କଟକ ଜିଲ୍ଲା ବିଜେଡିରେ କେଁ: ଅନିଶ୍ଚିତାରେ ଏକାଧିକ ବିଧାୟକ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକ୍ରୀୟାକୁ ନେଇ ବର୍ତ୍ତମାନ ରାଜନୀତିକ ହୋ ହଲ୍ଲା ଚାଲିଛି । ଅନେକ ଆସନର ଦଳୀୟ ବିଧାୟକଙ୍କୁ ବିଜେଡି ବାଦ ଦେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏଥିରେ କଟକ ଜିଲ୍ଲାରେ ବିଜେଡିର ଦବଦବା ରହିଆସିଛି । ଏଠାରେ ବିରୋଧୀ ପଶିବା କଷ୍ଟକର ହେଉଛି । ଏହି ଧାରାକୁ ବଜାଇ ରଖିବା ପାଇଁ ବିଜେଡି ଅତି ସତର୍କତାର ସହ କାର୍ଯ୍ୟ କରିବାକୁ ଯାଉଥିବା କୁହାଯାଉଛି । ଜିଲ୍ଲାର ୮ଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ଛାଡ଼ିଦେଲେ ଆଉ ୭ଟି ବିଜେଡି ଅଧିନରେ ରହିଛି ।
ସାଲେପୁର ବିଧାନସଭା ଆସନ କଂଗ୍ରେସ ଅଧିନରେ ରହିଛି । ପ୍ରକାଶ ବେହେରା ବିଧାୟକ ଅଛନ୍ତି । ଆସନ୍ତା ନିର୍ବାଚନ ପାଇଁ ତାଙ୍କୁ ବିଜେଡି ଆଣି ପ୍ରାର୍ଥୀ କରିବା ପାଇଁ ଯୋଜନା ଜାରି ରଖିଛି । ଏଥିରେ ସଫଳ ନହେଲେ ପ୍ରଶାନ୍ତ ବହେରାଙ୍କୁ ଦଳ ପ୍ରାର୍ଥୀ କରିପାରେ ।
ମାହାଙ୍ଗା ବିଧାନସଭା ଆସନରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦଳ ପୁଣି ପ୍ରାର୍ଥୀ କରିବ । କୁହାଯାଉଥିଲା ସେ କୁଆଡ଼େ କଟକ-ବାରବାଟୀ ଆସନରେ ଆସି ଲଢ଼ିବେ । କିନ୍ତୁ ସେ ମାହାଙ୍ଗା ଛାଡ଼ିବାକୁ ନାରାଜ ।
କଟକ ସଦରରେ ବର୍ତ୍ତମାନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବିଧାୟକ ଅଛନ୍ତି । ଏଠାରେ ବିଜେଡିର ସ୍ଥିତି ଟିକିଏ ଖରାପ ଆଡ଼କୁ ଗତି କରିଛି । ତୃଣମୂଳସ୍ତରରେ ଚନ୍ଦ୍ରସାରଥୀଙ୍କ ପ୍ରତି ଅନାଗ୍ରହ ଦେଖାଦେଇଥିବା କଥା କେହି କେହି ଆଲୋଚନା କରୁଛନ୍ତି । କିନ୍ତୁ ଚନ୍ଦ୍ରସାରଥୀ ବର୍ତ୍ତମାନ କ୍ଷମତା କେନ୍ଦ୍ରର ଶୁଭଦୃଷ୍ଟିରେ ଅଛନ୍ତି । ଏଣୁ ବିଜୟ ସମ୍ଭାବନାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ତାଙ୍କୁ ଆବଶ୍ୟକ ପଡ଼ିଲେ କଟକ ସଦର ବଦଳରେ ଯଦି ପ୍ରକାଶ ବେହେରା ନ ଆସନ୍ତି ତେବେ ସାଲେପୁରରେ ପ୍ରାର୍ଥୀ କରାଯାଇପାରେ, ଏକଥା ମଧ୍ୟ କୁହାଯାଉଛି ।
ଚୌଦ୍ୱାର-କଟକରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଲୋକପ୍ରିୟତାରେ କୌଣସି ମଳିନ ପଡ଼ିନାହିଁ । ସେ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବା ସହ ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି । କିନ୍ତୁ ଚିଟଫଣ୍ଡ ଦୁର୍ନୀତି ଘଟଣାକୁ ନେଇ ତାଙ୍କୁ ବାଦ ଦିଆଯାଇପାରେ ବୋଲି କୁହାଯାଉଛି । ତାଙ୍କ ବଦଳରେ ତାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରାଯିବା କଥା ମଧ୍ୟ ଉଠୁଛି । ଏହା ନ ହେଲେ ସେଠାରୁ ପ୍ରଭାତ କିମ୍ବା ତାଙ୍କ ସମର୍ଥନରେ ବିଜେଡି ଜିିିତିବା କଷ୍ଟକର ହୋଇପଡ଼ିବ ବୋଲି ଆଲୋଚନା ହେଉଛି । ପ୍ରଭାତ ପୂର୍ବରୁ ସ୍ୱାଧୀନଭାବେ ଲଢ଼ି ବହୁ ଭୋଟରେ ଜିତିଥିଲେ । ବିଜେଡି-ବିଜେଡି ମେଣ୍ଟ ଥାଇକି ବି ଫେଲ ମାରିଥିଲେ । ଯଦି ପ୍ରଭାତଙ୍କୁ ଏଥର ନ ଦେଲେ କି ତାଙ୍କ ପରିବାରକୁ ନ ଦେବେ ତାହାହେଲେ ଦଳପାଇଁ ଆତ୍ମଘାତୀ ହେବ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।
କଟକ-ବାରବାଟୀ ବିଧାୟକ ଦେବାଶିଷ ସମାନ୍ତରାୟ ପାରାଦୀପ ଯିବେ ବୋଲି କୁହାଯାଉଛି । ଯଦି ସେ ପାରାଦୀପ ଯାଆନ୍ତି ତେବେ ସେଠାରେ ନୂଆ ପ୍ରାର୍ଥୀ ଦିଆଯିବ । ବର୍ତ୍ତମାନ ଏହି ନିର୍ବାଚନମଣ୍ଡଳୀରେ ଦଳୀୟ ଲୋକମାନେ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି । କାରଣ ଦେବାଶିଷ ଯିବେ କି ନାହିଁ ତାହା ସ୍ପଷ୍ଟ ହେଇପାରୁନାହିଁ । ଯଦି ଦେବାଶିଷ ଯିବେ ତେବେ ଏଠାରେ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ କିମ୍ବା ପ୍ରଭାତ ତ୍ରିପାଠୀଙ୍କ ପୁଅ କିମ୍ବା ସୁବାସ ସିଂହଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଶୁଣାଯାଉଛି ।
ବାଙ୍କୀ ବିଧାନସଭା ଆସନରେ ଦଳର ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଏଥର ପ୍ରାର୍ଥୀ ନ କରିବା ପାଇଁ ତାଙ୍କୁ ଏକ ପ୍ରକାର ସୂଚନା ଦିଆଯାଇ ସାରିଲାଣି । କିନ୍ତୁ ପ୍ରଭାତଙ୍କର ସେଠାରେ ଲୋକପ୍ରିୟତା ବହୁ ଅଧିକ । ଚିଟଫଣ୍ଡ ଦୁର୍ନୀତି ଘଟଣାକୁ ଆଧାର କରି ଦଳ ପ୍ରଭାତଙ୍କୁ ପ୍ରାର୍ଥୀ ନ କରିବା ପାଇଁ ଚାହୁଁଛି । ପ୍ରଭାତଙ୍କ ବଦଳରେ ତାଙ୍କ ପୁଅଙ୍କୁ ସେଠାରୁ ପ୍ରାର୍ଥୀ କରିବା ପାଇଁ ଦଳ ଚାହୁଁଥିବା କୁହାଯାଉଛି । ହେଲେ ପ୍ରଭାତଙ୍କ ପୁଅ ଏଥିରେ ରାଜନୁହଁନ୍ତି । ସେ ପ୍ରଥମେ କଟକ-ବାରବାଟୀ ଆସନ କଥା କହୁଛନ୍ତି । ଏବେ କୁହାଯାଉଛି ପ୍ରଭାତଙ୍କ ପୁଅ କୁଆଡ଼େ ଆଉ ପ୍ରାର୍ଥୀ ହେବା ପାଇଁ ରାଜି ହେଉନାହାଁନ୍ତି । ଏ କ୍ଷେତ୍ରରେ ପ୍ରଭାତଙ୍କୁ ପ୍ରାର୍ଥୀ ନ କରି ବାଙ୍କୀରୁ ଅନ୍ୟ କାହାକୁ ପ୍ରାର୍ଥୀ କଲେ ପ୍ରଭାତ ସମର୍ଥନ ଦେବେନାହିଁ । ଏପରି କି ଦୀର୍ଘଦିନ ହେଲା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଜଡ଼ିତ ହୋଇ ରହିଥିବାରୁ ସେ ସ୍ୱାଧୀନ ଭାବେ ଲଢ଼ିବା ସମ୍ଭାବନା ଅଧିକ । ଯାହାଫଳରେ କି ବିଜେଡି ପାଇଁ କାଳ ହେବ ବୋଲି କୁହାଯାଉଛି ।
ଆଠଗଡ଼ ବିଧାନସଭା ଆସନରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା)ଙ୍କୁ ବଦଳାଇବା ପାଇଁ ଗୋଟିଏ ଗୋଷ୍ଠୀ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଅବଶ୍ୟ ଲଗାତର ଭାବେ ଏହି ଆସନରୁ ଜିତି ଚାଲିଥିବା ଏବଂ ଏକଦା ଜାନକୀ ବଲ୍ଲାଭ ପଟ୍ଟନାୟକଙ୍କ ଭଳି ବର୍ଷିଆନ ନେତାଙ୍କୁ ହରାଇଥିବା ରାଜାଙ୍କର ଏହା ଭିତରେ ନିର୍ବାଚନମଣ୍ଡଳୀରେ କିଛି ବିରୋଧୀ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ଏହାକୁ ସୁଯୋଗ କରି ଗୋଟିଏ ଗୋଷ୍ଠୀ ଅଭୟ ବାରିକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । କିନ୍ତୁ ରାଜାଙ୍କୁ ପ୍ରାର୍ଥୀ ନ କଲେ ଏଠାରେ ଦଳ ଘାଟାରେ ପଡ଼ିପାରେ ବୋଲି କୁହାଯାଉଛି ।
ବଡ଼ମ୍ବା ବିଧାନସଭା ଆସନର ଦଳୀୟ ବିଧାୟକ ଦେବି ପ୍ରସାଦ ମିଶ୍ରଙ୍କର ସ୍ଥିତି ଭଲ ନ ଥିବା କଥା ଅନେକ ମତ ରଖୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ବହୁ ଘାଟା ସହିବାକୁ ପଡ଼ିଥିଲା । ତାଙ୍କ ବିରୋଧରେ ଦଳ ଭିତରେ ଏକ ଗୋଷ୍ଠୀ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି । କିନ୍ତୁ ସେ ଦଳର ଉପସଭାପତି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି । କିନ୍ତୁ ତାଙ୍କୁ ଛାଡ଼ିଦେଲେ ବଡ଼ମ୍ବାରେ ସେଭଳି ଆଖିଦୃଶିଆ କେହି ନେତା ନ ଥିବା କଥା ମଧ୍ୟ କୁହାଯାଉଛି । ହେଲେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ହିଁ ପ୍ରାର୍ଥୀ କରିବ ଏକଥା ବି ଆଲୋଚନା ହେଉଛି ।