You are here
Home > ଲାଟେଷ୍ଟ > ଜୟଲଳିତାଙ୍କ ଶେଷକୃତ୍ୟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଜୟଲଳିତାଙ୍କ ଶେଷକୃତ୍ୟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚେନ୍ନାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସ୍ୱତନ୍ତ୍ର ହେଲିକପଟରରେ ମୁଖ୍ୟମନ୍ତ୍ରୀ ଚେନ୍ନାଇ ଯାଇଛନ୍ତି । ନବୀନ ଜୟଲଳିତାଙ୍କ ଶେଷକୃତ୍ୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜୟାଙ୍କ ମୃତୁ୍ୟରେ ନବୀନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଜୟଲଳିତା ଜଣେ ଜନନେତ୍ରୀ ଥିଲେ । ତାମିଲନାଡୁର ଆଇରନ୍ ଲେଡି ଭାବେ ସେ ପରିଚିତ ଥିଲେ । ତାମିଲନାଡୁ  ବିକାଶରେ ତାଙ୍କ ଭୂମିକା ଅତୁଳନୀୟ । ଓଡ଼ିଶାର ସୁଖଦୁଃଖୀ ଜଣେ ବନ୍ଧୁ ଥିଲେ ଜୟଲଳିତା । ତାଙ୍କ ବିୟୋଗ ଏକ ବୃହତ ଜାତୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
  ଜାତୀୟ ରାଜନୀତିରେ ଯେତେବେଳେ ତୃତୀୟ ସାମ୍ମୁଖ୍ୟ କଥା ଉଠୁଥିଲା ସବୁବେଳେ ଜୟା ଓ ନବୀନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ୨୦୧୨ ମସିହାରେ ନବୀନ ଚେନ୍ନାଇରେ ଜୟାଙ୍କୁ ସାକ୍ଷାତ କରିବା ପରେ ତୃତୀୟ ସାମୁଖ୍ୟ ଚର୍ଚ୍ଚା ଜୋର ଧରିଥିଲା । ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ପିଏ ସାଙ୍ଗମା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ପରେ ଜୟା ଓ ନବୀନଙ୍କ ମଧ୍ୟରେ ସହମତି ଦେଖିବାକୁ ମିଳିଥିଲା । ତାମିଲନାଡୁ ଓ ଓଡ଼ିଶାରେ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାରେ ମଧ୍ୟ ସାମଞ୍ଜସ୍ୟ ଦେଖିବାକୁ ମିଳିଥିଲା । ପ୍ରଶାସନିକ ଦକ୍ଷତାକୁ ନେଇ ଉଭୟ ପରସ୍ପରକୁ ପ୍ରଶଂସା ମଧ୍ୟ କରୁଥିଲେ । ଜୟା ଓ ନବୀନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଯୋଗୁ ଚେନ୍ନାଇରେ ଓଡ଼ିଶା ଭବନ ପ୍ରତିଷ୍ଠା ହୋଇପାରିଥିଲା । ଏଥିପାଇଁ ଜୟା ଜମି ଯୋଗାଇ ଦେଇଥିଲେ ।
  ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସୁଶ୍ରୀ ଜୟଲଳିତାଙ୍କ ପରଲୋକ ନେଇ ସ୍ପଷ୍ଟ କରିଥିଲେ । ମୃତୁ ୍ୟ ବେଳେକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ପରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜୟାଙ୍କ ମରଶରୀରକୁ ତାଙ୍କ ପୋସ ଗାର୍ଡେନ ବାସଭବନକୁ ନିଆଯାଇଥିଲା । ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଜୟାଙ୍କ ମରଶରୀରକୁ ମଙ୍ଗଳବାର ରାଜାଜୀ ହଲରେ ରଖାଯାଇଛି । ଏଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦୀର୍ଘଦିନ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚକିତ୍ସିତ ହେଉଥିôବା ଜୟାଙ୍କୁ ରବିବାର ରାତିରେ ହୃଦଘାତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ଜୀବନ ରକ୍ଷାକାରୀ ଯନ୍ତ୍ର (ଇସିଏମଓ) ସାହାଯ୍ୟରେ ତାଙ୍କୁ ବଞ୍ଚାଇ ରଖାଯାଇଥିଲା । ଆପୋଲୋ ଓ ଏମ୍ସର ବିଶେଷଜ୍ଞ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଚଳାଇଥିବାବେଳେ ଏହା ବିଫଳ ହୋଇଥିଲା ।
ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ଜୟାଙ୍କୁ ଦେଖି ଆସିବା ପରେ ବରିଷ୍ଠ ମନ୍ତ୍ରୀ ପନିରସେଲଭମ, ଶଶିକଳା ସମେତ ଦଳର ନେତୃବର୍ଗ ବୈଠକରେ ଭବିଷ୍ୟତ ନେଇ ବିଚାରବିମର୍ଶ ଚଳାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ପନିରସେଲଭମ ଦଳର ମୁଖ୍ୟ ପଦରେ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ସେହିପରି ବିଧାୟକ ଦଳ ବୈଠକରେ ପନିରସେଲଭମଙ୍କୁ ନେତା ମନୋନୀତ କରାଯାଇଥିଲା । ଅନ୍ୟପକ୍ଷରେ ବାଚସ୍ପତି ଆପୋଲୋ ହସ୍ପିଟାଲରେ ଜୟାଙ୍କୁ ଦେଖି ଫେରିବା ପରେ ରାଜ୍ୟପାଳଙ୍କୁ ଭେଟି ଦଳର ଭବିଷ୍ୟତ ପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଏହା ପରେ ପନିରସେଲଭମ ଓ ଏଆଇଏଡିଏମକେର ନେତାମାନେ ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଦାବି ଅନୁଯାୟୀ ରାଜ୍ୟପାଳ ସି ବିଦ୍ୟାସାଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ଲାଗି ନିମନ୍ତ୍ରଣ କରିଥିଲେ । ରାତି ୧ଟା ୨୫ରେ ପନିରସେଲଭମ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପନିରସେଲଭମଙ୍କ ସହିତ ମୋଟ ୩୧ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ପୂର୍ବରୁ ଜୟାଙ୍କ ମୃତୁ୍ୟ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜୟାଙ୍କ ମୃତୁ୍ୟ ପାଇଁ ରାଜ୍ୟ ସରକାର ୭ ଦିନିଆ ଶୋକ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲ, କଲେଜ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଦିନକୁ ପାଇଁ ଛୁଟି ଘୋଷଣା କରିଛନ୍ତି । ଜୟାଙ୍କ ମୃତୁ୍ୟ ଖବରକୁ ନେଇ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ହମିଦ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ବିଜେପି ଅଧ୍ୟକ୍ଷ ଅମିତ ଶାହା, ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା ଶୋକ ପ୍ରକାଶ କରିଛନ୍ତି ।

Loading...
ONA

Leave a Reply

Top