ଗଜପତିରେ ତିତଲିର ତାଣ୍ଡବ, ଯୋଗାଯୋଗ ହେଲା ବିଚ୍ଛନ୍ନ

ଭୁବନେଶ୍ବର : ବର୍ତ୍ତମାନ ବାତ୍ୟା ତିତଲି ସ୍ଥଳଭାଗ ଛୁଇଁବା ପରେ ଅନେକ ସ୍ଥାନରେ କ୍ଷତି କରିଥିବା ସୂଚନା ମିଳିଛି । ଓଡିଶାର ଗୋପାଳପୁର ଓଗଜପତି ବିଶେଷ ଭାବରେ ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଶ୍ରୀ ସେଠୀଙ୍କ ସୂଚନା ମତାବକ,ଗଜାଂମ, ଗଜପତି ଓ ପୁରୀରେ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି । ଏହାସହ ବର୍ତମାନ ସମୟରେ ବାତ୍ୟା ପଶ୍ଚିମବଙ୍ଗ ମୁହାଁ ହୋଇଛି । ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର(୧୦୭୦) ମଧ୍ୟ ଜାରି କରାଯିବା ସହ ରାଜ୍ୟରେ ବର୍ତମାନ ସମୟରେ କୌଣସି ସ୍ଥାନରେ ବନ୍ୟା ଆଶଙ୍କା ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି । ଗଜାଂମ ରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସମୟରେ ଗଜପତିରେ ଅନେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି । ସ୍ଥଳଭାଗ ଛୁଇଁବା ସମୟରେ ସର୍ବାଧିକ ୧୬୫ କିମି ବେଗରେ ପବନ ହୋଇଥିବା ସେ କହିଛନ୍ତି । ବିଦ୍ୟୁତ ଓ ପରିବହନ ବାଧା ପ୍ରାପ୍ତ ହେବା ସହ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନ ଥିବା ଶ୍ରୀ ସେଠୀ କହିଛନ୍ତି । ଏହାସହ ବର୍ତମାନ ସମୟରେ କାହାର ମୃତ୍ୟୁ ହୋଇନାହିଁ । ବାତ୍ୟାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୋପାଳପୁରଠାରେ ଘଣ୍ଟାପ୍ରତି ୧୨୬ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି । ତେବେ ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜ୍‌ବେଷ୍ଟସ୍‌ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହା ସହ ଭଞ୍ଜନଗର, ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଗଛ ଉପୁଡି ପଡିଲାଣି । ଅଟୋ, କାର ସମେତ କିଛି ଘର ମଧ୍ୟ ନଷ୍ଟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ବ୍ରହ୍ମପୁର ନୀଳକଣ୍ଠ ନଗରର ବିଦ୍ୟୁତ୍‌ ଟ୍ରାନ୍ସଫରମର ବିସ୍ଫୋରଣ ଘଟିଛି । ଏଥିସହିତ ଗଜପତି, କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here