‘ଚକ୍ରାନ୍ତ’ ଶ୍ରୀକାନ୍ତଙ୍କ ପାଇଁ ଘାତକ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଦଳ ଭିତରେ ଅସ୍ଥିରତା ସୃଷ୍ଟି କରବା ଓ ଦଳୀୟ ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା ଘଟଣା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ପାଇଁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ଚକ୍ରାନ୍ତ ତାଙ୍କୁ ଶେଷରେ ଧରାପକାଇ ଦେଇଛି । ଏହି ଘଟଣା ପାଇଁ ତାଙ୍କୁ ଦଳର ଇସ୍ତାହାର କମିଟିରୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦା କରି ଦେଇଛନ୍ତି । ପିସିସି ପକ୍ଷରୁ ଏହି ଅସ୍ଥରିତା ନେଇ ଶ୍ରୀକାନ୍ତଙ୍କ ବିରୋଧରେ ଏଆଇସିସିରେ ଅଭିଯୋଗ କରାଯାଇଥିଲା । ଯାହାକୁ ଭିତ୍ତିକରି ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଇସ୍ତାହାର କମିଟିରୁ ବିଦା କରି ଅପମାନିତ କରାଗଲା । କାରଣ ଏହି ଇସ୍ତାହାର କମିଟି ଗଠନ ଅଳ୍ପଦିନ ତଳେ କରାଯାଇଥିଲା । ଏକଥା କୁହାଯାଉଛି ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ଆସନ୍ତା ୧୧ ତାରିଖ ୫ ରାଜ୍ୟର ନିର୍ବାଚନ ସରିବା ପରେ ନିଆଯାଇପାରେ । କେବଳ ଶ୍ରୀକାନ୍ତ ନୁହଁନ୍ତି ତାଙ୍କ ଇସାରାରେ ନାଚୁଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କୁ ଦଳରୁ ନିଲମ୍ବିତ କରାଯାଇପାରେ ଏଭଳି ଏକ ଚର୍ଚ୍ଚା ଚାଲିଛି । ସଗରିଆ ଆଜି ଦଳିତମାନଙ୍କର ଏକ ସମାବେଶ କରିଛନ୍ତି । ପୂର୍ବରୁ ଦଳ ପକ୍ଷରୁ ଦଳିତ ସମାବେଶ ହୋଇସାରିଥିଲା ବେଳେ ପୁଣି ସମାନ କାର୍ଯ୍ୟକ୍ରମ ଦଳର ବିନା ଅନୁମତିରେ ସଗରିଆ କରିଛନ୍ତି । ଆଉ ତାଙ୍କ ସମାବେଶର ମୁଖ୍ୟ ହେଉଛନ୍ତି ଶ୍ରୀକାନ୍ତ ଜେନା ।
ଶ୍ରୀକାନ୍ତ ଅତି ଚତୁରାତର ସହ ତାଙ୍କର ଚକ୍ରାନ୍ତ ଆରମ୍ଭ କରିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ରହି ଦଳର ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ । ଏପରି କି ଯେଉଁ ଶ୍ରୀକାନ୍ତ ଦଳିତ ଓ ପଛୁଆବର୍ଗ ନେତୃତ୍ୱ ନେବା କଥା ବୋଲି ସବୁବେଳେ କହି ଆସୁଥିଲେ ସେ ବାଲେଶ୍ୱର ସଭାରେ କଂଗ୍ରେସ ଆସିଲେ ନିରଂଜନ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲେ । ଲଙ୍କାପୁରରେ ହରିଶବ୍ଦ ଭଳି ଶ୍ରୀକାନ୍ତଙ୍କ ମୁହଁରେ ନିରଂଜନଙ୍କ ପ୍ରଶଂସା ସମସ୍ତଙ୍କୁ ଚକିତ କରିଥିଲା । ଏପଟେ ନିରଂଜନଙ୍କ ସହ ରହିଥିବା ଉପରକୁ ଧାରାଣା ସୃଷ୍ଟି କରି ଭିତରେ ଚେର କାଟିବାରେ ଲାଗିଲେ । ବିଧାୟକ ଦଳକୁ ବିଭାଜିତ କରିବା ପାଇଁ ଚାଲ ଚଳାଇଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ସୁଚିନ୍ତିତ ଯୋଜନା କଲେ । ବିଧାନସଭାରେ କଂଗ୍ରେସର ମାତ୍ର ୧୫ ଜଣ ବିଧାୟକ ଅଛନ୍ତି । ଏମାନଙ୍କ ଭିତରୁ ଯଦି ଜଣେ ବି ଇସ୍ତଫା ଦିଅନ୍ତି ତେବେ କଂଗ୍ରେସ ଆଉ ବିଧାନସଭରେ ବିରୋଧୀ ଦଳ ମାନ୍ୟତା ପାଇବନାହିଁ । ଏକଥା ଜାଣି କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମୋହରା ବନାଇଲେ । କୁହାଯାଏ ଶ୍ରୀକାନ୍ତଙ୍କ ଇସାରାରେ ସଗରିଆ କଂଗ୍ରେସ ଟିକଟରେ ବିଧାୟକ ହୋଇଥିଲେ ବି ଏଆଇସିସି କିମ୍ବା ପିସିସିକୁ ନ ଜଣାଇ ସିଧାସଳଖ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେମାନେ ଜାଣିଥିଲେ ଯେ, ସଗରିଆ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଦଳ ମାନ୍ୟତା ପାଇବ ନାହିଁ ଓ ନରସିଂହ ମିଶ୍ର ବିରୋଧୀଦଳ ନେତା ପଦ ହରାଇବେ । କିନ୍ତୁ ଏମାନେ ବୋଧହୁଏ ଜାଣି ନ ଥିଲେ ଯେ, ସମତାକ୍ରାନ୍ତିର ବିଧାୟକ ଜଜ୍ ତୀର୍କୀ କଂଗ୍ରେସ ବିଧାୟକ ଭାବେ ଯୋଗ ଦେଇ ସାରିଛନ୍ତି । ସମସ୍ତଙ୍କର ଧାରଣା ଥିଲା ଜଜ ସ୍ୱାଧୀନ ବିଧାୟକ । ପ୍ରକୃତରେ ଯଦି ସେ ସ୍ୱାଧୀନ ବିଧାୟକ ହୋଇଥାନ୍ତେ ତେବେ କଂଗ୍ରେସରେ ଯୋଗଦେଲା ପରେ କଂଗ୍ରେସ ବିଧାୟକ ଦଳର ସଦସ୍ୟଭାବେ ବିବେଚିତ ହୋଇପାରି ନ ଥାନ୍ତେ । କିନ୍ତୁ ଚକ୍ରାନ୍ତକାରୀ ଜାଣି ନ ଥିଲେ ଯେ, ତୀର୍କୀ ହେଉଛନ୍ତି ସମତାକ୍ରାନ୍ତୀର ବିଧାୟକ । ଏଣୁ ଗୋଟିଏ ଦଳ ଆଉ ଗୋଟିଏ ଦଳ ସହ ମିଶିବାର ବ୍ୟବସ୍ଥା ଥିବାରୁ ତୀର୍କୀ ସଙ୍ଗେ ସଙ୍ଗେ କଂଗ୍ରେସ ବିଧାୟକ ହୋଇପାରିଲେ । ଆଉ ଚକ୍ରାନ୍ତକାରୀଙ୍କ ଚକ୍ରାନ୍ତ ଫେଲ ମାରିଲା । ସଗରିଆଙ୍କୁ ଧରି ଶ୍ରୀକାନ୍ତ ଏହି ଚାଲ ଖେଳିଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ଦଳର ତଳସ୍ତରରୁ ଉପରସ୍ତର ଯାଏ କାହାରି ପାଖରେ ଆଉ ଏକଥା ଅବୁଝା ରହିଲାନାହିଁ ।
କେବଳ ଏତିକି ନୁହେଁ ସଗରିଆଙ୍କୁ ଦଳର ଦଳିତ ସେଲର ଅଧ୍ୟକ୍ଷ ପଦରୁ ବାଦ ଦେବା ପରେ ତାଙ୍କୁ ଧରି ସବୁ ଚାଲ ଖେଳୁଛନ୍ତି ଶ୍ରୀକାନ୍ତ ବୋଲି କୁହାଯାଉଛି । ଦଳର ଏସ୍ସି ସେଲ ଅଧ୍ୟକ୍ଷ ଭାବେ ବିଭୁ ପ୍ରସାଦ ତରାଇ ଦାୟିତ୍ୱ ଗ୍ରହଣ କରିବା ପରେ ଦଳିତମାନଙ୍କର ଏକ ସମାବେଶ ଦଳ ପକ୍ଷରୁ ନିକଟରେ ସ୍ୱାଧୀନତା ସଂଗ୍ରାମୀ ଭବନପଡ଼ିଆରେ କରିଥିଲେ । ଏଥିରେ ପିସିସି ସଭାପତି, ବିରୋଧୀଦଳ ନେତାଙ୍କ ସମେତ ଦଳର ପ୍ରମୁଖ ନେତାମାନେ ଯୋଗଦେଇଥିଲେ । କିନ୍ତୁ ଶ୍ରୀକାନ୍ତ ଯାଇ ନ ଥିଲେ । ଗୁରୁବାର ସଗରିଆ ସେହିପଡ଼ିଆରେ ଦଳିତମାନଙ୍କ ସମାବେଶ କରିଛନ୍ତି । ଆଉ ଏଥିରେ ମୁଖ୍ୟ ଆକର୍ଷଣ ରହିଛନ୍ତି ଶ୍ରୀକାନ୍ତ । ଦଳର ଗୋଟିଏ ସମାବେଶ ପରେ ତାକୁ ଚ୍ୟାଲେଞ୍ଜ ଦେଇ ଆଉ ଏକ ସମାବେଶ କରିବା ଘଟଣା ଦଳୀୟ ବିଶୃଙ୍ଖଳା ସୂଚନା ଦେଉଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ ଦେଇ ଏଭଳି ସମାବେଶ କରାଯିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ଏ ସମ୍ପର୍କରେ ମଧ୍ୟ ଏଆଇସିସିକୁ ଅବଗତ କରାଯିବ ବୋଲି କିଛି ନେତା କହୁଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here