ପ୍ରତିଶ୍ରୁତି ପାଣିର ଗାର: ସ୍ଥାୟୀ ଚାକିରି କେବେ? ରାଜରାସ୍ତାରେ ଡାଟା ଏଣ୍ଟ୍ରୀ ଅପରେଟର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଡ଼ିଶାର ୩୧୭ ତହସିଲ ଅଧିନରେ ଗଲା ୧୦ ବର୍ଷ  ହେବ କାର୍ଯ୍ୟ କରୁଥିବା ୬୦୦ ଡାଟା ଏଣ୍ଟ୍ରୀ ଅପରେଟର ଏବେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଚାକିରି ସ୍ଥାୟୀ କରିବା ସଙ୍ଗକୁ ୪ ଦଫା ଦାବି ନେଇ ଏମାନେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣାରେ ବସିଛନ୍ତି । ରାଜସ୍ୱ ବିଭାଗର ପତ୍ରାଙ୍କ ନଂ-୫୪୭୭୭, ୨୪/୧୧/୨୦୦୬ ଏବଂ ଅର୍ଥ ବିଭାଗର ସ୍ୱୀକୃତି ନଂ-ୟୁଓଆର ୪୫୨/ଜିଏସ୍ , ୧୮/୧୧/୨୦୦୬ ଅନୁଯାୟୀ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ  ନିଜ ନିଜ ଜିଲ୍ଲାରେ ସାକ୍ଷାତକାର ଭିତ୍ତିରେ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ  ସରକାରଙ୍କର ଜନହିତକର କାର୍ଯ୍ୟରେ ଲଗାଇଥିଲେ । ପାସବୁକ ବଣ୍ଟନ ସାଙ୍ଗକୁ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟ ନିମନ୍ତେ ତହସିଲ ସବଡିଭିଜନ ଅଫିସ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାନଙ୍କରେ ନିଯୁକ୍ତି ଦିଆଯାଇଥିଲା । ତେବେ ସରକାରୀ କର୍ମଚାରୀଙ୍କ ଅଭାବ ଯୋଗୁ ଡାଟା ଏଣ୍ଟ୍ରୀ ଅପରେଟରଙ୍କ ଅବଧି ୬ ମାସରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଥିଲା । ଏହି ଅବଧି ମଧ୍ୟରେ ତହସିଲରେ କମ୍ପୁ୍ୟଟରୀକରଣ ମାଧ୍ୟମରେ ତଥା ମାନୁଆଲରେ ସେମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କରାଯାଇଥିଲା । କିନ୍ତୁ ୧୦ ବର୍ଷ ବିତି ଯାଇଥିଲେ ବି ସେମାନଙ୍କ ଚାକିରିିକୁ ନିୟମିତ କରିବା ପାଇଁ ସରକାର ଆନ୍ତରିକତା ଦେଖାଇ ନାହାନ୍ତି । ଏହାକୁ ନେଇ ସଂଘ ତରଫରୁ ବିଭାଗୀୟ ମୁଖ୍ୟଙ୍କୁ  କର୍ମଚାରୀଙ୍କର ସମସ୍ୟା ବିଷୟରେ ଲିଖିତ ଭାବେ ଅଭିଯୋଗ କରାଯାଇଛି । ଗତ ୨୦୧୨ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ସ୍ଥିର ହୋଇଥିଲା ଯେ, ୬୦୦ କର୍ମଚାରୀଙ୍କ ନିୟମିତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଙ୍କୁ  ଚାକିରିରୁ ବାହାର କରାଯିବ ନାହିଁ ବୋଲି ସ୍ଥିର ହୋଇଥିଲା । ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସମସ୍ତ ଡାଟା ଏଣ୍ଟ୍ରୀ କର୍ମଚାରୀଙ୍କର ସ୍ଥାୟୀ ସମ୍ବନ୍ଧୀୟ ଫାଇଲ ରାଜସ୍ୱ ବିଭାଗଙ୍କ ତରଫରୁ ବାରମ୍ବାର ଅର୍ଥ ବିଭାଗକୁ ପଠାଯିବା ଏବଂ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ବିଭାଗ ପକ୍ଷରୁ କରାଯାଇଥିବା ଯାଞ୍ଚ ଗୁଡିକର ସମାଧାନ କରାଯିବାକୁ ଦାବି ହୋଇଛି । ସେହିପରି ୨୦୧୫ରେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ୬୯୨ ପବଦୀ ସୃଷ୍ଟି କରିବା ପାଇଁ  ସ୍ଥିର ହୋଇଥିଲା । ୬୯୨ ପଦବୀ ସୃଷ୍ଟି କରାଯାଇ ପୂର୍ବର ୬୦୦ କର୍ମଚାରୀଙ୍କୁ ଓଆରଭି ନିୟମ ଅନୁସରଣ କରାଯାଇ ସ୍ଥାୟୀ କରାଯାଉ  ବୋଲି ଡାଟା ଏଣ୍ଟ୍ରୀ କର୍ମଚାରୀ ଦାବି କରିଛନ୍ତି  । ୬୦୦ କର୍ମଚାରୀଙ୍କୁ ସ୍ଥାୟୀ କାରିବା ପାଇଁ ନିଷ୍ପତ୍ତି ହେବା ପରେ ମଧ୍ୟ ଏପର୍ଯ୍ୟନ୍ତ କିଛିବି ପଦକ୍ଷେପ ନିଆଯାଉ ନାହିଁ  । ଫଳରେ ଡାଟା ଏଣ୍ଟ୍ରୀ କର୍ମଚାରୀଙ୍କ ଭାଗ୍ୟ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here