ମହାନଦୀକୁ ନେଇ ବିଜେପି-ବିଜେଡି ଦୋଷ ଠେଲା ଠେଲି ଜାରି

ଭୁବନେଶ୍ୱର, ୧୩ା୦୬ା୨୦୧୮: ମହାନଦୀର ମହାବିବାଦ ଭିତରେ ଏବେ ରାଜନୈତିକ ଦଳଗୁଡ଼ିକ ଫସିଛନ୍ତି । ବିଶେଷ କରି ବିଜେପି-ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ, ବୟାନବାଜୀ ଓ ଆରୋପ, ପ୍ରତ୍ୟାରୋପ ଏବଂ କାଦୁଅ ଫିଙ୍ଗା ଜାରି ରହିଛି । ଦୁଇ ଦଳ ପରସ୍ପରକୁ ଏହି ଘଟଣାରେ ଦୋଷାରୂପ କରିବାରେ ଲାଗିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟକୁ ବିରୋଧ କରି ଓଡ଼ିଶା ସରକାରଙ୍କୁ ସହଯୋଗର ହାତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଢ଼ାଇଥିଲେ ମଧ୍ୟ ବିଜେଡି ଏହାକୁ ଭିନ୍ନ ଭାବରେ ଗ୍ରହଣ କରୁଛି । ଏହା ପଛରେ ଆନ୍ତରିକତା କମ୍ ଓ ବାଧ୍ୟବାଧ୍ୟକତା ବେଶୀ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି । କିନ୍ତୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜେପି ସବୁ କିଛି ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଭଳି ବିବାଦ ଲାଗି ରହିଥିଲା ବେଳେ ବିଜେଡି ପକ୍ଷରୁ ମହାନଦୀ ଆନ୍ଦୋଳନର ପ୍ରମୁଖ ଭାଗରେ ଥିବା ବରିଷ୍ଠ ଉପସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଏହି ବାବାଦ ଭିତରକୁ ଟାଣିଛନ୍ତି । ଅନ୍ୟପଟରେ ବିଜେପି ମଧ୍ୟ ଏହାର ଜବାବ ଦେଇଛି ।
ସମ୍ବଲପୁର ପ୍ରେସ୍ କ୍ଲବ୍ରେ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ମହାନଦୀକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତା’ର ସମାଧାନ ଦିଗରେ କେନ୍ଦ୍ର ସରକାର ନିଜ ସାର୍ବଭୌମ ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁନାହାନ୍ତି । କେନ୍ଦ୍ର ସରକାର ଦଳୀୟ ସଂକୀର୍ଣ୍ଣତାର ଊଦ୍ଧ୍ୱର୍କୁ ଉଠି ଏହି ବିବାଦର ସମାଧାନ କରିବାକୁ ଆଗେଇ ଆସିବା ଉଚିତ୍ । କିନ୍ତୁ କେନ୍ଦ୍ର ସରକାର ଦଳୀୟ ଦୃଷ୍ଟିଭଙ୍ଗୀରେ ମହାନଦୀ ବିବାଦକୁ ଦେଖି ପକ୍ଷପାତୀ ଭୂମିକା ଗ୍ରହଣ କରୁଛନ୍ତି । ଛତିଶତଗଡ଼ର ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ । ସମସ୍ତ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ମହାନଦୀ ପ୍ରସଙ୍ଗକୁ ବିଚାର କରିବା ଦରକାର । ଏଣୁ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଏହି ବିବାଦର ସମାଧାନ ହେବା ଆବଶ୍ୟକ । ଏକ୍ଷେତ୍ରରେ ସମସ୍ତେ ଏକଜୁଟ ହୋଇ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଏହା ଅଧିକ ଜଟିଳ ରୂପ ଧାରଣ କରିବେ ।” ଶ୍ରୀ ଆଚାର୍ଯ୍ୟ ଆହୁରି ସୂଚନା ଦେଇଛନ୍ତି ଯେ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୭ଟି ବ୍ୟାରେଜ୍ ଓ ଆନିକଟ ନିର୍ମାଣ ହୋଇଛି । ଆନିକଟ ନାମରେ ଛତିଶଗଡ଼ ସରକାର ଛୋଟ ଛୋଟ ହୀରାକୁଦ ବନ୍ଧ ନିର୍ମାଣ କରିଛନ୍ତି । ଏହାଦ୍ୱାରା କେବଳ ଓଡ଼ିଶା ନୁହେଁ, ଛତିଶଗଡ଼ର ୧୦ଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଛି । ବ୍ୟାରେଜ୍ ନିର୍ମାଣ ପୂର୍ବରୁ ଛତିଶଗଡ଼ ସରକାର ନିଜ ରାଜ୍ୟର ପ୍ରଭାବ ଆକଳନ ପ୍ରାଧିକରଣ (ସିଆ)ର ଅନୁମତି ମଧ୍ୟ ନେଇ ନାହାନ୍ତି । ତେଣୁ ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ବେଆଇନ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଛନ୍ତି ।
ଏହି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ପାଲଟଣା ସମାଲୋଚନା କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବଦ ପାତ୍ର କହିଛନ୍ତି “ଓଡ଼ିଶା ପାଇଁ ମହାନଦୀ ଗୁରୁତ୍ୱ ବହନ କରୁଛି । କିନ୍ତୁ ଏହାର ଜଳକୁ ଉଚିତ୍ ବିନିଯୋଗ କରାଯାଉ ନାହିଁ । ମହାନଦୀ ପାଇଁ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହୁଥିବା ନବୀନ ସରକାର ନିଜେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଦୀର୍ଘ ୧୯ ବର୍ଷ ଶାସନ କରିଥିବା ବିଜେଡି ମହାନଦୀ ପାଣି ସୁବିନିଯୋଗ ପାଇଁ କ’ଣ କରିଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଅନ୍ୟ ଏକ ରାଜ୍ୟକୁ କାମ ବନ୍ଦ କରିବା ପାଇଁ କହିବା ସମ୍ଭବ ନୁହେଁ । ଏହା ଆଇନ ସମତ ନୁହେ । କିନ୍ତୁ ଗଠନ ହୋଇଥିବା ଟ୍ରିବ୍ୟୁନାଲ୍ର କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାର କ୍ଷମତା ରହିଛି । ରାଜ୍ୟ ସରକାର ଟ୍ରିବ୍ୟୁନାଲରେ ସମସ୍ତ ତଥ୍ୟ ରଖନ୍ତୁ, ଆମେ ବି ସହଯୋଗ କରିବୁ । କୋର୍ଟ ଚାହିଁଲେ ଏହାକୁ ରୋକାଯାଇ ପାରିବ ।

LEAVE A REPLY

Please enter your comment!
Please enter your name here