ଦିଲ୍ଲୀପ ଫେରିବେ ବିଜେଡିକୁ!

ଭୁବନେଶ୍ୱର: ବରିଷ୍ଠ ନେତା ଦିଲ୍ଲୀପ ରାୟ କେଉଁ ରାଜନୈତିକ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଦିଲ୍ଲୀପ ତାଙ୍କ ମତ ଏଯାଏଁ ସ୍ପଷ୍ଟ କରୁନାହାଁନ୍ତି । ସେ ବିଜେଡି ଯିବେ କି କଂଗ୍ରେସକୁ ଯିବେ ସେ ବିଷୟରେ ଖୋଲାଖୋଲି ଭାବରେ କିଛି କହୁନାହାଁନ୍ତି । ଯାହା ତାଙ୍କ ସମର୍ଥକ ଓ ନିକଟତମ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ସେଥିରେ ଦିଲ୍ଲୀପ କୁଆଡ଼େ ଏବେ ବି ତାଙ୍କ ପୁରୁଣା ଘର ବିଜେଡିକୁ ଫେରିବା ପାଇଁ ଆଗ୍ରହୀ ଅଛନ୍ତି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନେ ମଧ୍ୟ ଦିଲ୍ଲୀପକୁ ନେବା ପାଇଁ ବେଶ ଆଗ୍ରହୀ ଅଛନ୍ତି । ଦିଲ୍ଲୀପଙ୍କ ସହ ଯୋଗାଯୋଗ ଜାରି ରହିଛି । ଦିଲ୍ଲୀପ ଆସନ୍ତା ନିର୍ବାଚନରେ ଛିଡ଼ା ହେବେ ନାହିଁ ବୋଲି ଘୋଷଣା କରି ସାରିଥିବାରୁ ଦଳରେ ମିଶିବା ନେଇ ସେ ବେଶୀ ବ୍ୟଗ୍ରତା ଦେଖାଉନାହାଁନ୍ତି । ବିଜେଡି ନେତାଙ୍କ କହିବା କଥା ଦିଲ୍ଲୀପ ତାଙ୍କ ଦଳରେ ଆସି ମିଶିବେ । କୁହାଯାଉଛି ମାର୍ଚ୍ଚ ୫ ତାରିଖ ବିଜୁ ବାବୁଙ୍କ ଜୟନ୍ତୀ ସମୟରେ ଦିଲ୍ଲୀପ ମିଶିବାର ସମ୍ଭାବନା ଅଧିକ । ଦିଲ୍ଲୀପ ତାଙ୍କ ସହିତ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସାମିଲ କରି ଚାଲିଥିବାରୁ ମିଶ୍ରଣ ପ୍ରକ୍ରୀୟା ବିଳମ୍ବ ହେଉଛି ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଦିଲ୍ଲୀପଙ୍କୁ ନେବା ପାଇଁ ଯୋଜନା ଚଳାଇଛି । ବିଜେଡି ଓ କଂଗ୍ରେସ ଭିତରେ କିଏ ବାଜି ମାରୁଛି ତାହା ଦେଖିବା କଥା ।
ବିଜେପି ଛାଡ଼ିଲା ପରେ ଦିଲ୍ଲୀପ ଅନ୍ୟ ଦଳରେ ଯୋଗଦାନ ନେଇ ତାଙ୍କ ମତ ସ୍ପଷ୍ଟ କରୁନାହାଁନ୍ତି । କିନ୍ତୁ ତାଙ୍କର ଇଚ୍ଛା ବିଜେଡିକୁ ଫେରିବା । ସେ ଦେଖୁଛନ୍ତି କଂଗ୍ରେସ ଅପେକ୍ଷା ବିଜେଡିରେ ତାଙ୍କର ରାଜନୈତିକ ଭବିଷ୍ୟତ ଅଧିକ ରହିଛି । ବିଜେଡି ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ନେଇ ସମସ୍ୟାରେ ଅଛି । କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ବିଜେଡି ସାମିଲ କରିଥିଲେ ମଧ୍ୟ ସୁନ୍ଦରଗଡ଼ ଲୋକସଭା ଆସନ ଓ ବିଧାନସଭା ଆସନଗୁଡ଼ିକ ଅକ୍ତିଆର କରିବା ନେଇ ନିଶ୍ଚିନ୍ତ ନୁହେଁ । ଯୋଗେଶଙ୍କୁ ସ୍ଥାନୀୟ ଅଂଚଳରେ ଦଳର ଲୋକମାନେ ବିରୋଧ କରିଛନ୍ତି । ନିର୍ବାଚନ ସମୟରେ ଏହି ବିରୋଧାଭାବ ରହିଲେ ଦଳ ପାଇଁ ବଡ଼ କ୍ଷତି ଆଣିବ । ଏ କ୍ଷେତ୍ରରେ ଦିଲ୍ଲୀପ ଯଦି ଆସି ଯୋଗ ଦିଅନ୍ତି ତେବେ ସୁନ୍ଦରଗଡ଼ ଲୋକସଭା ଆସନ ସହ ୭ଟି ଯାକ ବିଧାନସଭା ଆସନରୁ ଅଧିକାଂଶ ଅକ୍ତିଆର କରିପାରିବ । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିରସ୍ଥିତି ଦୂର୍ବଳ ରହିଛି । କାରଣ ଏହି ଜିଲ୍ଲାରେ ବିରୋଧୀଙ୍କ ପ୍ରାଧାନ୍ୟ ଅଧିକ ରହିଛି । ଦିଲ୍ଲୀପଙ୍କ ପାଇଁ ବିଜେପି ସୁନ୍ଦରଗଡ଼ ଲୋକସଭା ଆସନ ପାଇଛି । ବର୍ତ୍ତମାନ ଆଇଜିଏଚ ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ଘଟଣାରେ ଦିଲ୍ଲୀପ ରାଉରକେଲା ଓ ଆଖପାଖ ଅଂଚଳ ଲୋକଙ୍କ ପାଖରେ ହିରୋ ହୋଇପାରିଛନ୍ତି । ଦିଲ୍ଲୀପଙ୍କ ପ୍ରଭାବ ପୁରା ସୁନ୍ଦରଗଡ଼ ଜିଲ୍ଲାରେ ବୃଦ୍ଧି ପାଇଥିବା ଦେଖାଯାଇଛି । ଏଣୁ ପରିବର୍ତ୍ତିତ ପରିସ୍ଥିତିରେ ବିଜେଡି ନେତାମାନେ ଦେଖୁଛନ୍ତି ଦିଲ୍ଲୀପଙ୍କୁ ଆଣିଲେ ଦଳ ପାଇଁ ବେଶ ଫାଇଦା ହେବ ।
ଏଥିଲାଗି ଦିଲ୍ଲୀପଙ୍କ ସହ ବିଜେଡି ଯୋଗାଯୋଗରେ ରହିଛି । କିଛି ନେତା ଦିଲ୍ଲୀପଙ୍କ ସହ ଆଲୋଚନା ମଧ୍ୟ ଚଳାଇଛନ୍ତି । ଏକଥା ବି କୁହାଯାଉଛି ଦିଲ୍ଲୀପଙ୍କୁ ଖୁବ ଶୀଘ୍ର ଡାକି ବିଜେଡି ସୁପ୍ରିମୋ ଆଲୋଚନା କରିବେ । କେହି କେହି କହୁଛନ୍ତି ଏ ନେଇ କୁଆଡ଼େ ବାର୍ତ୍ତା ପଠାଯାଇ ସାରିଛି । କଥାବାର୍ତ୍ତା ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚି ସାରିଛି । କେବଳ ମୁହାଁ ମୁହିଁ ଆଲୋଚନା ମୁଖିଆଙ୍କ ସହ ହେବା ପରେ ମିଶିବା କଥା ଚୂଡ଼ାନ୍ତ ହେବ । ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜୟନ୍ତୀ ପଡୁଥିବାରୁ ସେହିଦିନ ବିଜେଡି ମିଶ୍ରଣ ପର୍ବ ରଖିବାକୁ ଚାହୁଁଛି । ଯଦି ସବୁ କିଛି ତୁଟିଯାଇଥିବ ତେବେ ସେ ଦିନ କିଛି ବଡ଼ ନେତାଙ୍କୁ ଦଳରେ ଆଣି ସାମିଲ କରାଯିବ ବୋଲି ବିଜେଡି ନେତାମାନେ କହୁଛନ୍ତି ।

ହାତ ଧରିବେ ବିଜୟ ଓ ଦିଲ୍ଲୀପ!, ଶ୍ରୀକାନ୍ତଙ୍କ ପରେ ବାଟ ସଫା