ବିଜେଡି ନେତାଙ୍କ ଉପରେ ସିବିଆଇ ଚଡ଼କ, ପୁଣି ଜଣେ ଦକ୍ଷିଣ ଓଡ଼ିଶା ନେତାଙ୍କୁ ଡାକରା

ଭୁବନେଶ୍ୱର: ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ ସିବିଆଇ ଯେଭଳି ଭାବରେ ତାର ତଦନ୍ତକୁ ଏବେ ଶାଣିତ କରିବାରେ ଲାଗିଛି ସେଥିରେ ଆସନ୍ତା ନିର୍ବାଚନ ପୂର୍ବରୁ ବିଜେଡିକୁ ପୁରାପରି ଘାଂଟିବ ବୋଲି ଜଣାପଡ଼ିଗଲାଣି । ସିବିଆଇ ଟାର୍ଗେଟ୍ରେ ଦକ୍ଷିଣ ଓଡ଼ିଶାର ବିଜେଡି ନେତା ଅଛନ୍ତି । କୁହାଯାଉଛି ବିଜେଡିର ଦକ୍ଷିଣ ଓଡ଼ିଶା ନେତାଙ୍କ ଉପରେ ସିବିଆଇ ଚଡ଼କ ପଡ଼ିଛି । ବର୍ତମାନ ବରିଷ୍ଠମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା ବେଳେ ଏବେ ପୁଣି ସେହି ଦକ୍ଷିଣ ଓଡ଼ିଶାର ଜଣେ ବିଜେଡି ନେତା ତଥା ପୂର୍ବତନମନ୍ତ୍ରୀଙ୍କୁ ସିବିଆଇ ସମନ କରିଥିବା ଜଣାପଡ଼ିଛି । ଏଥିସହ ଆଉ କେତେଜଣ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ ମଧ୍ୟ ଡାକରା ହୋଇଥିବା କଥା କୁହାଯାଉଛି । ଅର୍ଥତତ୍ୱ ମାମଲାରେ ବିଜେଡି ନେତା ଓ ସିସୋର ମାମଲାରେ ଅଫିସରଙ୍କୁ ଟାଣିବାରେ ଲାଗିଛି ସିବିଆଇ । ସିବିଆଇର ବ୍ଲୁ ପ୍ରିଟ ଅନୁସାରେ ନିର୍ବାଚନ ପୂର୍ବରୁ ବିଜେଡିର ସଂଖ୍ୟାଧିକ ନେତାଙ୍କୁ ଜେଲ୍ରେ ଭରିବା ପାଇଁ ଯୋଜନା କରିଥିବା କଥା ସବୁଆଡ଼େ ଆଲୋଚନା ହେଉଛି । ପୂର୍ବରୁ କିଛି ନେତାଙ୍କ ଅଧିକାରୀମାନଙ୍କୁ ମଧ୍ୟ ସିବିଆଇ ଡାକି ଜେରା କରିଥିଲା । ଏବେ ସମ୍ପୃକ୍ତ ନେତାଙ୍କ ପାଖରେ ସିଧାସଳଖ ପହଚିବା ପାଇଁ ଉଦ୍ୟମ କରିଛି । ସିବିଆଇ ପ୍ରଥମେ ତନାଘନା କରି ନୀରବ ରହିଗଲା । ପୁଣି ମଝିରେ ଉଠି ଘଂଟାଚକଟା କଲା । ଚିଟ୍ଫଣ୍ଡ ମୁଖ୍ୟମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପରେ ମାମଲା ସିଥିଳ ହୋଇଗଲା ବୋଲି ଏକ ଧାରଣା ସୃଷ୍ଟି କରାଗଲା । କିଛି ଚିଟ୍ଫଣ୍ଡ ମୁଖ୍ୟ ଓ ସହଯୋଗୀ କୋର୍ଟରେ ଦଣ୍ଡିତ ହେଲେ । ଏଣୁ ଏଥିରେ ସମ୍ପୃକ୍ତ ଅନ୍ୟମାନେ ଭାବିନେଇଥିଲେ ସିବିଆଇର ତଦନ୍ତ ସରିଗଲା ।
ପ୍ରଦୀପ ସେଠୀଙ୍କ ବିରୋଧରେ କୋର୍ଟ ରାୟ ଆସିଲା ପରେ ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲା ସରିଲା ବୋଲି ଏକ ଧାରଣା ସୃଷ୍ଟି ହେଲା । କିନ୍ତୁ ସିବିଆଇ ପୁଣି ଖୋଳତାଡ଼ କରିବା ପରେ ଏହା ତଦନ୍ତକାରୀ ସଂସ୍ଥାର ଏକ କୌଶଳ ବୋଲି ଜଣାପଡ଼ିଛି । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅକୁ କମ୍ପ୍ୟୁଟର କିଣା କାରବାରରେ ବାରମ୍ବାର ଡାକିବା ଓ ରେଡ୍ କରିବାରୁ ଅର୍ଥତତ୍ୱ ମାମଲା ସରିନାହିଁ ବୋଲି ସ୍ପଷ୍ଟ ହୋଇଛି । ଅର୍ଥତତ୍ୱ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ମନ୍ତ୍ରୀଙ୍କ ପୁଅ ବିପ୍ଳବ କମ୍ପ୍ୟୁଟର କେବଳ ନେଇଛନ୍ତି ତାହା ନୁହେଁ ଆପାର୍ଟମେଟ୍ କିଣା କାରବାରରେ ମଧ୍ୟ ସେ ମଧ୍ୟସ୍ଥତା ସାଜିଥିବାରୁ ଏହା ପଛରେ ମଧ୍ୟ ସିବିଆଇ ପଡିଛି । ଏବେ ସେହି ଦକ୍ଷିଣ ଓଡ଼ିଶାର ଅନ୍ୟ ଜଣେ ନେତା ତଥା ପୂର୍ବତନମନ୍ତ୍ରୀଙ୍କୁ ସିବିଆଇ ଜେରା ପାଇଁ ଡାକିଥିବା କୁହାଯାଉଛି । ପ୍ରଦୀପ ସେଠୀଙ୍କ ଘର ମଧ୍ୟ ଦକ୍ଷିଣ ଓଡ଼ିଶାରେ । ଏବେ ଡାକରା ହୋଇଥିବା ନେତାଙ୍କ ମାଧ୍ୟମରେ ପ୍ରଦୀପ ତାହାର ପ୍ରଶାସନିକ ଓ ସରକାରୀ କାର୍ଯ୍ୟକ୍ରମକୁ ବୃଦ୍ଧି କରିଥିଲା ବୋଲି କୁହାଯାଉଛି । ସମ୍ପୃକ୍ତ ନେତା ମନ୍ତ୍ରୀ ଥିଲା ବେଳେ ପ୍ରଶାସନିକ କଳର ବେଶ୍ ନିକଟତର ଥିଲେ । ତାଙ୍କର ପ୍ରଭାବ ମଧ୍ୟ ରହିଥିଲା । ତାଙ୍କୁ ପ୍ରଦୀପ ସେଠୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ପ୍ରଥମେ ତାଙ୍କୁ ସିବିଆଇ ପୁରା ଖୋଲା ଛାଡ଼ି ଦେଇଥିଲା । ବର୍ତମାନ ଜାଲ ବିଛାଇ ଧରିବାକୁ ଯୋଜନା କରିଛି ।
ସିସୋର ମାମଲାରେ ଶୁଭଙ୍କର ଡାଏରୀକୁ ନେଇ ସିବିଆଇ ପୁଣି ଖୋଳତାଡ଼ ଆରମ୍ଭ କରିଛି । ପୂର୍ବରୁ ୩ ଜଣ ଆଇପିଏସ୍ ଅଫିସର ସତିଶ କୁମାର ଗଜଭିୟେ, ଆର୍ପି କୋଚେ ଓ ରାକେଶ କୁମାରଙ୍କୁ ଡାକି ଜେରା କରିଥିଲା । ଏହି ଅଫିସରମାନଙ୍କୁ ଜେରା କରି ସିବିଆଛ ଛାଡ଼ି ଦେଇଥିଲା । ଆଉ କୌଣସି ଅଫିସରଙ୍କୁ ଡାକି ନଥିଲା । ଏହି ଡାଏରୀରେ ଅନ୍ୟ କେତେଜଣ ଆଇଏଏସ୍ ଅଫିସରଙ୍କ ନାଁ ମଧ୍ୟ ରହିଛି । ସେମାନଙ୍କୁ ମଧ୍ୟ ଡାକିବାର ଯୋଜନା ରଖାଯାଇଛି । ଏହି ସିସୋର ମାମଲାରେ ନିକଟରେ ସିବିଆଇ ଦୁଇଜଣ ଆଇଏଏସ୍ ଅଫିସର ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟଙ୍କୁ ଡାକିଥିଲା । ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଏହି ଦୁଇ ଆଇଏଏସ୍ ଅଫିସର ଥିବାରୁ ସସୋର ସହ ହୋଇଥିବା ଚୁକ୍ତିକୁ ନେଇ ଡକାଯାଇଥିଲା । ପୂର୍ବତନ ପର୍ଯ୍ୟଟନମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ରାଜନୈତିକ ସଚିବ ଦିଲ୍ଲୀପ ମିଶ୍ର ଓ ଦେବୀଙ୍କ ସହ ସମ୍ପର୍କ ଥିବା ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କୁ ଡାକି ସିବିଆଇ ଜେରା କରିଥିଲା । ଏହାପରେ ତେବେ ଦୁଇ ଅଫିସରଙ୍କୁ ପର୍ଯ୍ୟଟନ ମାମଲାରେ ଡାକି ଜେରା କରାଯାଇଛି । ସିବିଆଇ ଏବେ ଏହି ପର୍ଯ୍ୟଟନ ଘଟଣାକୁ ନେଇ ଅଫିସରଙ୍କୁ ଡାକିଲା ପରେ ରାଜନେତାଙ୍କ ମନରେ ଛନକା ସୃଷ୍ଟି ହୋଇଛି ।
ସିସୋର ମାମଲାରେ ଉପକୂଳ ଓଡ଼ିଶାର ବିଜେଡିର ଦୁଇ ତିନି ଜଣ ଆଗଧାଡ଼ିର ନେତାଙ୍କୁ ସିବିଆଇ ଡାକି ପାରେ ବୋଲି ସୂଚନା ମିଳିଛି । ଜଣାପଡୁଛି ସିବିଆଇ ପୁରା ଦମ୍ରେ ପୁଣି ତଦନ୍ତ ଆରମ୍ଭ କରିଛି । ସିବିଆଇ ତଦନ୍ତଭାର ନେଇଥିବା ୪୪ଟି ମାମଲା ଭିତରୁ ୩୩ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । କିନ୍ତୁ ଅର୍ଥତତ୍ୱ ଓ ସିସୋର୍ ଭଳି କେତେକ ଚିଟ୍ଫଣ୍ଡ କାରବାରରେ ଚର୍ଜ ସିଟ୍ ଦାଖଲ କରିଥିଲେ ବି ଏହାର ତଦନ୍ତ ବନ୍ଦ କରିନାହିଁ । ଯାଫଳରେ କି ପୁଣି କିଛି ନେତାଙ୍କୁ ଧରିବା ପାଇଁ ଯୋଜନା ରଖାଯାଇଛି । ଖୁବଶୀଘ୍ର ଦକ୍ଷିଣ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଓ ବିଜେଡି ନେତା ସିବିଆଇରେ ହାଜର ହେବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here