ବିଜେଡି ମହିଳାଙ୍କ ପାଇଁ ଖୁସି ଖବର : ସବୁ ଜିଲ୍ଲାରେ ଦଳ ଦେବ ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ମାତ ଦେବାକୁ ଏକ ନୂଆ ଚାଲ ଚଳାଇବାକୁ ଯାଉଛନ୍ତି । ସମଗ୍ର ଦେଶରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା ଉଠାଇ ଚର୍ଚ୍ଚାକୁ ଆସିଥିବା ନବୀନ ଏହି ବ୍ୟବସ୍ଥାକୁ ଆସନ୍ତା ନିର୍ବାଚନରେ ନିଜ ଦଳରୁ ଆରମ୍ଭ କରିବାକୁ ଯାଉଥିବା କଥା ଚର୍ଚ୍ଚା ହେଉଛି । ଦଳର ବହୁ ନେତା ଏ ସମ୍ପର୍କରେ କହୁଛନ୍ତି ଯେ, ଏଥିନେଇ ପ୍ରକ୍ରୀୟା ମଧ୍ୟ ଆରମ୍ଭ ହୋଇସାରିଛି । ଭବିଷ୍ୟତରେ ଯେପରି ଆଉ କେହି ଆଙ୍ଗୁଳି ଉଠାଇ ନ ପାରିବେ ସେଥିପାଇଁ ଦେଶରେ ପ୍ରଥମ ଦଳ ଭାବରେ ବିଜେଡି ମହିଳାଙ୍କୁ ଅଗ୍ରାଧିକାର ଦେବାଲାଗି ଯୋଜନା କରିଛି । ରାଜ୍ୟର ସବୁ ଜିଲ୍ଲାରେ ଅନ୍ତତଃପକ୍ଷେ ଜଣେ ଲେଖା ମହିଳା ବିଜେଡି ପ୍ରାର୍ଥୀ ହେବେ । ପ୍ରତି ଜିଲ୍ଲାରୁ ଏ ନେଇ ସମ୍ଭାବ୍ୟ ମହିଳା ପ୍ରାର୍ଥୀଙ୍କ ନାଁ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।
ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସହପର୍ଯ୍ୟବେକ୍ଷକମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଜିଲ୍ଲାରେ ରହିଥିବା କେଉଁ ମହିଳା ପ୍ରାର୍ଥୀ ହେଲେ ଦଳ ପାଇଁ ସୁବିଧାଜନକ ହେବ ସେ ନେଇ ରିପୋର୍ଟ ମଗାଯାଇଛି । ସ୍ୱତନ୍ତ୍ର ଭାବରେ ମହିଳା ପ୍ରାର୍ଥୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପର୍ଯ୍ୟବେକ୍ଷକମାନେ ଦେବେ । ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପାଇଲା ପରେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଅନ୍ତତଃପକ୍ଷେ ଦୁଇ ତିନୋଟି ନାଁ ଦେବା ପାଇଁ କୁହାଯାଇଛି । ମହିଳାଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ ମଧ୍ୟ ହେବ । ପର୍ଯ୍ୟବେକ୍ଷକଙ୍କ ତାଲିକା ମିଳିଲା ପରେ କାହାକୁ ପ୍ରାର୍ଥୀ କଲେ ଲାଭଦାୟକ ହେବ ଓ କାହାର ଜିତିବା ସମ୍ଭାବନା ଅଧିକ ରହିବ ସେ ନେଇ ପ୍ରଶାସନିକସ୍ତରରେ ମଧ୍ୟ ଯାଞ୍ଚ କରାଯିବ । ଜିଲ୍ଲାପାଳଙ୍କ ରିପୋର୍ଟ ମଧ୍ୟ ନିଆଯିବ । ଗୁଇନ୍ଦା ରିପୋର୍ଟ ମଧ୍ୟ ସଂଗ୍ରହ ହେବ । ଏକପ୍ରକାର ସର୍ଭେ ମଧ୍ୟ କରିବାକୁ ଯୋଜନା ରଖାଯାଇଛି । ଅନ୍ତତଃ ପକ୍ଷେ ସର୍ବନିମ୍ନ ୩୦ ଜଣ ମହିଳା ପ୍ରାର୍ଥୀ ଛିଡ଼ା କରିବା ପାଇଁ ଯୋଜନା କରାଯାଇଥିବା କୁହାଯାଇଛି । ଯେଉଁ ଜିଲ୍ଲାରେ ଏକାଧିକ ମହିଳା ପ୍ରାର୍ଥୀ ମିଳିବେ ତାଙ୍କୁ ମଧ୍ୟ ଅଗ୍ରାଧିକାର ମିଳିବ । କିନ୍ତୁ ସବୁ ଜିଲ୍ଲାରେ ଯେପରି ଜଣେ ମହିଳା ପ୍ରାର୍ଥୀ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମହିଳାଙ୍କ କ୍ଷେତ୍ରରେ ଚାମ୍ପିଅନ ବୋଲି ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି । କେନ୍ଦ୍ର ମୋଦି ସରକାର ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାରେ ସମର୍ଥ ହୋଇପାରିଲେ ନାହିଁ । ଏଣୁ ନବୀନ ଏ ଦିଗରେ ଅଗ୍ରଣୀ ବୋଲି ଦେଶରେ ଏକ ଧାରଣା ଦେବାପାଇଁ କିଛିଦିନ ହେଲା ଉଦ୍ୟମ ଚଳାଇଛନ୍ତି । ସବୁ ରାଜନୈତିକ ଦଳ ଜାତୀୟ ଓ ଆଂଚଳିକ ଦଳର ନେତାମାନଙ୍କ ନିକଟକୁ ତାଙ୍କର ବାର୍ତ୍ତା ପଠାଇଥିଲେ । ବିଜେଡି ନେତାମାନେ ବିଭିନ୍ନ ଦଳର ମୁଖିଆଙ୍କ ପାଖକୁ ଯାଇ ନବୀନଙ୍କ ବାର୍ତ୍ତା ପହଂଚାଇଥିଲେ । ୩୩ ପ୍ରତିଶତ ସଂରକ୍ଷଣ ଲାଗି ସମର୍ଥନ ଦେବା ପାଇଁ ଅନୁରୋଧ କରିଥିଲେ । ଅନେକ ଦଳର ମୁଖିଆ ନବୀନଙ୍କ ଏହି ମତ ସହ ସହମତି ପ୍ରଦାନ କରି ସମର୍ଥନ ଦେଇଥିଲେ । କେବଳ ଏତିକି ନୁହେଁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ବ୍ୟକ୍ତିଗତ ଭାବେ ଚିଠି ଲେଖି ନିଜ ନିଜ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଲାଗି ପ୍ରସ୍ତାବ ଗୃହୀତ କରିବାକୁ ଅନୁରୋଧ କରିଥିଲେ । କିଛି ରାଜ୍ୟ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି । କିନ୍ତୁ ଓଡ଼ିଶା ବିଧାନଭାରେ ନବୀନ ଗତ ଅଧିବେଶନରେ ପ୍ରଥମ ପଦକ୍ଷେପ ନେଇଥିଲେ । ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ୩୩ ପ୍ରତିଶତ ସଂରକ୍ଷଣ ଲାଗି ଗ୍ରହଣ କରାଯାଇଥିଲା । ଏ ବିଷୟରେ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତସ୍ତରରେ ହସ୍ତକ୍ଷେପ କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନବୀନ ଅନୁରୋଧ କରିଥିଲେ ।