ବିଜେପିକୁ ନେଇ ଖାରବେଳ ଓ ଦାମଙ୍କ ଭିନ୍ନମତ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ମହାମେଣ୍ଟର ପରିକଳ୍ପନା କରିଛନ୍ତି ବରିଷ୍ଠ ନେତା ମହାମେଘବାହାନ ଐର ଖାରବେଳ ସ୍ୱାଇଁ । ଏହି ମହାମେଣ୍ଟ ର ଆଭମୁଖ୍ୟ ଯାହା ସେ ରଖିଛନ୍ତି ଓ ଯେଉଁମାନଙ୍କୁ ନେଇ ଏହା ଗଠନ କରିବାକୁ ଯୋଜନା କରିଛନ୍ତି ସେଥିରେ ସମସ୍ତଙ୍କ ମନୋଭାବ ସମାନ ନାହିଁ । ବିଶେଷ କରି ବିଜେପିକୁ ନେଇ ଖାରବେଳ ଓ ମହାମେଣ୍ଟର ଅନ୍ୟତମ ସମ୍ଭାବ୍ୟ ସଦସ୍ୟ ଡାକ୍ତର ଦାମୋଦର ରାଉତଙ୍କ ଭିତରେ ମତପାର୍ଥକ୍ୟ ରହିଛି । ଖାରବେଳ ଯେଉଁ ଆଭିମୁଖ୍ୟ ରଖିଛନ୍ତି ଓ ଯେଉଁମତ ଦେଉଛନ୍ତି ସେଥିରେ ଡାକ୍ତର ରାଉତଙ୍କ ଆଭିଭୁଖ୍ୟ ଓ ମତ ସମାନ ହେଉନାହିଁ । ବିଜେପିକୁନେଇ ଉଭୟଙ୍କ ଭିତରେ ଦ୍ୱନ୍ଦ୍ୱ ଦେଖାଦେଇଛି । ଏ କ୍ଷେତ୍ରରେ ମହାମେଣ୍ଟ ଗଠନ କେତେଦୂର ସଫଳ ହେବ ତାହା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ଖାରବେଳ କହିଛନ୍ତି ସେ ଏକ ମହାମେଣ୍ଟ କରିବାକୁ ଯାଉଛନ୍ତି । ଏଥିରେ ଡାକ୍ତର ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ ଓ ବୈଜୟନ୍ତ ପଣ୍ଡା ସାମିଲ ଅଛନ୍ତି । ଏହି ଘୋଷଣା କରିବା ପରେ ନିକଟରେ ଏକ ଟିଭି ଚ୍ୟାନଲର କାର୍ଯ୍ୟକ୍ରମକୁ ଯାଇ ସାକ୍ଷାତକାର ଦେବା ବେଳେ ଖାରବେଳଙ୍କ ମତ କିଛି ଭିନ୍ନ ଥିଲା । ସେ ସ୍ପଷ୍ଟ ଭାବେ ତାଙ୍କ ମେଣ୍ଟ ବିଜେପି ସହ ଯିବ ବୋଲି କହିଥିଲେ । ବିଜେପି ପ୍ରତି ତାଙ୍କ ମନୋଭାବ ସମ୍ପୂର୍ଣ୍ଣ ବଦଳିଯାଇଛି । ତାଙ୍କ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ ରୋକିବାକୁ ହେଲେ ବିଜେପି ହିଁ ଏକମାତ୍ର ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନବୀନଙ୍କୁ ଓଡ଼ିଶାରେ ହରାଇ ହେବ । ଅତିତରେ ଖାରବେଳ ବିଜେପିରୁ ବିଦା ହୋଇଥିଲେ ମଧ୍ୟ ବିଜେପି ପ୍ରତି ଦରଦ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆଖି ଆଗରେ ବେଶ ମହାନ । ଏହି ଟିଭି ଚ୍ୟାନେଲର ସାକ୍ଷାତକାରରେ ଖାରବେଳ କହିଥିଲେ ମୋଦି ହେଉଛନ୍ତି ଜଣେ ଭଲ ଲୋକ । ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇଛନ୍ତି ଓ ଶୁଶାସନ ଆଣିବା ଲାଗି ପଦକ୍ଷେପ ନେଇଛନ୍ତି । ମୋଦିଙ୍କୁ ଜଣେ ସ୍ୱଚ୍ଛ, ନିର୍ମଳ ଓ ଆଦର୍ଶବାଦୀ ନେତା ଭାବରେ ସେ ପ୍ରତିପାଦିତ କରିବାକୁ ଚାହିଁଛନ୍ତି । ସେ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିଛନ୍ତି । କଳା ଧନର ରକ୍ଷାକର୍ତ୍ତା ବୋଲି ନବୀନଙ୍କୁ ଆକ୍ଷେପ କରିଛନ୍ତି । ଚିଟ ଫଣ୍ଡ ଦୁର୍ନୀତିରେ ବିଜେଡିର ସାଂସଦ, ବିଧାୟକ ଜେଲ ଯିବା ଓ ନବୀନ ଅନ୍ଧଭଳି ବସି ଦେଖିବା ଏ କି ପ୍ରକାର ସୁଶାସନ । ସେମାନଙ୍କ କଳା ଧନକୁ ନବୀନ ସୁରକ୍ଷା ଦେଇଛନ୍ତି । ବିଜେପି ନେତାମାନେ ତଳସ୍ତରରେ ସମ୍ପୂର୍ଣ୍ଣ ଭାବରେ ନବୀନ ବିରୋଧୀ । ଏଭଳି ଅନେକ କିଛି ମତ ରଖିଛନ୍ତି । ବିଜେପି ସହ ରହିଲେ ଲକ୍ଷ୍ୟ ସାଧନ କରିହେବ ବୋଲି ମୁଖ୍ୟତଃ ସେ ଦର୍ଶାଇଛନ୍ତି ।
ନିକଟରେ ଡାକ୍ତର ରାଉତ ତାଙ୍କ ଖବର କାଗଜ ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କିଛି ମତ ରଖିଛନ୍ତି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କର ନୀବନଙ୍କ ପ୍ରତି ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତର ଉଦବୋଧନକୁ ଦୃଷ୍ଟିରେ ରଖି ସେ କହିଛନ୍ତି ବିରୋଧୀଙ୍କ ବିରୋଧରେ ରଣ ହୁଙ୍କାର ନାହିଁ ବରଂ ବିରୋଧୀଙ୍କୁ କୁଟନୀତିରେ ହରାଇବାକୁ ଯୋଜନା ଚାଲିଛି । ଶତୃର ଶତୃ ମିତ୍ର ନ୍ୟାୟରେ ବନ୍ଧୁ ଖୋଜା ଚାଲିଛି । ପୁରୁଣା ବନ୍ଧୁ ଯେପରି ଯେମିତି ହାତଛାଡ଼ି ଚାଲି ନ ଯାଆନ୍ତି ସେଥିଲାଗି ସବୁମତେ ପ୍ରୟାସ ହେଉଛି । ଏହି ପରିପ୍ରେକ୍ଷୀରେ ବାରିପଦାରେ ନମୋଙ୍କ କଣ୍ଠରୁ ନବୀନ ସ୍ୱରରେ ଶୁଣିବାକୁ ମିଳିଛି ରାଜନୈତିକ ସମ୍ଭାଷଣ । ବାରିପଦା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ବା ନବୀନ ବାବୁଙ୍କ ଉପରେ ଆଦୌ ବର୍ଷିନାହାଁନ୍ତି କାହିବା ଠିକ ହେବ । ବାରିପଦାର ଜନସାଧାରଣଙ୍କୁ ରାଫେଲ ପ୍ରସଙ୍ଗ ବୁଝାଇବାର ବିଶେଷ ଆବଶ୍ୟକତା ଥିଲାକି । ଯେଉଁ ମୟୂରଭଞ୍ଜ ଜନସାଧାରଣ ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ସମ୍ମାନ ରକ୍ଷା କରିଥିଲେ । ସେହି ଜିଲ୍ଲାର ଲୋକଙ୍କୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଅପାରଗତା ଓ ବିଜୁ ଜନତା ଦଳର କର୍ମୀ ତୋଷଣ ନୀତି ବିଷୟରେ କହିବାରେ ପ୍ରଧାନମନ୍ତ୍ରୀ ପଛଘୁଞ୍ଚା ଦେଇ ଯେଉଁ ନବୀନ ସ୍ୱରରେ ତାଙ୍କର ପରାମର୍ଶ ପ୍ରଦାନ କଲେ ତାହା ରାଜ୍ୟର ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିଜେପି ଲାଗି ତାର ପୂର୍ବସ୍ୱର ମିଶନ ୧୨୦ ଏବେ ନାହିଁ କହିଲେ ଚଳେ । ଲାଗୁଛି ଆଗାମୀ ଥର ଆସିବା ବେଳକୁ ନବୀନଙ୍କ ନିମନ୍ତେ ନୂଆ ବନ୍ଧୁତାର ହାତ ନେଇ ବୋଧହୁଏ ମୋଦି ଓଡ଼ିଶାରେ ପାଦଦେବେ । ମୋଦି ଓ ଅମିତ ଶାହଙ୍କ ରଣନୀତିରେ ଏବେ ଆଂଚଳିକ ଦଳଗୁଡ଼ିକୁ ତୁଷ୍ଟିକରଣ ପ୍ରମୁଖ ସ୍ଥାନ ଅଧିକାର କରିଛି । ଯାହାର ପ୍ରଥମ ପ୍ରୟୋଗ କରାଯାଇଛି ଓଡ଼ିଶାର ବିଜେଡି ଉପରେ ବୋଲି ଡାକ୍ତର ରାଉତ କହିଛନ୍ତି ।
ଏଥିରେ କୁହାଯାଉଛି ଖାରବେଳଙ୍କ ଅନୁସାରେ ବିଜେପି ସମ୍ପୂର୍ଣ୍ଣ ଭାବରେ ବିଜେଡି ବିରୋଧରେ ଯିବ । କିନ୍ତୁ ଡାକ୍ତର ରାଉତଙ୍କ ମତରେ ବିଜେଡିର ହାତ ଛାଡ଼ିବା ପାଇଁ ବିଜେପିର ସର୍ବୋଚ୍ଚ ନେତୃବୃନ୍ଦ ଚାହୁଁନାହାଁନ୍ତି । ଏଣୁ ଏ କ୍ଷେତ୍ରରେ ନୂଆ ମେଂଟର ଲକ୍ଷ କେତେଦୂର ପୂରଣ ହେବ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ବୋଲି କୁହାଯାଉଛି ।

ଖାରବେଳ ଗଢ଼ିବେ ନବୀନ ବିରୋଧୀ ମେଂଟ