ଉଜଳା ଯୋଜନାରେ ଦୁର୍ନୀତି କଥା ଉଠାଇ ସିବିଆଇ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: ଉଜଳା ଯୋଜନାକୁ ନେଇ ବିଜେଡି ଏବେ ବିଜେପିକୁ ଘେରିବାରେ ଲାଗିଛି । ପୂର୍ବରୁ ଏହି ଯୋଜନାର ବିଫଳତା କଥା କହିଥିଲା ବେଳେ ବର୍ତ୍ତମାନ ଏଥିରେ ଦୁର୍ନୀତି ହୋଇଥିବା ବିଷୟ ଉଠାଇଛି । ବିଜେଡି ଏହି ଘଟଣାରେ ବିଜେପିଠାରୁ ସ୍ପଷ୍ଟୀକରଣ ଲୋଡ଼ିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ନେଇ ବିଜେପି ୪ ଅଗଷ୍ଟ ୨୦୧୮ରେ ଏକ ପ୍ରେସ୍‍ମିଟ୍‍ ମାଧ୍ୟମରେ ସୂଚାଇଥିଲା ଯେ ଓଡ଼ିଶାର ପାଖାପାଖି ୩୦ଲକ୍ଷ ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‍ ଚୁଲା ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଗ୍ୟାସ୍‍ଚୁଲାର ଦାମ ଆନୁମାନିକ ୫ ହଜାର ଟଙ୍କା ହୋଇଥିବା ବେଳେ ୩୦ ଲକ୍ଷ ହିତାଧିକାରୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ମାଗଣା ଗ୍ୟାସ୍‍ଚୁଲା ଓଡ଼ିଶାରେ ତୈଳ ମନ୍ତ୍ରାଳୟ ଦ୍ୱାରା ବଣ୍ଟନ କରାଯାଇଛି । ଯଦି ବିଜେପି କଥା ସତ୍ୟ ହୋଇଥାଏ, ତେବେ ଏହା ସାଙ୍ଘାତିକ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ମାଗଣା ଗ୍ୟାସ୍‍ଚୁଲା ଦେବାର କୌଣସି ପ୍ରାବଧାନ ନାହିଁ । ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ନିଜ ଖର୍ଚ୍ଚରେ ଗ୍ୟାସ୍‍ଚୁଲା ଏବଂ ପ୍ରଥମ ଗ୍ୟାସ୍‍ ଫିଲିଂ କିଣିବାକୁ ପଡିଥାଏ । ଯେଉଁମାନେ ନଗଦ ଅର୍ଥ ଦେଇନପାରନ୍ତି, ସେମାନେ ଗ୍ୟାସ୍‍ କମ୍ପାନୀମାନଙ୍କ ଠାରୁ ଋଣ ଆକାରରେ ଗ୍ୟାସ୍‍ ଚୁଲା ନିଅନ୍ତି, ଯାହାକି ପରବର୍ତ୍ତୀ ଅବସ୍ଥାରେ କିସ୍ତି ବାବଦ ଅର୍ଥ ସବ୍‍ସିଡି ଦ୍ୱାରା ଭରଣା କରାଯାଏ । ଏଥିରୁ ସ୍ପଷ୍ଟ ଯେ ୩୦ଲକ୍ଷ ହିତାଧିକାରୀ ଓଡ଼ିଶାରେ ନିଜର ଖର୍ଚ୍ଚରେ ଗ୍ୟାସ୍‍ ଚୁଲା କିଣିଥିଲା ବେଳେ ବିଜେପିର ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ଦୃଢ଼ୋକ୍ତି ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏହି ୧୫୦୦ କୋଟି ଟଙ୍କାର ଗ୍ୟାସ୍‍ ଚୁଲା କିଣାଯାଇଥିଲା, ତେବେ ଏହି ୩୦ଲକ୍ଷ ଗ୍ୟାସ୍‍ ଚୁଲା କୁଆଡ଼େ ଗଲା? ଯଦି ଗ୍ୟାସ୍‍ ଚୁଲା କିଣାଯାଇନାହିଁ ତେବେ ୧୫୦୦ କୋଟି ଟଙ୍କା ଯାହା ଓଡ଼ିଶାରେ ତୈଳ ମନ୍ତ୍ରାଳୟ ଖର୍ଚ୍ଚ କରିଛି ବୋଲି ବିଜେପି ଦୃଢ଼ ଦାବି କରୁଛି, ସେ ୧୫୦୦ କୋଟି ଟଙ୍କା ଗଲା କୁଆଡ଼େ? ପ୍ରତ୍ୟେକ କଥାରେ ତଦନ୍ତ ଦାବି କରୁଥିବା ବିଜେପି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲାରେ ସିବିଆଇକୁ ସ୍ୱାଗତ କରିଛି । ଏବେ ଏହି ୧୫୦୦ କୋଟି ଟଙ୍କାର ଗ୍ୟାସ୍‍ ଚୁଲା କିଣା ଅନିୟମିତତାର ବିଜେପି ତଦନ୍ତ ଦାବି କରିବକି? ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି ।