ଆସନ୍ତାକାଲିଠାରୁ ୩୦ଟି ଜିଲ୍ଲାର ସଦର ମହକୁମାଠାରେ ବିକ୍ଷୋଭ କରିବ ମହିଳାମୋର୍ଚ୍ଚା: ପ୍ରଭାତୀ ପରିଡା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାର ପ୍ରତିବାଦରେ ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରି ଆସନ୍ତାକାଲିଠାରୁ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ସଦର ମହକୁମାଠାରେ ବିକ୍ଷୋଭ, ପ୍ରତିବାଦ ସଭା ଓ କୁଶପୁତଳିକା ଦାହ କରିବ ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

 ସରକାରୀ ସୁରକ୍ଷାରେ ଚାଲିଥିଲା ଏମିତି ଘୃଣ୍ୟ କାମ
 ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି
 ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଛତ୍ରଛାୟା ତଳେ ଡାଡି ବିସ୍ତାର କରିଥିଲା ତାର ପାପ ସାମ୍ରାଜ୍ୟ
 ଏହି ଘଟଣାରେ ସସ୍ମିତ ପାତ୍ରଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ

ଶ୍ରୀମତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଏପରି ସେଲଟର ହୋମ ରାଜ୍ୟର ୨୬ଟି ସ୍ଥାନରେ ବେଆଇନ ଭାବେ ଚାଲୁଥିଲା । ସେଥିରେ ୧୫ଟିକୁ ଖୋଦ୍ ରାଜ୍ୟସରକାରଙ୍କ ଅନୁମତି ମିଳିଥିଲା । ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟସରକାରଙ୍କ ବିନା ଅନୁମତିରେ ଏପରି ହୋମ୍ ଚାଲିଛି ବୋଲି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ର ନଜରକୁ ଆସିଥିଲା । ସରକାରୀ ସୁରକ୍ଷାରେ ଏପରି କାମ କିପରି ଚାଲିଥିଲା ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି । ଶ୍ରୀମତୀ ପରିଡା କହିଛନ୍ତି ଯେ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ବାପାଙ୍କ ହାତ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରବର୍ତୀ ଦଙ୍ଗାରେ ଲାଲ୍ ହୋଇଥିଲା । ଏବେ ତାଙ୍କ ପୁଅ ବିଭିନ୍ନ ଖ୍ରୀଷ୍ଟିଆନ୍ ସଙ୍ଗଠନର ବରିଷ୍ଠ ସଦସ୍ୟ ଅଛନ୍ତି । ସସ୍ମିତଙ୍କ ଛତ୍ରଛାୟା ତଳେ ରହି ଫୟାଜ୍ ରେହମାନ ଓରଫ ଡାଡି ତାର ସାମ୍ରାଜ୍ୟ ବିସ୍ତାର କରିଥିଲା ବୋଲି ଅଭିଯୋଗ କରିବା ସହ ଶ୍ରୀ ପାତ୍ରଙ୍କୁ ଏହି ଘଟଣାରେ ତଦନ୍ତ ପରିସରଭୃକ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ନିୟତି ଗିରୀ ପ୍ରମୁଖ ଉପସ୍ଥିତ ଥିଲେ ।