ବିଜେଡିକୁ ଘେରିଲା କଂଗ୍ରେସ

  • ନରସିଂହ କହିଲେ ବିଜେପିର ବିଜେଡି ପ୍ରକୃତବନ୍ଧୁ

  • ନିରଞ୍ଜନ କହିଲେ ସିବିଆଇ ଭୟ ଘାରିଛି ବିଜେଡିକୁ

  • ବିଜେଡି କହିଲା ଆମେ ଜେଡିୟୁକୁ ସମର୍ଥନ ଦେଇଛୁ

  • ବିଜେପି କହିଲା ସାମ୍ବିଧାନିକ ପଦବୀକୁ ସମର୍ଥନ ମିଳିଛି

ଭୁନନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବା ଏବଂ ସମର୍ଥନ ନେଇ ଯେଉଁ କାରଣ ଦର୍ଶାଯାଉଛି ତାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି । ବିଜେଡି ମଧ୍ୟ ତାର ଜବାବ ରଖିଛି । ବିଜେପି ଏ କ୍ଷେତ୍ରରେ ରକ୍ଷଣାତ୍ମକ ଢ଼ଙ୍ଗରେ ପ୍ରତିକ୍ରୀୟା ରଖିଛି । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଉଠିଛି ।
ରାଜ୍ୟରାଜନୀତିରେ ବିଜେପି-ବିଜେଡି କଳି କାହାକୁ ଅଛପା ନାହିଁ । ସମସ୍ତେ ଏ ବିଷୟରେ ବେଶ ଅବଗତ ଅଛନ୍ତି । ଏ କ୍ଷେତ୍ରରେ ବିଜେପିକୁ ବିଜେଡିର ସମର୍ଥନ ତାକୁ ନେଇ ଉଠିଛି ପ୍ରଶ୍ନ । ବିଶେଷ କରି କଂଗ୍ରେସ ଏ ଘଟଣାରେ ବିଜେଡିକୁ କଡ଼ା ସମାଲୋଚନା କରିଛି । ରାଜ୍ୟସଭା ପାଇଁ ମିଳିତ ବିରୋଧୀଦଳର ପ୍ରାର୍ଥୀ ହୋଇଥିଲେ କଂଗ୍ରେସ ସାଂସଦ ବିକେ ହରିପ୍ରସାଦ । କିନ୍ତୁ ବିଜେଡି ବିରୋଧୀଙ୍କ ସହ ନ ରହି ଶାସକ ଏନଡିଏ ସହ ରହିଲା । ଏହାକୁ ନେଇ ବିଜେଡି ବିରୋଧରେ କଂଗ୍ରେସ ବିଶୋଦଗାର କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଜେଡି ତାର ସୁରକ୍ଷା ପାଇଁ ଏସବୁ କାର୍ଯ୍ୟକ୍ରମ ଗ୍ରହଣ କରିଛି । ସେ ସବୁବେଳେ ବିଜେପି ସହିତ ସାମିଲ ହୋଇଛନ୍ତି । ତାଙ୍କର ସବୁବେଳେ ସିବିଆଇର ଭୟ ରହିଛି । ସେଥିପାଇଁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ।
ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଜେପି ସବୁବେଳେ କହୁଥିଲା କଂଗ୍ରେସ ହେଉଛି ବିଜେଡିର ଆଶାବାଡ଼ି । ଏବେ ବିଜେପି-ବିଜେଡି ଉଭୟ କୁହନ୍ତୁ କିଏ କାହାର ଆଶାବାଡ଼ି । ଆମର ଗୋଟିଏ ଲୋକ କଥା ଅଛି ଯିଏ ପ୍ରକୃତ ବନ୍ଧୁ ସେ ଶ୍ମଶାନରେ ଯାଇ ଛିଡ଼ା ହୁଏ । ରାଜନୀତିକ ଇତିହାସ ଯଦି ଆମେ ଦେଖିବା ବିଜେପି ଦଳ ହେଉ କି ସରକାର ହେଉ ସେମାନେ ଯେତେବେଳେ ଯେଉଁ ଅସୁବିଧାର ସମ୍ମୁଖିନ ହୁଅନ୍ତି ଓ ତାଙ୍କ ଅବସ୍ଥା ଯେତେବେଳେ ଶଙ୍କଟାପନ୍ନ ହୁଏ ସେତେବେଳେ ବିଜେଡି ତାଙ୍କ ପାଖରେ ଛିଡ଼ା ହୁଏ ଓ ସାହାଯ୍ୟ ସହଯୋଗକରେ । କେଉଁ କାରଣରୁ କରନ୍ତି ତାହା ସେମାନେ ଜାଣିଥିବେ । କିନ୍ତୁ ବିଜେପି ସରକାରକୁ କେନ୍ଦ୍ରରେ ବଞ୍ଚାଇବା ପାଇଁ ସବୁବେଳେ ସେମାନେ ଆଗ୍ରହୀ । ଯେଉଁ ଜୟପ୍ରକାଶ ନାରାୟଣଙ୍କ କଥା ବିଜେଡି କହୁଛି ସେଥିରେ ଜୟପ୍ରକାଶ ନାରାୟଣଙ୍କ ନୀତି, ଆଦର୍ଶରେ କଣ ବିଜେପି ଅନୁପ୍ରାଣିତ ନ ଥିଲା? ସେହି ହିସାବରେ ବିଜେପି ହିଁ ବନ୍ଧୁ । ଜୟପ୍ରକାଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଜନତାଦଳ ବି ଥିଲା । ଏଣୁ ଜଣଙ୍କ କଥା କାହିଁକି ସେମାନେ କହୁଛନ୍ତି । ହରିବଂଶ ନାରାୟଣ ସିଂହ ହିଁ ବିଜେପି ଦଳ ଦ୍ୱାରା ମନୋନୀତ ପ୍ରାର୍ଥୀ । ସେ ଅନ୍ୟ ଦଳର ହୋଇପାରନ୍ତି ଏଣୁ ଏଭଳି ମିଛ କହିବାରେ କିଛି ଅର୍ଥନାହିଁ ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ବିଜୁ ଜନତା ଦଳ ବିଶ୍ୱାସକରେ ସାମ୍ବିଧାନିକ ପଦବୀ ଯଥା ବାଚସ୍ପତି ହୁଅନ୍ତୁ ବା ରାଜ୍ୟସଭା ଉପବାଚସ୍ପତି ପଦବୀ ହେଉ ଏସବୁ ପଦବୀ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ହେବା ଦରକାର । ନିର୍ବାଚନ ହେବା ଉଚିତ ନୁହେଁ । ଆମେ ଜନତାଦଳ ୟୁନାଇଟେଡ (ଜେଡିୟୁ)କୁ ସମର୍ଥନ ଜଣାଇଛୁ । ଆମେ କୌଣସି ରାଜନୀତିକ ଦଳକୁ ସମର୍ଥନ ଦେଇନାହୁଁ । ଜେଡିୟୁ ସହିତ ଆମର ବିଚାରଧାରାର ସମନ୍ୱୟ ରହିଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କର ଯେଉଁ ଆନ୍ଦୋଳନ ଥିଲା ସେଥିରେ ୨ଟି ଯାକ ରାଜନୀତିକ ଦଳ ଅନୁପ୍ରାଣିତ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଣ ବକ୍ତବ୍ୟ ଦେଇଛନ୍ତି ତାହା ସେ ଦେଇପାରନ୍ତି । କିନ୍ତୁ ବିଜୁ ଜନତାଦଳର ସ୍ପଷ୍ଟ ମତ ଆମେ ସମଦୂରତା କଥା କହୁଥିଲୁ, ସମଦୂରତା ରକ୍ଷା କରିଛୁ । ଆଗକୁ ମଧ୍ୟ ରହିବୁ । ଆମେ କେବଳ ସମର୍ଥନ ଦେଇଛୁ ଜେଡିୟୁକୁ ଓ ସାମ୍ବିଧାନିକ ପଦବୀକୁ ।
ସଂସଦୀୟ ଗଣତନ୍ତ୍ର ପରମ୍ପରା ଅନୁସାରେ ବିଜୁ ଜନତାଦଳ ବିଶ୍ୱାସ କରେ ଯେ, ସାମ୍ବିଧାନିକ ପଦବୀ ଯଥା- ବାଚସ୍ପତି ହୁଅନ୍ତୁ କି ରାଜ୍ୟସଭା ଉପାଧ୍ୟକ୍ଷ ହୁଅନ୍ତୁ ଏହି ପଦବିଗୁଡ଼ିକ ସର୍ମସମ୍ମତକ୍ରମେ ନିଷ୍ପତ୍ତି ହେବା ଦରକାର । ନିର୍ବାଚନ ହେବା କଥା ନୁହେଁ । ଶେଷ ପର୍ଯ୍ୟନ୍ତ ବିଜେଡି ଅପେକ୍ଷା କରିଥିଲା ସର୍ବସମ୍ମତକ୍ରମେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ । କିନ୍ତୁ ତାହା ହୋଇ ନ ଥିଲା । କଂଗ୍ରେସ ଏବଂ ଜେଡିୟୁ ଓ ବିଜୁଜନତାଦଳର ଯଦି ଆଭିମୁଖ୍ୟ ଦେଖିବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ ଯେଉଁ ଆନ୍ଦୋଳନ କରିଥିଲେ ସେଥିରେ ୨ ରାଜନୀତିକ ଦଳ ଅନୁପ୍ରାଣିତ । ଅନ୍ୟପଟରେ କଂଗ୍ରେସର ଯିଏ ପ୍ରାର୍ଥୀଥିଲେ ସେ ଓଡ଼ିଶାର ପ୍ରଭାରୀଥିଲେ । ସେ ସମୟରେ ବିଜେଡି ପ୍ରତି ଯେଭଳି କଟୁ ମନ୍ତବ୍ୟ ଦେଇଥିଲେ ତାହା ଓଡ଼ିଶାର ଜନସାଧାରଣ ଦେଖିଛନ୍ତି । ଏଣୁ ସବୁ ଦିଗରୁ ଚିନ୍ତା କରି ବିଜେଡି ନିଷ୍ପତ୍ତି କଲା ଜେଡିୟୁ ପ୍ରାର୍ଥୀକୁ ସମର୍ଥନ ଜଣାଇବାପାଇଁ । ଆମେ ଜେଡିୟୁ ସମର୍ଥନ ଜଣାଇଛୁ । ଅନ୍ୟ କୌଣସି ରାଜନୀତିକ ଦଳକୁ ନୁହେଁ । ଜେଡିୟୁ ସହିତ ଆମର ବିଚାରଧାରାରେ ସମନ୍ୱୟ ରହିଛି । ଆମେ ରାଜନୀତିକ ଦିଗକୁ ଅନଉନାହୁଁ । ଆମେ ଦେଖୁଛୁ ଆମର ଅଭିମୁଖ୍ୟ ଯାହା ରହିଛି ଓ ଯେଉଁ ଚିନ୍ତାଧାରା ଏବଂ ଆଦର୍ଶ ଜେଡିୟୁ ସହିତ ରହିଛି ତାହା ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଅନୁପ୍ରାଣିତ । ବିଜେଡି ୨୦୦୯ରୁ ଯେଉଁ ସମଦୂରତା ରକ୍ଷା କରି ଆସିଛି ତାହା ବଜାୟରହିବ । ଏହି ସମର୍ଥନ କେବଳ ଜେଡିୟୁ ପାଇଁ ବୋଲି ଶ୍ରୀ ପାତ୍ର କହିଛନ୍ତି ।
କିନ୍ତୁ ବିଜେପି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ରକ୍ଷଣାତ୍ମକ ଭୂମିକା ଗ୍ରହଣ କରି ମାପିଚୂପି ମତ ରଖିଛି । ପାର୍ଲାମେଣ୍ଟରେ ଅନାସ୍ଥାପ୍ରସ୍ତାବ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ବିଜେଡି ପରୋକ୍ଷ ସମର୍ଥନ ଜଣାଇ ଗୃହରୁ କକ୍ଷ ତ୍ୟାଗ କରିଥିଲା ସେ ସମୟରେ ବିଜେଡିକୁ ବିଜେପି କଡ଼ା ସମାଲୋଚାନ କରି ଦୋମୁହାଁ ନୀତି ଆପଣାଉଥିବା କଥା କହିଥିଲା । କିନ୍ତୁ ଏବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ କ୍ଷେତ୍ରରେ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ସ୍ୱର ନରମ କରି କହିଛନ୍ତି ଏକ ସାମ୍ବିଧାନିକ ପଦବୀ ପାଇଁ ଏହି ନିର୍ବାଚନ ଥିଲା । ପ୍ରଧାନମନ୍ତ୍ରୀ ଯେଉଁ ସବକା ସାଥ ସବକା ବିକାଶର ଯେଉଁ ନାରା ଦେଉଛନ୍ତି ସେଥିରୁ ଏହି ସାମ୍ବିଧାନିକ ପଦବୀ ପାଇଁ ସହଯୋଗ କରିବାକୁ ସବୁ ରାଜନୀତିକ ଦଳକୁ ଅନୁରୋଧ କରିଥିଲେ । ଅଧିକାଂଶ ରାଜନୀତିକ ଦଳ ସମର୍ଥନ କରିଛନ୍ତି । ଏହା କୌଣସି ଦଳକୁ ନୁହେଁ ସାମ୍ବିଧାନିକ ପଦବୀକୁ ସମର୍ଥନ ବିଷୟଥିଲା । ଜଣେ ଯୋଗ୍ୟ ପ୍ରାର୍ଥୀଙ୍କର ବିଜୟ ହୋଇଛି । କିନ୍ତୁ ବିଜେପିର ରାଜ୍ୟରେ ଗତକାଲି ଯାହା ଭୂମିକା ଥିଲା ଓ ଆଜି ବି ସେହି ଭୂମିକା ରହିଛି ରହିବ । ରାଜ୍ୟରେ ଏକ ପ୍ରତାରଣାପ୍ରୂ୍ଣ୍ଣ ସରକାର ଚାଲିଛି । ଏହା ବିରୋଧରେଆମର ଲଢ଼େଇ ଜାରି ରହିବ । କଂଗ୍ରେସ ସବୁବେଳେ ବିଜେଡିର ହାତବାରସି ହୋଇଥିଲା । ଏହା ବିଜେପୁର ଉପନିର୍ବାଚନ ସମୟରେ ପ୍ରମାଣିତ ହୋଇସାରିଛି । ସେଥିପାଇଁ ଏମାନେ ଏଭଳି କହୁଛନ୍ତି ।

LEAVE A REPLY

Please enter your comment!
Please enter your name here