6 ମୁଖପାତ୍ରଙ୍କୁ ନବୀନଙ୍କ ତାଗିଦ : “ମାପିଚୁପି କଥା କୁହ”

2

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଗରୁ 6 ମୁଖପାତ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟଙ୍କ ପରାମର୍ଶ। ସଂଜମତା ଅବଲମ୍ବନ କର, ବିବାଦୀୟ ବା ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇ ବିରୋଧୀଙ୍କୁ ସୁଯୋଗ ଦିଅ ନାହିଁ।ମନଇଛା ଯାହା ପାରୁଛ ତାହା କୁହନା। ନିଜ ତୁଣ୍ଡରେ ମାନେ ପାଟିରେ ଲଗାମ ଦିଅ, 12 ଜଣ ମୁଖପାତ୍ର ନିଜ ନିଜ ଭିତରେ ସମନ୍ୱୟ ରଖି ଗଣମାଧ୍ୟମରେ ମତାମତ ରଖ। ଆଜି ନିଜ ଦଳର 6 ମୁଖପାତ୍ରଙ୍କୁ ଏଭଳି ଟ୍ୟୁସନ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛି ଦିନ ହେଲା ମୁଖପାତ୍ରଙ୍କ ମନ୍ତବ୍ୟକୁ ନେଇ ଭିଷଣ ବିରକ୍ତି ହେଉଥିଲେ ନବୀନ। ଫଳରେ ଆଜି ନବୀନ ନିବାସରେ 6 ମୁଖପାତ୍ରଙ୍କ ଏକ ଜରୁରୀ ବୈଠକ ବସିଥିଲା। ବିଭିନ୍ନ ସମୟରେ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ରଖୁଥିବାରୁ ବୈଠକରେ ତାଗିଦ କରିଥିଲେ ନବୀନ। ଏହାସହ ମତ କିପରି ହେବା ଉଚିତ୍‌ ଓ ବିବାଦୀୟ ପ୍ରସଙ୍ଗରେ ମୁଖପାତ୍ରମାନେ ଦଳର ସଭାପତିଙ୍କ ମତାମତ ଲୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ବିରୋଧୀଙ୍କ ଅଭିଯୋଗ ଉପରେ କିଭଳି ଉତ୍ତର ଦିଆଯିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସୋମବାର ସନ୍ଧ୍ୟାର ଜରୁରୀ ବୈଠକରେ ଶଶୀ ଭୂଷଣ ବେହେରା, ପ୍ରତାପ ଦେବ, ଅମର ପ୍ରସାଦ ଶତପଥୀ, ପ୍ରଶାନ୍ତ ନନ୍ଦ, ସମୀର ଦାଶ ଓ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ବିଶେଷକରି ନିକଟରେ ମହାନଦୀର ଜଳ ପ୍ରବାହ ଓ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ମୁଖପାତ୍ର ପ୍ରତାପ ଦେବଙ୍କ ମନ୍ତବ୍ୟ ସରକାରଙ୍କୁ ଅଡୁଆରେ ପକାଇଛି। ବିଧାନସଭାରେ ଜଳସଂପଦ ବିଭାଗର ତଥ୍ୟକୁ ନେଇ ପ୍ରତାପ ଦେବଙ୍କ ମତ ମୁଖ୍ୟମନ୍ତ୍ରଙ୍କୁ ବିରୋଧିଙ୍କ ଟାର୍ଗେଟକୁ ଟାଣି ଆଣିଛି। ସରକାର ବିଧାନସଭାରେ ବେଳେବେଳେ ଭୁଲ ତଥ୍ୟ ରଖନ୍ତି ବୋଲି ପ୍ରତାପ ଦେବ କହିଥିଲେ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ କଥା ଉଠାଇବାକୁ ବିରୋଧୀ ଦଳ କହିଛନ୍ତି। ସେପଟେ ଗତ 25 ତାରିଖରେ ବିଜେପିର ଜନ ଜାଗରଣ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟ ସରକାରଙ୍କୁ 17 ବର୍ଷ ଶାସନର ହିସାବ ମାଗିଥିଲେ।  ସେହି ପ୍ରସଙ୍ଗରେ ମୁଖପାତ୍ର ପ୍ରଶାନ୍ତ ନନ୍ଦ କେନ୍ଦ୍ର ସରକାର ଓଡିଶାକୁ ୭୦ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି ବୋଲି କହିଥିଲେ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତଥ୍ୟ ଭିତ୍ତିକ ଆକ୍ରମଣ କରିବାକୁ ସୁଯୋଗ ପାଇଲା ବିଜେପି। ସେହିପରି ଦଳୀୟ କାର୍ଯ୍ୟାଳୟକୁ ନଆସି ସବୁବେଳେ ନିଜ ଘରୁ ମିଡିଆକୁ ପ୍ରତିକ୍ରିୟା ରଖୁଥିବାରୁ ଅମର ଶତପଥୀଙ୍କ ଉପରେ ନବୀନ ବିରକ୍ତି ହୋଇଥିବାର ଖବର ମିଳିଛି।ସେହିପରି ମୁଖପାତ୍ର ସସ୍ମିତ ପାତ୍ର ଭୁବନେଶ୍ବରରେ ଥାଇ ମଧ୍ୟ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ କାହିଁକି ଦୂରେଇ ରଖୁଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।

ତେବେ ବୈଠକକୁ ବାକି 6 ମୁଖପାତ୍ରଙ୍କୁ କାହିଁକି ଡକା ଯାଇନଥିଲା ତାହା ଜଣା ପଡିନାହିଁ। ତେବେ ସୋମବାର ସନ୍ଧ୍ୟାର ବୈଠକରେ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରତାପ ଜେନା, ରବି ନାରାୟଣ ନନ୍ଦ, ରାଶେସ୍ବରୀ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର ଓ ଡମ୍ବୁର ଶିଶା ଅନୁପସ୍ଥିତ ଥିଲେ। ତେବେ ଆଜିର ବୈଠକ ପରେ ଯଦି କେଉଁ ମୁଖପାତ୍ର ବିନା ପରାମର୍ଶରେ ପାର୍ଟି ଲାଇନରୁ ବାହାରି କିଛି ଅଧିକ କହିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶୁଣିବାକୁ ମିଳିଛି। ବୈଠକ ସଂପର୍କରେ ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ଆଉ ଦୁଇ ଦିନ ପରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ସେହି ସମୟରେ ଦଳର ମୁଖପାତ୍ରମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଉତ୍ତର ଦେବା ଲାଗି ଆଲୋଚନା ହୋଇଥିଲା”।

 

 

LEAVE A REPLY

Please enter your comment!
Please enter your name here