କଂଗ୍ରେସ ବାମପନ୍ଥୀଙ୍କୁ ଭୁବନେଶ୍ୱର ଓ ଆସିକା ଲୋକସଭା ଆସନ ଛାଡ଼ିବ!

ବିଧାନସଭା ପାଇଁ କେଁ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ବାମପନ୍ଥୀ ଓ ସମଭାବାପନ୍ନ ଦଳମାନଙ୍କ ସହ ମେଣ୍ଟ ଓ ଆସନ ବୁଝାମଣା କରିବା ପାଇଁ ଉଦ୍ୟମ ଜାରି ରଖିଛି । ସିପିଆଇ ଓ ସିପିଏମ ସହ ଇତିମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ଉଭୟ ଦଳ ଦୁଇ ଲୋକସଭା ଓ ପ୍ରାୟ ୧୫-୨୦ଟି ବିଧାନସଭା ଆସନ ପାଇଁ ଦାବି ରଖିଥିବା କୁହାଯାଉଛି । ବାମପନ୍ଥୀ ଦଳ ଏଥର କଂଗ୍ରେସ ସହ ଯିବେ ବୋଲି ଏକ ପ୍ରକାର ଘୋଷଣା କରିସାରିଛନ୍ତି । କଂଗ୍ରେସ ମଧ୍ୟ ଏକାକୀ ନ ଯାଇ ମେଣ୍ଟ ମାଧ୍ୟମରେ ଯିବା ପାଇଁ ଚାହୁଁଛି । ଆସନ୍ତା ନିର୍ବାଚନରେ କିପରି କ୍ଷମତାକୁ ଫେରିବ ସେ ନେଇ ଚାଲିଛି ଯୋଜନା । ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପର୍ଯ୍ୟାୟରେ ଦଳମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । କେବଳ ସିପିଆଇ-ସିପିଏମ ନୁହଁ ଜେଏମଏମ ସହ ମଧ୍ୟ ଆଲୋଚନା ହୋଇଛି । ସେମାନଙ୍କ ପ୍ରସ୍ତାବକୁ ଏଆଇସିସି ପାଖରେ ରଖାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ହେଲେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେଉଁ କେଉଁ ଆସନ ସେମାନଙ୍କୁ ଛାଡ଼ିବ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ଏଭଳି କିଛି ଆସନ ଅଛି ଯାହାକୁ ଦଳ ଛାଡ଼ିବା ପାଇଁ ସମସ୍ୟା ହେବ । କିନ୍ତୁ ବାମପନ୍ଥୀ ଦଳ ସେସବୁ ଆସନରେ ଜିଦ ଧରୁଛନ୍ତି ।

ପ୍ରାରମ୍ଭିକ ଆଲୋଚନା ପରେ ଯାହା ସୂଚନା ମିଳିଛି ସେଥିରେ ଲୋକସଭା ଆସନ ଲାଗି ସିପିଆଇ, ସିପିଏମ୍ ଯେଉଁ ଦାଦବି କରୁଛନ୍ତି ତାହା କଂଗ୍ରେସ ଏକ ପ୍ରକାର ମାନି ନେବାକୁ ପ୍ରସ୍ତୁତ ଅଛି । ସମସ୍ୟା ରହିଛି ବିଧାନସଭା ଆସନରେ । ଯାହା କୁହାଯାଉଛି ସିପିଏମ୍ ଭୁବନେଶ୍ୱର ଓ ସିପିଆଇ ଆସ୍କା ଲୋକସଭା ଆସନ ଦାବି କରୁଛି । ଏହି ଦୁଇ ସ୍ଥାନରେ କଂଗ୍ରେସ ସେଭଳି କେହି ଟାଣୁଆ ନୋତ ନାହାଁନ୍ତି ଯେ, ବିଜେଡିକୁ ମୁକାବିଲା କରିଲା ଭଳି ପ୍ରାର୍ଥୀ ହୋଇପାରିବେ । ଏଣୁ ଏ ଦୁଇ ଆସନ ଛାଡ଼ିଦେବା ପାଇଁ କଂଗ୍ରେସକୁ ସମସ୍ୟା ହେବନାହିଁ । ସିପିଏମ ଭୁବନେଶ୍ୱରରେ ଜନାର୍ଦ୍ଦନ ପତିଙ୍କୁ ଓ ସିପିଆଇ ଆସ୍କାରେ ରାମଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ କରିବାର ସୂଚନା ରହିଛି । ସିପିଏମ ସବୁବେଳେ ଭୁବନେଶ୍ୱର ଆସନ ମେଣ୍ଟ ସମୟରେ ଦାବି କରିଥାଏ । ଏଠାରୁ ସିବାଜୀ ପଟ୍ଟନାୟକ ସିପିଏମରୁ ପ୍ରାର୍ଥୀ ହୋଇ ବିଜୁ ପଟ୍ଟନାୟକଙ୍କ ସମୟରେ ଏକାଧିକବାର ଜିତିଛନ୍ତି । ସିପିଆଇ ଜଗତସିଂହପୁର ଆସନ ଉପରେ ସବୁବେଳେ ନଜର ରଖିଥାଏ । ପୂର୍ବରୁ ମେଣ୍ଟ କରି ସିପିଆଇ ଜଗତସିଂହପୁର ଆସନ ମଧ୍ୟ ଜିତିଛି । ଲୋକନାଥ ଚୌଧୁରୀଙ୍କ ପରେ ବିଭୁ ତରାଇ ଲୋକସଭାକୁ ଜଗତସିଂହପୁରରୁ ନିର୍ବାଚିତ ହୋଇଛନ୍ତି । ଏବେ ବିଭୁ ତରାଇ ଆସି କଂଗ୍ରେସରେ ଯୋଗ ଦେଇ ସାରିଛନ୍ତି । ଜଗତସିଂହପୁର ଜିଲ୍ଲାରେ ସିପିଆଇର ଭଲ ପ୍ରଭାବ ଥିଲା । ଏଥିରେ ଟିକିଏ ଏବେ ଭଟ୍ଟା ପଡ଼ିଛି । ହେଲେ ଦଳ ପାଖରେ ସେଭଳି କୌଣସି ଟାଣୁଆ ନେତା ନ ଥିବା କଥା କୁହାଯାଉଛି । ସେଥିପାଇଁ ଆସିକା ଲୋକସଭା ଉପରେ ଦଳ ଆଖି ରଖିଛି ।
ବିଧାନସଭା କ୍ଷେତ୍ରରେ ସିପିଏମ ପ୍ରାୟ ୮ଟି ଆସନ ନେବାପାଇଁ କୁଆଡ଼େ ପ୍ରସ୍ତାବ ରଖିଛି । ଏଥିରେ ବାଲେଶ୍ୱର ଜିଲ୍ଲାରେ ସବୁଠାରୁ ଅଧିକ ଆସନ ରହିଛି । ନୀଳଗିରି, ରେମୁଣା ଓ ଭୋଗରାଇ ଏବଂ ମାଲକାନଗିରି ଜିଲ୍ଲାର ମାଲକାନଗିରି ଦାବି କରୁଛି । ସିପିଏମର ବଣେଇର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଥିଲେ ମଧ୍ୟ ଏହି ଆସନ ପ୍ରତି ଦଳ ଅଧିକ ଗୁରୁତ୍ୱ ଦେଉ ନ ଥିବା କଥା କୁହାଯାଉଛି । ଏହାଛଡ଼ା ଅନ୍ୟ କେତେକ ସ୍ଥାନରେ ମଧ୍ୟ ଦଳ ଆସନ ଦାବି କରୁଛି ।
ସିପିଆଇ ପ୍ରାୟ ୧୨ଟି ଆସନ ଦାବି କରୁଥିବା କୁହାଯାଉଛି । ନୟାଗଡ଼, ବୋଲଗଡ଼, ଛାତ୍ରପୁର ପ୍ରଭୃତି ଆସନ ଦାବି କରୁଥିବା ଜଣାପଡ଼ିଛି ।
ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିବାକୁ ଯାଉଛି । ଆଜି ସେମାନଙ୍କ ସହ ପୁଣି ଆଲୋଚନା କରାଯାଇ ମତାମତ ନିଆଯିବ ବୋଲି ଜଣାପଡ଼ିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ସଦସ୍ୟ ଅଛନ୍ତି । ଏମାନଙ୍କୁ ଦଳପକ୍ଷରୁ ମେଣ୍ଟ ପାଇଁ ଦାୟିତ୍ୱ ଦିଆଯାଇଛି ।

ବିଜେପିକୁ ନେଇ ଖାରବେଳ ଓ ଦାମଙ୍କ ଭିନ୍ନମତ