମା । ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ଧୁଷୁରା ଥାନା ଖଟୁଆପାଟଣା ଗାଁର ସୁଜିତ ଖଟୁଆଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତ ସୁଜିତଙ୍କୁ ମୃତ ଘୋଷଣା କରିବା ସହ ସକାଳେ ପୋଷ୍ଟମୋର୍ଟମ ହେବ ବୋଲି କହିଥିଲେ । ଆଜି ସକାଳେ ସୁଜିତଙ୍କ ଚେତା ଫେରିବା ପରେ ସେ ହଠାତ୍ ଉଠି ବସିଥିଲେ । ଆଉ ତାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ତାଙ୍କୁ ମେଡିସିନ ଓ୍ୱାର୍ଡରେ ତୁରନ୍ତ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ଏବେ ସୁଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଏପରି ଅବସ୍ଥା ହୋଇଥିବାରୁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରୋଗୀଙ୍କ ଭାଇ ଭଦ୍ରକ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏନେଇ ସଂପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ନଥିବା ଜଣା ପଡିଛି ।

ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର