କେବଳ ପବନ ନୁହେଁ ମାଲିକ ବି ଦାୟୀ:ମନ୍ତ୍ରୀ

ଭୁବନେଶ୍ୱର: ଚିଲିକାରେ ଡଙ୍ଗା ବୁଡ଼ି ୬ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ରିପୋର୍ଟକୁ ନେଇ ବହୁ ସମାଲୋଚନା ହୋଇଥିଲା । ଏ ସମ୍ପର୍କରେ ଶନିବାର ପରବହନ ମନ୍ତ୍ରୀ ନୃସିଂହ ସାହୁ ମତ ରଖି ସ୍ପଷ୍ଟ କରିଛନ୍ତି ଯେ, ଡଙ୍ଗା ମାଲିକଙ୍କର ମଧ୍ୟ ଭୁଲ୍ ରହିଛି । ଏ ସମ୍ପର୍କରେ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି । ଏଣୁ ମାଲିକଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ପବନ ଏଥିପାଇଁ ଦାୟୀ ନୁହେଁ, ମାଲିକଙ୍କର ବି ଦୋଷ ଅଛି ।
ନିକଟରେ କିଛି ପର୍ଯ୍ୟଟଙ୍କୁ ଧରି କାଳିଜାଈ ଦର୍ଶରେ ଯାଇଥିବା ଡଙ୍ଗାଟି ବୁଡ଼ି ଯାଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଆସିବା ପରେ ଏହାକୁ ନେଇ ବହୁ ହୋହଲ୍ଲା ହେବାରୁ ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଆର୍ନ୍ତଦେଶୀୟ ଜଳପଥ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁୂ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସେ ତଦନ୍ତ କରି ତାଙ୍କ ରିପୋର୍ଟ ଇତିମଧ୍ୟରେ ସରକାରଙ୍କୁ ଦେଇସାରିଛନ୍ତି । ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତଦନ୍ତ ରିପୋର୍ଟରେ ଦୁର୍ଘଟଣା ପାଇଁ ଝଡ଼ପବନକୁ ଦାୟୀ କରାଯାଇଥିଲା । କିନ୍ତୁ ଶନିବାର ପରିବହନ ମନ୍ତ୍ରୀ ଶ୍ରୀ ସାହୁ ଏ ସମ୍ପର୍କରେ ଅଧିକ ସ୍ପଷ୍ଟ କରି କହିଛନ୍ତି ଡଙ୍ଗା ଚାଳକଙ୍କର ବି ଭୁଲ୍ ଥିଲା । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଝଡ଼ ପବନ ଯୋଗୁ ଡଙ୍ଗାଟି ବୁଡ଼ିଲା । ଡଙ୍ଗାରେ ୧୫ ଜଣ ବସିବା ପାଇଁ ବ୍ୟବସ୍ଥା ଥିଲାବେଳେ ୨୦ଟି ଲାଇଫ୍ ଜ୍ୟାକେଟ୍ ଥିଲା । କିନ୍ତୁ ଏହି ଲାଇଫ୍ ଜ୍ୟାକେଟ୍ କାହାରିକୁ ପିନ୍ଧିବାକୁ ଦିଆଯାଇ ନ ଥିଲା । ଡଙ୍ଗାଟି ଦୁର୍ବଳ ଥିଲା ଏବଂ ସେଥିରେ ପାଣି ଗଳୁଥିଲା । ଯେଉଁ ସମୟରେ ଝଡ଼ ଆସୁଛି ସେ ସମୟରେ ଯଦି ଡଙ୍ଗା ଚାଲି ନ ଥାନ୍ତା ଆଉ ଡଙ୍ଗାକୁ ଅଟକାଇ ରଖାଯାଇ ନଥାନ୍ତା ତେବେ ଆଉ ଏଭଳି ଦୁର୍ଘଟଣା ଘଟି ନଥାନ୍ତା । ଏଣୁ ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁୂ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ସବୁଠି ସର୍ଭେୟର ରଖିବେ । ଲାଇଫ୍ ଜ୍ୟାକେଟ୍ ଡଙ୍ଗାରେ ଅଛି କି ନାହିଁ, ଯାତ୍ରୀମାନଙ୍କୁ ଏହା ଦିଆଯାଉଛି କି ନାହିଁ ତାହା ତଦାରଖ କରିବେ । ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆଯାଇ ନ ଥିବାରୁ ଡଙ୍ଗା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ସବୁ ଡଙ୍ଗାରେ ଏଣିକି ଜିପିଏସ୍ ଲାଗିବ । ପାଣିପାଗ ସମ୍ପର୍କରେ ସୂଚନା ଦିଆଯିବ । ଭବିଷ୍ୟତରେ ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।