କଂଗ୍ରେସ ସମର୍ଥନରେ ଲଢ଼ିବେ ଦାମ ଓ ପଞ୍ଚାନନ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଓ ନେତାଙ୍କ ଭିତରେ ପରିବର୍ତ୍ତନ ସେତିକି ବଢ଼ୁଥିବା ଦେଖାଯାଉଛି । କିଏ କେତେବେଳେ କେଉଁଦଳକୁ ଯିବେ ଓ କେଉଁଠି ରହିବେ ସେଥିନେଇ ମତ ମଧ୍ୟ ବଦଳିବାରେ ଲାଗୁଛି । ଏହି ରାଜନୈତିକ ପରିବର୍ତ୍ତନ ଭିତରେ ଯାହା ସୂଚନା ମିଳୁଛି ସେଥିରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଓ ପଞ୍ଚାନନ କାନୁନଗୋ ବର୍ତ୍ତମାନ କଂଗ୍ରେସ ଆଡ଼କୁ ଢଳୁଛନ୍ତି । ଏହି ଦୁଇ ନେତାଙ୍କ ମତରୁ ଜଣାପଡୁଛି ଉଭୟ କଂଗ୍ରେସ ସହ ରହିବା ପାଇଁ ଚାହୁଁଛନ୍ତି । କିନ୍ତୁ ଦଳରେ ମିଶିକି କିମ୍ବା ବାହାରୁ ରହି କଂଗ୍ରେସ ସମର୍ଥନରେ କାର୍ଯ୍ୟ କରିବେ ସେ କଥା ସ୍ପଷ୍ଟ କରିନାହାଁନ୍ତି । ହେଲେ ଯାହା ସେମାନଙ୍କ କାର୍ଯ୍ୟଧାରାରୁ ସୂଚନା ମିଳୁଛି ସେଥିରେ କଂଗ୍ରେସରେ ମିଶିବା ବଦଳରେ ସମର୍ଥନରେ ଲଢ଼ିବାକୁ ଚାହୁଁଛନ୍ତି । ମାତ୍ର ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ଖାରବେଳ ସ୍ୱାଇଁ ଏ କ୍ଷେତ୍ରରେ ମତ ସ୍ପଷ୍ଟ କରିନାହାଁନ୍ତି ।
ଡାକ୍ତର ରାଉତ ବହୁ ଘାଟରେ ପାଣି ପିଇବା ପରେ ଏବେ କଂଗ୍ରେସ ଆଡ଼କୁ ଢ଼ଳୁଥିବା ଦେଖାଯାଉଛି । ତାଙ୍କ କଥାବାର୍ତ୍ତାରୁ ଏହି ସୂଚନା ମିଳୁଛି । କଂଗ୍ରେସରେ ଯୋଗଦେବା କଥାକୁ ଅସ୍ୱୀକାର କରୁଛନ୍ତି । କିନ୍ତୁ କଂଗ୍ରେସ ସହ ରହିବା ପାଇଁ ମନା କରୁନାହାଁନ୍ତି । ଏହି ରାଜନୈତିକ ଘମାଘୋଟ ମଧ୍ୟରେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଡାକ୍ତର ରାଉତ କହିଛନ୍ତି କଂଗ୍ରେସ ସହ ବିଜୁ ବାବୁଙ୍କର ଆଦର୍ଶଗତ ମତଭେଦ କିଛି ନ ଥିଲା । ବିଜୁ ବାବୁ ଜଣେ ପ୍ରମୁଖ କଂଗ୍ରେସ ନେତା ଥିଲେ । କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ଥିଲାବେଳେ ଓଡ଼ିଶାର ଯାହା ବିକାଶ ହୋଇଛି ସେ ସବୁ ବିକାଶ କାମ ସେ କରିଥିଲେ । କିନ୍ତୁ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମୃତ୍ୟୁ ହେଲା ପରେ ରାଷ୍ଟ୍ରୀୟ ଭାବନାକୁ ଛାଡ଼ି ଇନ୍ଦିରା ଗାନ୍ଧୀ ଯେଉଁ ଦଳୀୟ ସଂକୀର୍ଣ୍ଣ ଭାବନା ଆଣିଲେ ବିଜୁବାବୁ ସେଥିରେ ବିକ୍ଷୁବ୍ଧ ହୋଇ ଦଳ ଛାଡ଼ି ଆଂଚଳିକ ଦଳ ଗଢ଼ିଥିଲେ । ଆଂଚଳିକ ଦଳ ଗଢ଼ିଳା ପରେ କେନ୍ଦ୍ର ଅବହେଳା ବିରୋଧରେ ଯେତେବେଳେ ଯୁକ୍ତି କରୁଥିଲେ ସେତେବେଳେ ପରୋକ୍ଷରେ କଂଗ୍ରେସ ବିରୋଧରେ କହୁôଥିଲେ । ଏଣୁ କଂଗ୍ରେସ ବିରୋଧରେ ରାଜନୀତି କରୁଥିବା ଲୋକମାନେ ଯେଉଁମାନେ ବିଜେଡି ଛାଡ଼ିଛନ୍ତି ସେମାନେ ହଠାତ କଂଗ୍ରେସକୁ ଫେରିଯିବାକୁ ଚାହୁଁନାହାଁନ୍ତି କୁଣ୍ଠାବୋଧ କରୁଛନ୍ତି । ମୋର କୁଣ୍ଠାନାହିଁ । ମୁଁ ଅନ୍ୟମାନଙ୍କ କଥା କହୁଛି । ସେମାନେ କୁଣ୍ଠାବୋଧ କରିବା ଫଳରେ ତାହା ସଫଳ ହେଉନାହିଁ ବୋଲି ସେ ମତ ରଖିଛନ୍ତି । ଏଥିରୁ ଡାକ୍ତର ରାଉତ ସୂଚନା ଦେଉଛନ୍ତି ଯେ, କଂଗ୍ରେସ ସହ ଯିବାରେ ତାଙ୍କର କୌଣସି ଅସୁବିଧା ନାହିଁ । ମେଣ୍ଟ କରାଯାଇ କଂଗ୍ରେସ ସହ ବୁଝାମଣା କରି ନିର୍ବାଚନକୁ ଗଲେ ତାଙ୍କର ସମସ୍ୟାନାହିଁ । କିନ୍ତୁ କଂଗ୍ରେସକୁ ବିରୋଧ କରି ଆରମ୍ଭରୁ ନିର୍ବାଚନ ଲଢ଼ିଆସିଥିବା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବ୍ରଜକିଶୋର ତ୍ରିପାଠୀ, ବୈଜୟନ୍ତ ପଣ୍ଡା ଓ ଖାରବେଳ ସ୍ୱାଇଁଙ୍କ ପାଇଁ ସମସ୍ୟା ରହୁଥିବା ସେ ପରୋକ୍ଷରେ ଜଣାଇବାକୁ ଚାହୁଁଛନ୍ତି ।
ଏହି ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଭାବେ ପରିଚିତ ବରିଷ୍ଠ ନେତା ପଂଚାନନ କାନୁନଗୋଙ୍କ ମତ ହେଉଛି ବିଜେଡିର ବିରୋଧୀ ନୁହେଁ ବିଜେପି । ଏକଥା ମୁଁ ବାରମ୍ବାର କହୁଛି, ଆଜି ବି କହୁଛି । ବିଜେପି-ବିଜେଡିର ଗୋଟିଏ ଭିତିରିଆ ମେଣ୍ଟ ଦିଲ୍ଲୀରେ ହୋଇଛି । ଉଭୟଙ୍କ ଭିତରେ ବୁଝାମଣା ରହିଛି । ଯେପରି ତେଲେଙ୍ଗାନାରେ ବିଜେପି ଓ ଟିଆରଏସର ହୋଇଥିଲା । କିନ୍ତୁ କଂଗ୍ରେସର କୌଣସି ସମ୍ପର୍କ ବିଜେଡି ସହ ନାହିଁ । ଗାଁ ଗହଳିରେ ସବୁଆଡ଼େ କଂଗ୍ରେସ ଓ ବିଜେଡି ଭିତରେ ବିବାଦ ରହିଛି । ଆଗେ ସମସ୍ତେ ଏକାଠି ହେବା ପରେ ତାହାପରେ କଣ କରାଯିବା କଥା ଚିନ୍ତା କରାଯିବ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।
ଏଥିରେ ଆଉଗୋଟିଏ ସୂଚନା ମିଳିଛି ଯଦି ମେଣ୍ଟ ହୋଇ ନ ପାରେ କି ବିଜେଡି ଛାଡ଼ିଥିବା ବିଜୁ ଅନୁଗତମାନେ ଏକାଠି ହୋଇ ନ ପାରନ୍ତି ତେବେ ଭିନ୍ନ ସ୍ଥିତି ଦେଖାଦେବ । ଡାକ୍ତର ରାଉତ ଓ ଶ୍ରୀ କାନୁନଗୋ ଆସନ୍ତା ୨୦୧୯ ନିର୍ବାଚନରେ କଂଗ୍ରେସ ସହଯୋଗରେ ନିର୍ବାଚନ ଲଢ଼ିବେ । ବ୍ରଜକିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତୀ ମଧ୍ୟ କଂଗ୍ରେସ ସହ ବୁଝାମଣାରେ ଯିବ ବୋଲି କୁହାଯାଉଛି ।