ବର୍ଷିଆନ କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ନାହାନ୍ତି

https://www.facebook.com/nnsodia/videos/267154983995629/?t=5

କଟକ: ବର୍ଷିଆନ କଣ୍ଠଶିଳ୍ପୀ ଚିତ୍ତ ଜେନା ୭୬ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଶ୍ରୀ ଜେନା କିଛିଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।


ଓଡିଆ ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଗୀତ ଓ ଭଜନ ଗାଇ ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । ରୂପ ହୋଇଥିବ ଲବଣ୍ୟବତୀ, ଉଡିଗଲା ଗେଣ୍ଡାଳିଆ, ମୋ ପ୍ରିୟା ଠାରୁ କେହି ଅଧିକ ସୁନ୍ଦରୀ ଭଳି ୧୦୦ରୁ ଅଧିକ ହିଟ ସଙ୍ଗୀତ ସେ ଓଡିଆ ଟେଲିଭିଜନ ଜଗତକୁ ଦେଇଛନ୍ତି ।
ଚିତ୍ତ ଜେନା ୧୯୪୧ ମସିହା ଡିସେମ୍ବର ୨୪ ଦିନ କଟକ ଜିଲ୍ଲା ପୋପରଡା ଗ୍ରାମର ଏକ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଯଦୁମଣି ଜେନା ଓ ମାତା ହେମଲତା ଜେନା ମଧ୍ୟ ସଙ୍ଗୀତପ୍ରେମୀ ଥିଲେ । ଶ୍ରୀ ଜେନା ପିଲା ବେଳୁ, ସ୍କୁଲ କଲେଜରେ ପଢିଲା ବେଳରୁ ଗୀତ ଗାଉଥିଲେ । ସେ ସମୟରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିର୍ଦ୍ଦେଶରେ ଯୁବ ମହୋତ୍ସବର ଆୟୋଜନ କରାଯାଉଥିଲା ।

ଏହି ମହୋତ୍ସବରେ ଶ୍ରୀ ଜେନା ସଂଗୀତ ପରିବେଷଣ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଲାଭ କରିଥିଲେ | ତାଙ୍କୁ ପଣ୍ଡିତ ଭୁବନେଶ୍ଵର ମିଶ୍ର ସଙ୍ଗୀତ ଶିକ୍ଷାଦେବାକୁ କହିଥିଲେ । ପରେ ସେ ଆକାଶବାଣୀର ଜଣେ ସ୍ଵୀକୃତିପ୍ରାପ୍ତ କଳାକାରର ହୋଇଥିଲେ । ୧୯୬୮ରେ ନିର୍ମିତ ଚଳଚ୍ଚିତ୍ର ମନ ଆକାଶରେ ସେ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତ “ଏ ବନ ଝରଣା ନାଚି ନାଚି ଯାଅନା”, ପ୍ରଶାନ୍ତ ନନ୍ଦଙ୍କ ପାଇଁ ଗାଇ ସେ ଲୋକପ୍ରିୟ ହୋଇ ପାରିଥିଲେ । ସେ ୨୦୧୦ରେ ପ୍ରଫୁଲ୍ଲ କର ସମ୍ମାନ, ୨୦୧୧ରେ ଜୀବନ ବ୍ୟାପି ସାଧନା ନିମନ୍ତେ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ ।

28 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here