ମୋଦିଙ୍କୁ ପୁରୀରୁ ଲଢ଼ିବାକୁ ରାଜ୍ୟ ବିଜେପିର ପ୍ରସ୍ତାବ

ଭୁନନେଶ୍ୱର: ଆସନ୍ତା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପି ପ୍ରସ୍ତାବ ଦେଇଛି । ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି ସୂଚନା ଦେଇଛନ୍ତି । ଆସନ୍ତା ନିର୍ବାଚନରେ ବିଜେପି ପୁଣି କେନ୍ଦ୍ରରେ ସରକାରକୁ ଫେରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟକୁ ଆଧାର କରି ଶ୍ରୀ ପଣ୍ଡା କହିଛନ୍ତି, ସର୍ଭେରେ ଯାହା ଦର୍ଶାଯାଇଛି ତାହାଠାରୁ ଅଧିକ ଆସନରେ ବିଜେପି ଜିତିବ ବୋଲି ସେ କହିଛନ୍ତି । କିନ୍ତୁ ରାଜ୍ୟ ବିଜେପି ମୋଦିଙ୍କୁ ପୁରୀରୁ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିବା କଥା ସେ କହିଛନ୍ତି । କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ହେଉଛି କେବଳ ବିଜେପି ସଂସଦୀୟ ବୋର୍ଡର । ବହୁ ଆଗରୁ ମଧ୍ୟ ଏ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ବାସ୍ତବ ରୂପରେଖ ନେଇ ସନ୍ଦେହ ରହିଛି ବୋଲି କୁହାଯାଉଛି । ଅବଶ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୦୧୪ ନିର୍ବାଚନରେ ତାଙ୍କ ନି ରାଜ୍ୟ ଗୁଜୁରାଟର ଭଦୋଦରା ଓ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନରୁ ଲଢ଼ିଥିଲେ । କିନ୍ତୁ ସେ ଗୁଜୁରାଟରୁ ପ୍ରତିନିଧିତ୍ୱ ନ କରି ଉତ୍ତର ପ୍ରଦେଶରୁ ପ୍ରତିନିଧିତ୍ୱ କରିବାକୁ ଚାହିଁଲେ । ବାରଣାସୀ ଆସନ ରଖି ଭଦୋଦରା ଆସନ ଛାଡ଼ିଲେ । ଏଣୁ ଏଥର ପୁରୁରୀ ନିର୍ବାଚନ ଲଢ଼ିବା ନେଇ କିଛି ବାଧା ନାହିଁ । ଥରେ ପ୍ରଧାନମନ୍ତ୍ରୀ ଅନ୍ୟ ରାଜ୍ୟରୁ ଛିଡ଼ା ହୋଇ ସାରିଥିବାରୁ ଆଉ ଏକ ରାଜ୍ୟରୁ ଛିଡ଼ା ହେବାରେ କୌଣସି ପ୍ରତିବନ୍ଧକ ନାହିଁ । ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ୰ ପି ଭି ନରସିଂମା ରାଓ ୧୯୯୬ରେ ଓଡ଼ିଶାର ବ୍ରହ୍ମପୁରରୁ ନିର୍ବାଚନ ଲଢ଼ି ଜିତିଥିଲେ । ଯଦି ମୋଦି ରାଜି ହୁଅନ୍ତି ସେ ଏବେ ଦ୍ୱିତୀୟ ବ୍ୟକ୍ତି ଯେ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଲଢ଼ିବେ । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଥାଇ ଲଢ଼ିବା ନେଇ ଗୁରୁତ୍ୱ ରହିବ ।
ମୋଦି ଯଦି ପୁରୀରୁ ଲଢ଼ିବେ ତେବେ ଓଡ଼ିଶା ବିଜେପି ପାଇଁ ବେଶ ଲାଭଦାୟକ ହେବ । ରାଜ୍ୟରେ ବିଜେପିର ଏକ ହାୱା ଆସିବ । ବର୍ତ୍ତମାନ ଯାହା ରାଜନୀତିକ ପରିସ୍ଥିତି ବିଜେପି ଆସନ୍ତା ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛି ତାହା ସମ୍ଭବ ହୋଇ ନ ପାରେ । ହେଲେ ମୋଦି ଯଦି ଆସି ଏଠାରେ ଛିଡ଼ାହେବେ ତେବେ ରାଜନୀତିକ ପାଣିପାଗ ସମ୍ପୂର୍ଣ୍ଣ ବଦଳିଯିବ । ବିଜେପି ସପକ୍ଷରେ ଜନମତ ସୃଷ୍ଟି ହେବାର ସମ୍ଭାବନା ରହିବ । ବିଜେଡି ପାଇଁ ଅଡୁଆ ପରିସ୍ଥିତି ଆଣିବ । ବୋଧହୁଏ ଆସନ୍ତା ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ବିଜେପି ଆଶା ବାନ୍ଧିଥିବାରୁ ଏହାକୁ ସାକାର କରିବା ପାଇଁ ବିଜେପି ନେତାମାନେ ମୋଦିଙ୍କୁ ଓଡ଼ିଶାରୁ ଲଢ଼େଇବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି ।
ଏବିପି ନ୍ୟୁଜ୍ ଓ ସି-ଭୋଟର ସର୍ଭେରେ ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ବିଜେପିକୁ ୧୩ଟି, ବିଜେଡିକୁ ୬ଟି ଓ କଂଗ୍ରେସକୁ ୨ଟି ଆସନ ମିଳିବ ବୋଲି ଉଲ୍ଲେଖ ରହିଛି । ଏଣୁ ଏହି ସର୍ଭେକୁ ଦେଖି ବିଜେପି ବେଶ ଉତ୍ସାହିତ ହୋଇଛି । ପୂର୍ବରୁ ଇଣ୍ଡିଆ ଟୁଡେ ସର୍ଭେରେ ମଧ୍ୟ ମୋଦିଙ୍କୁ ୫୪ ପ୍ରତିଶତ ଲୋକେ ସମର୍ଥନ କରୁଥିବା କଥା ଉଲ୍ଲେଖ ରହିଥିଲା । ଏଣୁ ମୋଦିଙ୍କ ହାୱାରେ ରାଜ୍ୟ ବିଜେପି ନେତାମାନେ ନିର୍ବାଚନ ବୈତରଣୀ ପାରି ବେହାକୁ ଚାହୁଁଛନ୍ତି । ୨୦୧୪ର ବିଫଳତା ୨୦୧୯ରେ ସଫଳ ଆଣିବ ବୋଲି ସେମାନେ ଏବେ ଆଶା ବାନ୍ଧିଛନ୍ତି ।