ରତ୍ନଭଣ୍ଡାର ଚାବି ହଜି ଯାଇନାହିଁ ବରଂ ହଜେଇ ଦିଆଯାଇଛି : ବିଜେପିରତ୍ନଭଣ୍ଡାର ଚାବି ହଜି ଯାଇନାହିଁ ବରଂ ହଜେଇ ଦିଆଯାଇଛି : ବିଜେପି

0
1

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବିକୁ ନେଇ ସମଗ୍ର ଓଡିଆ ଜାତି, ଜଗନ୍ନାଥ ପ୍ରେମୀଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଟି କୋଟି ଟଙ୍କାର ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୩ ଦିନ ହେବ ସରକାରଙ୍କ ଉଚ୍ଚାରଣ ଏବଂ ଆଚରଣରେ ଫରକ ଆସିଛି । ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ସମଗ୍ର ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରି ସତ୍ୟକୁ ଚାପି ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ରତ୍ନଭଣ୍ଡାର ଚାବି ହଜି ଯାଇନାହିଁ ବରଂ ହଜେଇ ଦିଆଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।ଜଗନ୍ନାଥ ମନ୍ଦିର ଆଇନକୁ ରାଜ୍ୟ ସରକାର ଜାଣିଶୁଣି କଦର୍ଥ କରୁଛନ୍ତି । କମିଶନ ତଦନ୍ତ ଆଳରେ ସତ୍ୟକୁ ଚାପି ଦିଆଯାଉଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅବମାନନା ଏବଂ ଉପହାସ କରିଥିବା ଶାସକ ବିଜେଡି, ସତ୍ୟ ପଦାକୁ ଆସିଯିବା ଭୟରେ ବର୍ତମାନ ଗଜପତି ମହାରାଜଙ୍କ ମୁଣ୍ଡରେ ଅଠା ବୋଳିବାକୁ ମଧ୍ୟ ପଛାଉ ନାହାନ୍ତି । ଗଜପତି ମହାରାଜଙ୍କୁ ଆକ୍ଷେପ କରିବା ଅର୍ଥ ସମଗ୍ର ଓଡିଆ ଜାତିର ସ୍ୱାଭିମାନକୁ ଆଘାତ କରିବା ସହ ସମାନ । ଗଜପତି ମହାରାଜ ଜଗନ୍ନାଥଙ୍କର ପ୍ରଥମ ସେବକ । ଯିଏ ରଥରେ ଛେରାପହଂରା କଲେ ରଥ ଗଡେ ଆଜି ଏହି ଶାସକ ବିଜେଡି ଜଗନ୍ନାଥଙ୍କର ପ୍ରଥମ ସେବକକୁ ନିନ୍ଦା କରିବାକୁ ପଛଉ ନାହାଁନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଗତକାଲି ଓଏସଆଇଏସ ଅଧ୍ୟକ୍ଷ ପଦରେ ଥିବା ଜଣେ ବିଜେଡି ନେତା ଏବଂ ବରିଷ୍ଠ ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସିଏ କାହାର ପୃଷ୍ଠପୋଷକତାରେ ପୁରୀରେ ରାଜନୀତି କରନ୍ତି ? ରାଜସ୍ୱ ମନ୍ତ୍ରୀଙ୍କ ସହ ତାଙ୍କର ସଂପର୍କ କଣ ରହିଛି ତାହ ସମସ୍ତଙ୍କୁ ଜଣା । କେବଳ ଜନମାନସକୁ ବିଭ୍ରାନ୍ତି କରିବା ପାଇଁ ଗଜପତିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।ରତ୍ନମନ୍ଦିରର ସୁରକ୍ଷା ଦାୟୀତ୍ୱ ଗଜପତିଙ୍କର ନୁହେଁ । ୧୯୫୫ ମସିହାରେ ମନ୍ଦିର ପ୍ରଶାସନ ଆଇନ ପ୍ରଣୟନ ହେଲା । ରତ୍ନ ଭଣ୍ଡାରର ତତ୍ୱାବଧାରକ ହେଲେ ରାଜ୍ୟସରକାର ଓ ମନ୍ଦିର ପ୍ରଶାସନ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ପ୍ରକାରର ଅଳଙ୍କାରର ସୁରକ୍ଷା ପାଇଁ “ଜଗନ୍ନାଥ ମନ୍ଦିର ଆଇନ-୧୯୬୦” ରେ ବିସ୍ତୃତ ଭାବେ ଉଲ୍ଲେଖ ଅଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ଏବଂ ପର୍ବପର୍ବାଣୀରେ ବ୍ୟବହୃତ ଅଳଙ୍କାରର ନିରୀକ୍ଷଣ ପ୍ରତି ୬ ମାସରେ ହେବାର ନିୟମ ରହିଛି । ଏକ ସ୍ୱତନ୍ତ୍ର କମିଟି ଏହାକୁ ତଦାରଖ କରିବା ସହ ଏହାର ଏକ ତାଲିକା ରାଜ୍ୟ ସରକାରଙ୍କୁ ପଠାଇବେ । ଜିଲ୍ଲାପାଳ ମହୋଦୟ ରିପୋର୍ଟ ପ୍ରଦାନ କରିଛନ୍ତି କି ? ଯଦି ଏହା ହୋଇନାହିଁ, ତେବେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ତଲବ କରିଛନ୍ତି କି ? ଏଭଳି ବହୁ ପ୍ରଶ୍ନ ଉତର ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।ରତ୍ନଭଣ୍ଡାର ଚାବି କେଉଁଠି ରହିବ, କାହା ପାଖରେ ରହିବ, କେମିତି ରହିବ ଆଦି ସମସ୍ତ ବିଷୟରେ ରାଜ୍ୟ ସରକାର ଅବଗତ ଅଛନ୍ତି । ଚାବି ହଜିଯିବା ସଂପର୍କରେ ରାଜ୍ୟ ସରକାର ଜାଣି ମଧ୍ୟ କାହିଁକି ନୀରବ ରହିଥିଲେ ? ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଓଡିଆଙ୍କ ଭାବାବେଗ ସହ ଖେଳୁଥିବା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଲଜ୍ଜିତ ବୋଧ କରିବା ପରିବର୍ତେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ଆହୁରି ଲଜ୍ଜାଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।ଶ୍ରୀମନ୍ଦିରକୁ ନେଇ ଅତୀତରେ ଗଠିତ ହୋଇଥିବା କମିଶନଙ୍କ ରିପୋର୍ଟରୁ ଆଜି ସୁଦ୍ଧା କୈାଣସି ସୁଫଳ ମିଳି ନାହିଁ । ବର୍ତମାନ ମଧ୍ୟ ରତ୍ନଭଣ୍ଡାର ଚାବିକୁ ନୋଇ ଗଠିତ ହୋଇଥିବା କମିଶନରୁ କୈାଣସି ସୁଫଳ ମିଳିବ ନାହିଁ । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ରାଜ୍ୟ ସରକାର କେବଳ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମରତ । ଏପରିକି ଶାସକ ଦଳର କିଛି ବରିଷ୍ଠ ନେତୃବୃନ୍ଦ ମଧ୍ୟ ତଦନ୍ତ କମିଶନର ଫଳାଫଳକୁ ନେଇ ଆଶଙ୍ଖା ପ୍ରକାଶ କରିସାରିଛନ୍ତି ।ଜଗନ୍ନାଥ ସଂସ୍କୃତିର ସୁରକ୍ଷା ନିହାତି ଜରୁରୀ । ରତ୍ନଭଣ୍ଡାର ଚାବି ହଜି ନାହିଁ ବରଂ ଚୋରୀ ହୋଇଛି । ଏହା ନିଶ୍ଚିିତ ଭାବେ ଅପରାଧିକ ଷଡଯନ୍ତ୍ର ଏବଂ ଫୈାଜଧାରୀ ମାମଲା ଆଧାରରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଏଜ ନିରପେକ୍ଷ ଓ ଜାତୀୟ ସଂସ୍ଥା ମାଧ୍ୟମରେ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏବଂ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here