ମନ ବଦଳାଉଛନ୍ତି ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କ ମନ ପରିବର୍ତ୍ତନ କରୁଥିବା ନେଇ ସୂଚନା ମିଳୁଛି । ପୂର୍ବରୁ ଯଦିଓ ସେ କହୁଥିଲେ ଆସନ୍ତା ନର୍ବିାଚନରେ ସେ ନିଶ୍ଚୟ ଲୋକେ ଚାହିଁଲେ ପ୍ରାର୍ଥୀ ହେବେ ବୋଲି ଏବେ କିନ୍ତୁ ମନ ବଦଳାଉଥିବା ତାଙ୍କ କଥାକୁ ଆଧାର କରି କୁହାଯାଉଛି । ତାଙ୍କର ଗୋଟିଏ ଟାର୍ଗେଟ ବିଜେଡିକୁ କିଭଳି ଭାବରେ ହରାଇବେ । ଆଉ ସେ ଯଦି ପ୍ରାର୍ଥୀ ହୋଇ ଯାଆନ୍ତି ତେବେ ନିଜେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହିବେ । ଫଳରେ ଆଉ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ପ୍ରଚାର କରିବା ଲାଗି ସମୟ ପାଇବେ ନାହିଁ । ବୋଧହୁଏ ଏହି କଥାକୁ ଦୃଷ୍ଟିରେ ରଖି ଡାକ୍ତର ରାଉତ ଯାହା ମତ ରଖୁଛନ୍ତି ସେଥିରେ ସେ ଆଉ ନିଜେ ନିର୍ବାଚନ ଲଢ଼ିବା ଉପରେ ଗୁରୁତ୍ୱ ରଖୁନାହାଁନ୍ତି । ଏକଥା ସେ ଖୋଲାଖୋଲି ଘୋଷଣା କରିଛନ୍ତି ଯେ, ଆସନ୍ତା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବେ । ବିଜେପି ପାଇଁ ପ୍ରଚାର କରିବେନାହିଁ । ହେଲେ ଯେଉଁଠି ବିଜେପି ପ୍ରାର୍ଥୀ ବିଜେଡିକୁ ହରାଇବାକୁ ଥିବ ସେଠି ଯାଇଁ ସମ୍ପୃକ୍ତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏଭଳି ମତ ନିଜେ ଡାକ୍ତର ରାଉତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏକ ଆଂଚଳିକ ଦଳ ଗଠନ କରିଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି ।
ଡାକ୍ତର ରାଉତ କହିଛନ୍ତି ଗୋଟଏ ଦଳ ମୁଁ କରିଛି । ତାହା ନିର୍ବାଚନ କମିଶନରଙ୍କ ପାଖରେ ଅଛି । ଦଳରେ ମୁଁ କିଛି ନାହିଁ । ପଦାଧିକାରୀ ବି ନୁହେଁ । ମୁଁ ଅପେକ୍ଷା କରିଛି ଯେଉଁମାନଙ୍କୁ ଅତି ଅପମାନଜନକଭାବେ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ ଅନୁଗତମାନଙ୍କୁ ଫିଙ୍ଗି ଦେଇଥିଲେ ସେଇମାନଙ୍କୁ ନେଇକରି ଗୋଟିଏ ଦଳ କରିବି । ବିଜୁ ବାବୁଙ୍କ ଜନତା ଦଳରେ ଯେଉଁ କାଳିମା ବୋଳା ହୋଇହୋଇ ଚାଲିଛି ତାହା ଦେହରେ କ୍ରାନ୍ତୀ ଆଣିବା ପାଇଁ ଗୋଟିଏ ଦଳ କରି ବିଜୁବାବୁଙ୍କ ଅନୁଗତମାନେ ମିଶିବୁ । ଆବଶ୍ୟକ ପଡ଼ିଲେ କଂଗ୍ରେସ ଦଳ ସହିତ ଆମେ ବୁଝାମଣା କରିବୁ । ଏହି ଯେଉଁ ଇଚ୍ଛା ଥିଲା ତାହା ସାକାର ହେବାର ନାହିଁ । କିନ୍ତୁ ଯାହା ହେଲେ ମଧ୍ୟ ବ୍ୟକ୍ତିଗତ ଭାବେ ଯେଉଁଠି ବିଜୁ ଜନତା ଦଳର ପ୍ରାର୍ଥୀମାନେ ଛିଡ଼ାହେବେ ସେଠି କଂଗ୍ରେସ ଯେଉଁ ପ୍ରାର୍ଥୀ ଦେବ ମୁଁ ପ୍ରାର୍ଥୀ ହେଲେ କି ନ ହେଲେ ସେଥିରେ ଯାଏଆସେ ନାହିଁ । ଜଣେ ରାଜନେତା ହିସାବରେ ସେଠି ଯାଇ ଶାସକ ଦଳର ପ୍ରାର୍ଥୀମାନଙ୍କ ବିରୋଧରେ ନିଶ୍ଚୟ ପ୍ରଚାର କରିବି । ଯେଉଁଠି ବିଜେଡିକୁ ହରାଇବାକୁ ଥିବ ସେଠିକି ମତେ ଡାକିଲେ ମୁଁ ନିଶ୍ଚୟ ଯିବି । କଂଗ୍ରେସ କଥାଟା ମୁଁ କହିଲି, ବିଜେପି କଥାଟା ମୁଁ କହୁନାହିଁ ଏଇଥି ପାଇଁ ଯେ, ସେଠି ଗୋଟେଗୋଟେ ମାନସିକ ଦ୍ୱନ୍ଦ୍ୱ ଅଛି ସେ ଦ୍ୱନ୍ଦ୍ୱଟି ହେଉଛି ସ୍ୱର୍ଗତଃ ବିଜୁ ପଟ୍ଟନାୟକ ତାଙ୍କ ଜୀବଦଶା ଭିତରେ ବିଜେପି ସହ ହାତ ମିଳାଇବାକୁ ଚାହୁଁ ନ ଥିଲେ । ୧୯୮୯ରେ ଯେତେବେଳେ ଭିପି ସିଂହ ନେତୃତ୍ୱ ନେଉଥିଲେ ସେତେବେଳେ ବିଜୁ ବାବୁଙ୍କ ପାଖରେ ପଇସା ନ ଥିଲା । ମୁଁ ତାଙ୍କ ପାଖରେ ବସିଥିଲି । ବିଜୁ ବାବୁଙ୍କୁ ଭିପି ସିଂହ କହିଲେ ଯେ, ବିଜେପିକୁ କାହିଁକି କିଛି ଆସନ ନ ଦେବା । ସେମାନେ ଆର୍ôଥକ ଦୃଷ୍ଟିରୁ ସ୍ୱଚ୍ଛଳ ଅଛନ୍ତି ସେମାନେ ସହାୟତା କରିପାରିବେ । ଏକଥାରେ ବିଜୁ ବାବୁ ଭିପିସିଂହଙ୍କ ଉପରେ ବିରକ୍ତ ହୋଇଥିଲେ । ଯେଉଁମାନେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଛନ୍ତି ସେମାନଙ୍କୁ କିପରି ଟିକେଟ ଦେବି । ସେ ମନା କଲେ ବୋଲି ଡାକ୍ତର ରାଉତ କହିଛନ୍ତି ।
ବିଜେପି ସମ୍ପର୍କରେ ତାଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ସେ କହିଛନ୍ତି ମୁଁ ବିଜେପିକୁ ଖୋଲାଖୋଲି ସମର୍ଥନ ଦେବିନାହିଁ । ମୋ ବାଟରେ ମୁଁ ସମର୍ଥନ ଦେବି । ମୁଁ ବିଜେପିକୁ ସମର୍ଥନ କରୁଛି ବୋଲି କହିବିନି, ମୁଁ ପ୍ରାର୍ଥୀକୁ ସମର୍ଥନ କରିବି ।