ପରାଜୟ ଭୟରେ ମିଛର ସାହାରା ନେଉଛି ଶାସକ ଦଳ : ବିଜେପି

ଭୁବନେଶ୍ୱର : ବିଜେଡିକୁ ଘାରିଛି ନିର୍ବାଚନ ପରାଜୟର ଭୟ । ସେହି ଭୟରେ ଏବେ ମିଛ ଅଭିଯୋଗକୁ ଭରଷା କରିଛି ବିଜୁ ଜନତା ଦଳ । ପେଟ୍ରୋଲ୍ ଟାଙ୍କିରେ ଟଙ୍କା ରହିଛି ବୋଲି ଯେଉଁ ଅଭିଯୋଗ କରାଯାଉଛି ତାହା ବିଜେଡି ଦଳର ଏକପ୍ରକାର କଳ୍ପନା ଯାହା ସମ୍ପୃର୍ଣ୍ଣ ଅବାସ୍ତବ ଓ ମିଥ୍ୟା । ବିଜେଡିର ଏହିପରି ଅଭିଯୋଗ ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ । ବିନା ପ୍ରମାଣରେ ଏପରି ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ । ବିଜେଡି ଦଳର ନେତା ତଥା ମନ୍ତ୍ରୀ ପ୍ରତାପ ଜେନା ରଙ୍ଗେ ହାତ୍ ଧରାପଡିବା ପରେ ଏବେ ବିଜେଡି ଏପରି ଅଭିଯୋଗ କରୁଛି ବୋଲି କହିଛନ୍ତି ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ସାଲେପୁରରେ ବିଜେଡିକୁ ଭୋଟଦେଲେ ପଂଚାୟତ ପିଛା ୩୫ ଲକ୍ଷ ଓ ବୁଥ ପିଛା ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରିଛନ୍ତି । ମନ୍ତ୍ରୀଙ୍କ ଏହି ଭୋଟ ପାଇଁ ଲାଂଚ ମାମଲା ସାର୍ବଜନୀନ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାସହ କିଛି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଏହି ଲାଂଚ ଯାଚିବା ବେଳେ ମନ୍ତ୍ରୀ ସବୁ ଗଣମାଧ୍ୟମକୁ କ୍ୟାମେରା ଓ ମୋବାଇଲ୍ ବନ୍ଦ କରିବା ପାଇଁ ବାରମ୍ବାର ତାଗିଦ୍ କରିବା ଆଇନ ବିରୋଧୀ ଏହା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଜୁ ଜନତା ଦଳର ନେତା ତଥା ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବରା କଲ୍ୟାଣ ତଥା ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଆଗାମୀ ୨୦୧୯ ନିର୍ବାଚନ ଲଢିବାକୁ ଅସିଦ୍ଧ ଘୋଷଣା କରିବା ପାଇଁ ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ
ବିଧିବଦ୍ଧ ଅଭିଯୋଗ କରାଯିବା ସହ ଏହାର ପ୍ରମାଣ ଦିଆଯାଇଛି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ବିଜେଡି ଆସନ୍ନ ପରାଜୟରେ ଭୟଭୀତ ହୋଇ ଭୋଟରଙ୍କୁ ଲାଂଚ ଯାଚିବାର ଅପଚେଷ୍ଟା ରାଜ୍ୟର ସାଧାରଣ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବ । ଓଡିଶା ବଡ ପରିବର୍ତନ ଆଡେ ମୁହାଁଇଲାଣୀ । ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଂଜିନ୍ ଲଗାଇବା ପାଇଁ ରାଜ୍ୟବାସୀ ପ୍ରସ୍ତୁତ ହୋଇଗଲେଣୀ । ଓଡିଶାରେ ପରିବର୍ତନର ପବନ ଦେଖି ଶାସକ ବିଜେଡି ଦଳ ଭୟଭୀତ ହୋଇ ଏପରି କାମ କରୁଛି । ଏହାକୁ ନିର୍ବାଚନ କମିଶନ ଗୁରୁତର ସହ ନେବା ଦରକାର ।

ଏଥର ଭାଜପା ପ୍ରାର୍ଥୀ ହେବେ ବଲିଉଡର ଦୁଇ ଅକ୍ଷୟ