ତୁରନ୍ତ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କୁ ବରଖାସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ : ଡଃ ଜ୍ଞାନେନ୍ଦ୍ର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ଅନ୍ୟତମ ୪ର୍ଥ ପୁତ୍ର ଦେବପ୍ରିୟକୁ ପୋଲିସ୍ ଗିରଫ କରୁନଥିବା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟର ଗୃହ ବିଭାଗ ଦାୟିତ୍ୱରେ ନିଜେ ମୁଖ୍ୟମନ୍ତ୍ରୀ ଆଜକୁ ୧୯ ବର୍ଷ ହେଲା ରହିଲେଣି । ରାଜ୍ୟର ପୋଲିସ୍ ପ୍ରଶାସନ ଯେ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ତାର ଗଣ୍ଡା ଗଣ୍ଡା ଉଦାହରଣ ସବୁଦିନେ ଖବରକାଗଜ ଲେଉଟାଇଲେ ଦେଖିବାକୁ ମିଳୁଛି । ରାଜ୍ୟ ରାଜଧାନୀରେ ଅପରାଧୀମାନେ ପୋଲିସ୍କୁ ଚ୍ୟାଲେଞ୍ଜ କରି ଅପରାଧିକ କାର୍ଯ୍ୟମାନ କରି ସଫଳ ହେଉଛନ୍ତି । ପୋଲସରା ଘଟଣା ତ ନ କହିଲେ ଭଲ । କଟକ ପୋଲିସ୍ରାଜ ରାସ୍ତାରେ ଓକିଲଙ୍କୁ ମାଡ଼ମାରିବା ଘଟଣାରେ ଦୀର୍ଘ ୨ ମାସରୁ ଉଦ୍ଧ୍ୱର୍ ଦିନ ହେବ କୋର୍ଟ କଚେରୀ ବନ୍ଦ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ଦାରୁଭୂତମୁରାରୀ ସାଜିଛନ୍ତି । ଏଭଳି ଏକ ସମୟରେ ଶ୍ରୀ ପାତ୍ରଙ୍କ ଗୋଟିଏ ପୁଅ ସଙ୍ଗୀନ ଅପରାଧରେ ଜେଲ୍ରେ ଥିଲାବେଳେ ୪ର୍ଥ ପୁତ୍ରକୁ ପୋଲିସ୍ ଗିରଫ ନକରିବାର କାରଣ କ’ଣ ବୋଲି ଡଃ ଜ୍ଞାନେନ୍ଦ୍ର ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାରେ ଦୁର୍ବଳ ହୋଇପଡ଼ିଛନ୍ତି କି ବୋଲି କହିଛନ୍ତି? ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଠାରୁ ଇସ୍ତଫା ନେବାବେଳେ
ମୁଖ୍ୟମନ୍ତ୍ରୀ ଯେଉଁ ତତ୍ପରତା ପ୍ରକାଶ କରିଥିଲେ ବଦ୍ରୀଙ୍କ କ୍ଷେତ୍ରରେ ଦୀର୍ଘ ଦେଢମାସ ହେବ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ସେ ତାଙ୍କ ପ୍ରଶ୍ନକୁ ଦୋହରାଇଛନ୍ତି । ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ ସାଧାରଣ ଭାବେ ଚର୍ଚ୍ଚା ହେଉଛି ଯେ, ଦଳୀୟ ପାଣ୍ଠି ସଂଗ୍ରହରେ ବଦ୍ରୀ ବାବୁଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁ ନାହାଁନ୍ତି । ଯଦି ଏହା ସତ୍ୟ ହୋଇଥାଏ, ତେବେ ମୁଖ୍ୟମନ୍ତ୍ରୀ ଯେ ନିଆଁକୁ ନିଜ ଅଣ୍ଟିରେ ପୁରାଇଛନ୍ତି, ଭବିଷ୍ୟତରେ ଯେ ତାଙ୍କ ନିଜ ପାଇଁ କାଳ ହେବ ଏହା ଡଃ ଜ୍ଞାନେନ୍ଦ୍ର ଚେତାଇ ଦେବା ସହ ବଦ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବରଖାସ୍ତ କରିବାକୁ ଦୃଢ ଦାବି କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here