ଦାମ ଓ ଜୟଙ୍କ ପ୍ରତି ଭିନ୍ନ ଆଭିମୁଖ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦୁଇ ରାଜନେତା ବେଶ ଚର୍ଚ୍ଚିତ । ଜଣେ ହେଲେ ଡାକ୍ତର ଦାମୋଦର ରାଉତ ଓ ଅନ୍ୟ ଜଣେ ହେଲେ ବୈଜୟନ୍ତ ପଣ୍ଡା । ଦୁଇଙ୍କ କାର୍ଯ୍ୟଧାରା ଉପରେ ସମସ୍ତଙ୍କର ନଜର ରହିଛି । ବିରୋଧୀଙ୍କ ନଜରରେ ସେମାନେତ ଅଛନ୍ତି । ଶାସକ ଦଳ ବି ସେମାନଙ୍କ ଗତିବିଧିକୁ ଜଗିଛି । ଏହି ଦୁଇ ନେତାଙ୍କ ଆଗାମୀ ରାଜନୀତିକ କାର୍ଯ୍ୟକ୍ରମ କଣ ତାହା ସ୍ପଷ୍ଟ ହୋଇନାହିଁ । ଦୁହିଁଙ୍କ ଭିତରେ ସମ୍ପର୍କ ଭଲଥିଲେ ମଧ୍ୟ ଆଭିମୁଖ୍ୟ ଭିନ୍ନ ରହିଛି । ଏହି ଦୁଇଜଣଙ୍କ ଭିତରୁ ଉଭୟ କଂଗ୍ରେସ ଓ ବିଜେପି ଚାହୁଁଛନ୍ତି ବୈଜୟନ୍ତଙ୍କୁ ଦଳକୁ ନେବାପାଇଁ । କିନ୍ତୁ ଦାମଙ୍କୁ ଦଳରେ ମିଶାଇବାକୁ କେହି ଆଗ୍ରହୀ ନୁହଁନ୍ତି । ହେଲେ ଦାମଙ୍କ ସହଯୋଗ ନେବାପାଇଁ ଉଭୟ ଦଳ ପ୍ରତିଯୋଗିତା ଚଳାଇଛନ୍ତି । ବୈଜୟନ୍ତଙ୍କୁ ଦଳରେ ନେଲେ କଣ ଫାଇଦା ହେବ ଏ ବିଷୟରେ ଦୁଇ ଦଳ ଭଲ ଭାବରେ ଅବଗତ ଅଛନ୍ତି । ଦାମଙ୍କୁ ମିଶାଇଲେ କଣ ଅଡୁଆ ହେବ ତାହା ମଧ୍ୟ ଦୁଇଦଳ ଜାଣିଛନ୍ତି । ଏଥିପାଇଁ ବୈଜୟନ୍ତଙ୍କୁ ସାମିଲ କରିବାକୁ ଓ ଦାମଙ୍କ ସହଯୋଗ ନେବାକୁ ଚାହୁଁଛନ୍ତି । କିନ୍ତୁ ଏହି ଦୁଇନେତା ସେମାନଙ୍କ ମତ ସ୍ପଷ୍ଟ କରୁନାହାଁନ୍ତି । ବୈଜୟନ୍ତ ଏଭଳି ଏକ ଧାରଣା ଦେଉଛନ୍ତି ଯେଉଁଥିରେ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ଏ କ୍ଷେତ୍ରରେ ଦାମଙ୍କର ନିର୍ବାଚନ ଲଢ଼ିବା ପାଇଁ ବହୁ ଇଚ୍ଛା । ହେଲେ ନୂଆ ଦଳ ଗଠନ କରିବା ନେଇ ଦାମ ଘୋଷଣା କରିବା ପରେ ଚୂପ ହୋଇଯାଇଛନ୍ତି । କୁହାଯାଉଛି ଏଥିନେଇ ସେ ଯେଉଁ ସହଯୋଗ ଆଶା କରୁଥିଲେ ତାହା ପାଇପାରୁନାହାଁନ୍ତି । ବୈଜୟନ୍ତ ସିଧାସଳଖ ନୂଆ ଦଳ ଗଠନ ସପକ୍ଷରେ ଏବେ ନ ଥିବା କହିବା ପରେ ଦାମଙ୍କ ପାଇଁ ଅଡୁଆ ହୋଇଛି ବୋଲି କୁହାଯାଉଛି ।
ରାଜ୍ୟ ରାଜନୀତିରେ ଏହି ଦୁଇ ନେତାର ଦାମ ରହିଛି । ବୈଜୟନ୍ତଙ୍କୁ ନେବାପାଇଁ ଉଭୟ ବିଜେପି ଓ କଂଗ୍ରେସର ଇଚ୍ଛା ରହିଛି । କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରସ୍ତାବ ଦିଆଯାଇ ସାରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଇତି ମଧ୍ୟରେ ବୈଜୟନ୍ତଙ୍କ ପାଖକୁ ଯାଇ ଏକାଧିକବାର ଆଲୋଚନା କରିସାରିଛନ୍ତି । ଏପରି କି କୁହାଯାଏ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବୈଜୟନ୍ତଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ କଂଗ୍ରେସରେ ଯୋଗଦେବା ପାଇଁ ବୈଜୟନ୍ତଙ୍କର ଆଗ୍ରହ ନାହିଁ । ସିଧାସଳଖ ମନା ନ କଲେ ମଧ୍ୟ ଧରା ଦେଉନାହାଁନ୍ତି । ତଥାପି ମଧ୍ୟ କଂଗ୍ରେସ ଆଶା ଛାଡ଼ିନାହିଁ । ବିଜେପି ବୈଜୟନ୍ତଙ୍କୁ ନେବାପାଇଁ ବେଶ ଆଗ୍ରହୀ । ବୈଜୟନ୍ତ ବି ବିଜେପିକୁ ଯିବା ପାଇଁ ଆଗ୍ରହୀ । ଉଭୟ ପକ୍ଷଙ୍କର ଆଗ୍ରହ ରହିଛି । କିନ୍ତୁ ସମସ୍ୟା ରହିଛି ସର୍ତ୍ତକୁ ନେଇ । ବୈଜୟନ୍ତ ଯେଉଁ ସବୁ ସର୍ତ ବିଜେପି ଆଗରେ ରଖୁଛନ୍ତି ତାହା ଗ୍ରହଣଯୋଗ୍ୟ ହୋଇପାରୁନାହିଁ । ସେଥିପାଇଁ ସେ ବିଜେପିରେ ଯୋଗ ଦେଇ ପାରୁନାହାଁନ୍ତି । ବିନା ସର୍ତରେ ଯୋଗ ଦେବାକୁ ବିଜେପି ଚାହୁଁଛି ହେଲେ ବୈଜୟନ୍ତ ବିନା ସର୍ତରେ ଯୋଗ ଦେବାକୁ ଚାହୁଁନାହାଁନ୍ତି । ସର୍ତକୁ ନେଇ ବୈଜୟନ୍ତ ବିଜେପିର ଜାତୀୟସ୍ତରର ନେତାମାନଙ୍କ ସହ ଏକାଧିକବାର ଆଲୋଚନା କଲେଣି । କୌଣସି ସୁଫଳ ତାଙ୍କୁ ମିଳିପାରୁନାହିଁ । କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ଯାହା ଏବଂ ରାଜ୍ୟ ଓ ଦେଶରେ ଏବେ କଂଗ୍ରେସର ସ୍ଥିତି ଯାହା ସେଥିରେ ବୈଜୟନ୍ତ ସେ ଦଳରେ ସାମିଲ ହେବାକୁ ଚାହୁଁନାହାଁନ୍ତି । ବିଜେପି ଏବେ ନ ହେଲେ ବି ଆଗକୁ ମନ ପରିବର୍ତ୍ତନ କରିପାରେ ଏହି ଆଶା ସେ ରଖିଛନ୍ତି । ଏଣୁ ହଠାତ କୌଣସି ତରବରିଆ ନିଷ୍ପତି ନେବାକୁ ସେ ଚାହୁଁନାହାଁନ୍ତି । ତାଙ୍କ ପାଇଁ ରାଜନୀତିରେ ଲମ୍ବା ସମୟ ପଡ଼ିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । କୁହାଯାଉଛି ସେ, ଚା ୟେ ପେ ଚର୍ଚ୍ଚା ନାଁରେ ଯେଉଁ “ହେଇଯାଉ” କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅଂଚଳ ବୁଲୁଛନ୍ତି ସେଥିରେ କେଉଁ ଦଳ ପ୍ରତି ଲୋକଙ୍କ ମନୋଭାବ କଣ ରହିଛି ତାହା ଅନୁଧ୍ୟାନ କରୁଛି । ସେଥିପାଇଁ ସେ ବିଭିନ୍ନ ଅଂଚଳ ବୁଲି ଚା’ ଦୋକାନରେ ଲୋକଙ୍କୁ ଭେଟୁଛନ୍ତି । ରାଜନୀତିକ ଚର୍ଚ୍ଚା ମୁଖ୍ୟତଃ ଚା’ ଖଟିମାନଙ୍କରେ ହିଁ ହୋଇଥାଏ । ଲୋକଙ୍କ ମନୋଭାବକୁ ଜାଣିଲା ପରେ ହୁଏତ ସେ ପରବର୍ତୀ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି ।
କିନ୍ତୁ ଦାମଙ୍କ କ୍ଷେତ୍ରରେ କଥା ଭିନ୍ନ । ତାଙ୍କୁ ବିଜେପି ହେଉ କି କଂଗ୍ରେସ ହେଉ ନେବାପାଇଁ ଆଗ୍ରହୀ ନୁହଁନ୍ତି । ଉଭୟ ଦଳ ଜାଣିଛନ୍ତି ଦାମଙ୍କୁ ସାମିଲ କଲେ କଣ ପରିସ୍ଥିତି ହେବ । ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିବ । ସେ କାହାରି କଥା ବା ଅନ୍ୟ କାହାର ନେତୃତ୍ୱକୁ ମାନିବା ଲୋକ ନୁହଁନ୍ତି । ସେ ଏକ ନିଆଁ ପିଣ୍ଡୁଳା ସଦୃଶ । ଯିଏ ତାଙ୍କୁ ଅଣ୍ଟିରେ ପୁରାଇ ରଖିବାକୁ ଚାହିଁବ ତାର ପରିଣତି କଣ ହେବ ତାହା ସୁସ୍ପଷ୍ଟ । ତାଙ୍କ ଭଳି ଜଣେ ଟାଣୁଆ ଓ କୁହାଳିଆ ନେତା ରାଜ୍ୟ ରାଜନୀତିରେ ବିରଳ । କିନ୍ତୁ ତାଙ୍କୁ ନେଇ ସମ୍ଭାଳିବା କାଠିକର ପାଠ । କାରଣ ତାଙ୍କ ତୁଣ୍ଡରେ ଲଗାମ ନ ଥାଏ । ସେ କେତେବେଳେ କଣ କହିବେ ଓ ବୁଲିପଡ଼ି ଚୋଟ ମାରିବେ ତାହା କେହି କହିପାରିବେ ନାହିଁ । ଏକ୍ଷେତ୍ରରେ ଏହି ଦୁଇ ଜାତୀୟ ଦଳର ନିର୍ଦ୍ଧିଷ୍ଟ କିଛି ଅନୁଶାସନ ରହିଛି ତାହା ମଧ୍ୟରେ ଦାମଙ୍କ ଭଳି ନେତା ସବୁକଥା ମାନି କାମ କରିବା ସମ୍ଭବ ନୁହେଁ । ହାଇକମାଣ୍ଡ କଲଚରରେ ଦାମ ମଧ୍ୟ ଅଭ୍ୟସ୍ତ ନୁହଁନ୍ତି । ବିଜେଡିରେ ଥିଲା ବେଳେ ବି ଯାହାକୁ ସମସ୍ତେ ଡରନ୍ତି ତାମ ତାଙ୍କୁ ବେଶୀ ସମାଲୋଚନା କରନ୍ତି । ଏଣୁ ସେ କଂଗ୍ରେସ ହେଉ କି ବିଜେପି ହେଉ ଦାମଙ୍କୁ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । କିନ୍ତୁ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖିୁଥିବା ଦୁଇ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦାମ ଏକ ଅମୋଘ ଅସ୍ତ୍ର ବୋଲି ଭାବୁଛନ୍ତି । ଏହି ଅସ୍ତ୍ରକୁ ନବୀନଙ୍କ ବିରୋଧରେ ଯୁଦ୍ଧ ସମୟରେ ବ୍ୟବହାର କରିବାକୁ ଚାହୁଁଛନ୍ତି । କିନ୍ତୁ ନିଜ ଅଂଟାରେ ରଖିବାକୁ ଚାହୁଁନାହାଁନ୍ତି ।
ଦାମ ଏବେ ତାଙ୍କ ନବୀନ ବିରୋଧୀ ଅଭିଯାନକୁ ତୀବ୍ରତର କରିଛନ୍ତି । ବିଭିନ୍ନ ଅଂଚଳ ବୁଲି ସମାବେଶ କରି ନବୀନଙ୍କ ଉପରେ ବର୍ଷୁଛନ୍ତି । ନିର୍ବାଚନରେ ଫଳାପଳ କଣ ହେବ ତାହା କହିବା କଷ୍ଟକର ହେଲେ ଏବେ ଦେଖାଯାଉଛି ଦାମଙ୍କ ସମାବେଶରେ ଜନସମାଗମ ବେଶ ଆଖିଦୃଶିଆ ହେଉଛି । ତାଙ୍କୁ ଜଣେ କ୍ରାଉଡ ପୁଲର ଭାବେ ଗ୍ରହଣ କରାଯାଉଛି । ତାଙ୍କ ନାଁ ଶୁଣିଲେ ଭାଷଣ ଶୁଣିବାକୁ ଲୋକେ ଆପଣାଛାଏ ଆସୁଛନ୍ତି । ସେ ମାହାଙ୍ଗା, ନିମାପଡ଼ା, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା-ଟାଙ୍ଗୀ, ଏରସମା, ବାରିପଦା ଓ ନିଆଳିରେ ସମାବେଶ କରିସାରିଲେଣି । ଏଣୁ ଦାମଙ୍କ ସମର୍ଥନ ନେଲେ ଫାଇଦା ହେବ ଭାବି ଉଭୟ କଂଗ୍ରେସ ଓ ବିଜେପି ଏ ଦିଗରେ ଉଦ୍ୟମ ଚଳାଇଛନ୍ତି । ହେଲେ ଦାମ କାହାକୁ ସମର୍ଥନ କରିବେ ସେ ଘୋଷଣାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here