ଲୁଟର ଅଭିନବ ପ୍ରୟାଶ ମାରିଲା ଫେଲ୍, ପ୍ରେମ ଜାଲରେ ଫସାଇ ଥାନାରେ ଦମ୍ପତ୍ତି, ପଢନ୍ତୁ କଣ ପୂରା ଖବର…

ପୁରୀ : ଲୁଟ ପାଇଁ ଅଭିନବ ବାଟ ବାଛିବା ପଡିଲା ମହଙ୍ଗା ଜଣେ ଦମ୍ପତ୍ତିକୁ | ଇଞ୍ଜିନିୟରିଂ ଛାତ୍ରଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ସୁନା ଚେନ୍‌ ଓ ୫ ହଜାର ଟଙ୍କା ଲୁଟିନେବା ଅଭିଯୋଗରେ ଟାଉନ ଥାନା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ତେବେ ଥାନାରେ ଅଟକ ଥିବା ଏହି ମହିଳା ଜଣକ ଫିନାଇଲ ପିଇ ଦେବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି । ଗିରଫ ଦମ୍ପତି ଦ୍ୱୟ ହେଲେ କୁମ୍ଭାରପଡ଼ା ଥାନା ସିଦ୍ଧମହାବୀର ଅଞ୍ଚଳର ୨୩ବର୍ଷିୟ ସନ୍ତୋଷ ଦାସ ଓ ତାଙ୍କ ୨୦ବର୍ଷିୟା ପତ୍ନୀ ରିଆ ଦାସ । ସୁଚନାରୁ ପ୍ରକାଶ, ଜଣେ ଏହି ଦମ୍ପତି ଯୁବକମାନଙ୍କୁ କୌଶଳକ୍ରମେ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍‌ମେଲିଂ କରି ଲୁଟିଥାନ୍ତି ବୋଲି ପୁଲିସ କହିଛି । ସେମାନଙ୍କ ଠାରୁ ଏକ ଖେଳଣା ବନ୍ଧୁକ, ଛୁରି, ସ୍କୁଟର, ଦୁଇଟି ମୋବାଇଲ ଓ ସୁନାଚେନ୍ ଜବତ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ସନ୍ତୋଷଙ୍କ ପତ୍ନୀ ରିଆ ବିଭିନ୍ନ ନମ୍ବରକୁ ଫୋନ କରି ଯୁବକମାନଙ୍କ ସହିତ ଯୋଗାଯୋଗ କରନ୍ତି । ମାସକ ତଳେ ରିଆ ଭୁବନେଶ୍ବରରେ ଜଣେ ୨୧ବର୍ଷିୟ ଇଞ୍ଜିନିୟରିଂ ଛାତ୍ର ଶଶୀଭୂଷଣ ଦାସଙ୍କୁ ଫୋନରେ ଯୋଗାଯୋଗ କରି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ରିଆ ତାଙ୍କୁ ପୁରୀକୁ ଡକାଇବାରୁ ଶଶୀଭୂଷଣ ଗତ ୨୧ ତାରିଖରେ ପୁରୀ ଟାଉନ ଥାନା ଅନ୍ତର୍ଗତ ନାରୀ ସେବା ସଦନଠାରେ ପହଞ୍ଚିଥିଲେ । ସେଠାରେ ରିଆଙ୍କ ସ୍ୱାମୀ ସନ୍ତୋଷ ପହଞ୍ଚି ପ୍ରେମିକା ପାଖରେ ପହଞ୍ଚାଇ ଦେବାକୁ କହି ଶଶୀଭୂଷଣଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା ଏବଂ ଏକ ଛୁରି ବାହାର କରି ଶଶୀଭୂଷଣଙ୍କ ବେକରୁ ସୁନା ଚେନ୍ ସହିତ ୫ ହଜାର ଟଙ୍କା ଲୁଟି ନେଇଥିଲା । ଏ ସମ୍ପର୍କରେ କାହାକୁ କହିଲେ ରେପ୍ କେସ୍‌ରେ ଫସାଇ ଦିଆଯିବ ବୋଲି ସନ୍ତୋଷ ଧମକ୍‌ ମଧ୍ୟ ଦେଇଥିଲା । ତେବେ ଏହାକୁ ଖାତିର ନକରି ଶଶୀଭୂଷଣ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ଗତକାଲି ସନ୍ତୋଷ ଓ ରିଆକୁ ଧରି ଆଣି ଥାନାରେ ଅଟକ ରଖିଥିଲା । ରାତି ପ୍ରାୟ ଗୋଟାଏ ବେଳକୁ ଥାନା କର୍ମଚାରୀଙ୍କ ଅଗୋଚରରେ ଟେବୁଲ ତଳେ ରଖାଯାଇଥିବା ଫିନାଇଲକୁ ରିଆ ପିଇ ଦେଇଥିଲେ । ଅସୁସ୍ଥ ହୋଇ ଛଟପଟ ହେବାରୁ ରିଆଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ରିଆ ସୁସ୍ଥ ହୋଇଥିବା ବେଳେ ଆଜି ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗିରଫ କରି ‌ପୁଲିସ କୋର୍ଟ ଚାଲାଣ କରିଛି । ତେବେ ଏପରି ଲଜ୍ଜ୍ୟଜନକ ଘଟଣା ଘଟାଇଥିବା ଏହି ଦମ୍ପତ୍ତିକୁ ନେଇ ଉକ୍ତ ଅଞ୍ଚଳରେ ନିନ୍ଦା ହେଉଥିବାର ଦେଖିବାକୁ ମିଳୁଛି |