ମୋଦିଙ୍କ ଆୟୁଷ୍ମାନ ଲାଗୁ ପ୍ରସ୍ତାବକୁ ବିଜେଡିର ପ୍ରତ୍ୟାଖ୍ୟାନ

ଭୁନନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରା ଟାର୍ଗେଟ କଲେ । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ଏବଂ ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର କେତେ ଅର୍ଥ ଦେଉଛନ୍ତି ତାହା ଜଣାଇଲେ । ବିଜେଡି ଏହାର ଜବାବ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ବିଜେଡି ସିଧାସଳଖ ପ୍ରତ୍ୟାଖାନ କରିଛି । ଏଥିସହ ପ୍ରଧାନମନ୍ତ୍ରୀ ଏକ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଆସି ନିର୍ବାଚନୀ ଭାଷଣ ଦେଇଥିବା ଉଲ୍ଲେଖ କରି ବିଜେଡିକୁ ସମାଲୋଚନା କରିଛି ।
ଆଜି ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପ୍ରତିକ୍ରୀୟା ରଖି ବିଜେଡି ନେତା ସୁବାଷ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନିର୍ବାଚନୀ ଭାଷଣ ଦେଇଛନ୍ତି । କାରଣ ନିର୍ବାଚନ ପାଇଁ ଆଉ ୪ ମାସ ସମୟ ରହିଲା । ଆୟୁଷ୍ମାନ ଯୋଜନା ଘୋଷଣା ହୋଇଛି କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଏଥିରେ ୬୦ ଭାଗ କେନ୍ଦ୍ର ସରକାର ଦେବେ ଓ ରାଜ୍ୟ ସରକାର ୪୦ ଭାଗ ଅର୍ଥ ଦେବେ । ଏଥିନେଇ ଏମ୍ଓୟୁ ସ୍ୱାକ୍ଷର ହେବ ଓ ବହୁ ପ୍ରକ୍ରୀୟା ଦେଇ ଗତି କରିବ । ସେତେବେଳକୁ ନିର୍ବାଚନ ସରିଯାଇଥିବ । ଅଗଷ୍ଟ ୧୫ରୁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ଲକ୍ଷାଧିକ ଲୋକଙ୍କୁ ସୁବିଧା ଦେଇସାରିଲେଣି । ଏହା ହେଉଛି ବାସ୍ତବତା । ଏହି ଯୋଜନାରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ବ୍ୟବସ୍ଥା ଅଛି । ସ୍ୱାସ୍ଥ୍ୟ ସୁରକ୍ଷା ଓ ଜନନୀ ଯୋଜନା ସେହି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ତାହା କେତେଦୂର କାର୍ଯ୍ୟକାରୀ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କର ମମତା ଯୋଜନାରେ ୩୦ ଲକ୍ଷ ମହିଳା ସହାୟତା ପାଇଲେଣି । ଭାତର ସରକାର ୨୦୧୧ ଜନଗଣନାକୁ ଭିତ୍ତିକରି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ଏଥିରେ ୬୧ ଲକ୍ଷ ପରିବାର ଉପକୃତ ହେବାର ଥିଲା । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରକୁ ଯୋଡ଼ି ସାରିଲେଣି । ଏହା ପୂର୍ବରୁ ଓଡ଼ିଶା ଟ୍ରିଟମେଟ ଫଣ୍ଡରେ ରାଜ୍ୟ ସରକାର ପ୍ରତିବର୍ଷ ଶହଶହ କୋଟି ଟଙ୍କା ବିନିଯୋଗ କରୁଛନ୍ତି । ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଦେବାପାଇଁ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ କେବଳ ଦଳୀୟ ନିର୍ବାଚନ ପ୍ରଚାର କରିବା ପାଇଁ ଏ କାର୍ଯ୍ୟକ୍ରମ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ମଧ୍ୟ ସେହି ସମାନ କଥା ହୋଇଛି । ସେମାନେ ୪୫୦ କୋଟି ଟଙ୍କା ଦେଉଛନ୍ତି । ଆମେ କେତେଶହ କୋଟି ଟଙ୍କା ଦେଉଛୁ ତାହା ମଧ୍ୟ ଦେଖନ୍ତୁ । ସେମାନେ ୨ ଟଙ୍କାରେ ଚାଉଳ ଦେଉଥିଲେ ଆମେ ଟଙ୍କାକରେ ଚାଉଳ ଦେଉଛୁ । କେନ୍ଦ୍ରୀୟ ଯୋଜନାରେ ଟଲି ବାଲା ବା ଦୁଇ ବଖରା ଘର ଥିବା ଲୋକ ଏଥିରୁ ବଂଚିତ ହେଉଛନ୍ତି । କିନ୍ତୁ ଆମେ ସମସ୍ତଙ୍କୁ ଯୋଜନାରେ ସାମିଲ କରିଛୁ ବୋଲି ସେ କହିଛନ୍ତି ।
ସୁବାଷ କହିଛନ୍ତି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରି ସାରିଲେଣି । କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ଆମେ ୪୦ ପ୍ରତିଶତ ଅର୍ଥ ଦେବୁ ଓ ଅକ୍ଟୋବର ୨ରୁ କାର୍ଯ୍ୟକାରୀ ହେବ । ଏହା ଅନିଶ୍ଚିତତା ଭିତରେ ରହିଛି । ଆମର ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରି ଲକ୍ଷାଧିକ ଲୋକଙ୍କୁ ସୁବିଧା ଦେଇ ସାରିଲୁଣି । ଆମର ନିଜ ଯୋଜନା ଯେତେବେଳେ କଲୁଣି ଅର୍ଥ ଭାଗ ଭାଗ କରି ଦେବୁ କାହିଁକି । ଆମେ ସିଧାସଳଖ ୭୦ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କଲୁ । କେନ୍ଦ୍ର ସରକାର ସବୁ ଯୋଜନାକୁ ବଦଳାଇ ଦେଇଛନ୍ତି । ରାଜ୍ୟର ଅଂଶକୁ ବଢ଼ାଇ ଦେଇଛନ୍ତି । ସ୍ୱଚ୍ଛଭାରତଠୁ ଆରମ୍ଭ କରି ସବୁ ଯୋଜନାରେ ୫୦ ପ୍ରତିଶତ ଅର୍ଥ ରାଜ୍ୟକୁ ଦେବା ପାଇଁ ବ୍ୟବସ୍ଥା କରି ଦେଇଛନ୍ତି । କେନ୍ଦ୍ର ସରକାର ଯଦି ଯୋଜନା କରୁଛନ୍ତି ତେବେ ନିଜସ୍ୱ ପଇସାରେ ସମ୍ପୂର୍ଣ୍ଣ ଯୋଜନା କରନ୍ତୁ । ରାଜ୍ୟର ଅଂଶଧନ ରଖନ୍ତୁନାହିଁ । ଅଙ୍ଗନୱାଡି କର୍ମୀଙ୍କ ପାଇଁ ଆଗରୁ କେନ୍ଦ୍ର ୯୦ ପ୍ରତିଶତ ଓ ରାଜ୍ୟ ୧୦ ପ୍ରତିଶତ ଦେଉଥିଲା । ଏ ପ୍ରଧାନମନ୍ତ୍ରୀ ଆସିଲା ପରେ ୬୦ ପ୍ରତିଶତ କେନ୍ଦ୍ର ଦେଉଛି ଓ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ହେଉଛି । ପ୍ରକୃତରେ କେନ୍ଦ୍ର ସରକାରଙ୍କର ଯଦି ଦରଦ ଅଛି ତେବେ ଅଂଶଧନ ବ୍ୟବସ୍ଥାକୁ ପରିବର୍ତ୍ତନ କରନ୍ତୁ । ରାଜ୍ୟକୁ ଅଧିକ ବୋଝ ନ ଦେଇ ନିଜେ ବହନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଟଙ୍କିକିଆ ଚାଉଳ ଉପରେ କେନ୍ଦ୍ର ମନ୍ତ୍ରୀ ୨୫ ରୁ ୩୦ ଟଙ୍କା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ରଖିଥିବା ବକ୍ତବ୍ୟକୁ ସମାଲୋଚନା କରି ସୁବାଷ କହିଛନ୍ତି ଖାଦ୍ୟ ସୁରକ୍ଷାରେ ଆମେ ଏତେ ଅର୍ଥ ଦେଉଛୁ ପ୍ରଧାନମନ୍ତ୍ରୀ କହିବା ପକ୍ଷେ ଶୋଭାପାଉନି । ଗୋଟିଏ ପ୍ରକଳ୍ପକୁ ଶିଳାନ୍ୟାସ କରିବାକୁ ଆସି ଏଭଳି ବକ୍ତବ୍ୟ ଦେବା ଠିକ ନୁହେଁ । ୪୫ ଲକ୍ଷ ପରିବାରକୁ ୬୦୦ କୋଟି ଟଙ୍କା ସହାୟତା ଦେବା ପାଇଁ ଅକ୍ଟୋବର ୨ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବେ ଯାହା ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରକଳ୍ପ ଶିଳାନ୍ୟାସ କରିବାକୁ ଆସି ନିର୍ବାଚନୀ ଭାଷଣ ଦେଇଛନ୍ତି । ତକ୍ରାଳିନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ଏହି ସାରକାରଖାନା ପାଇଁ ଶୁଭ ଦେଇଥିଲେ । ୧୭୦୦୦ କୋଟି ଟଙ୍କା ବ୍ୟୟବରାଦ କଥା କହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୨୦୧୪ରେ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ୩୬ ମାସ ଆସି ଏହି ସାର କାରଖାନାର ଉଦ୍ଘାଟନ କଲି । ଅର୍ଥାତ ସେ ୨୦୨୨ଯାଏଁ କ୍ଷମତାରେ ଥିବେ ବୋଲି ଦର୍ଶାଇଛନ୍ତି । ପେଟ୍ରୋଲ ଦର ଯେଭଳି ୧୦୦ ଟଙ୍କା ଛୁଇଁଲାଣି, ବଜାରରେ ଦରରେ ନିଆଁ ଲାଗିଛି, ଭାରତରେ ଭ୍ରଷ୍ଟାଚାରର କଥା ଯେଭଳି ଉଠିଲାଣି, ରାଫେଲ ଦୁର୍ନୀତି କଥା ଆସିଲାଣି, ଅର୍ଥନୀତି ଭୁଷୁଡ଼ି ପଡ଼ିଲାଣି ଏବଂ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୭୩ ଟଙ୍କାରେ ଆସି ପହଂଚିଲାଣି । ଏଥିରେ ବିଜେପି ଭାରତ ବର୍ଷରେ ପୁଣି କ୍ଷମତାକୁ ଆସିବ କି ନ ଆସିବ ଦେଶବାସୀ ଅନୁଭବ କରୁଛନ୍ତି । ସେ ୨୦୨୨ରେ ଥିବେ କି ନହିଁ ତାହା ଭବିଷ୍ୟତ କହିବ । ନିର୍ବାଚନ ପରେ ସବୁ ଜଣାପଡ଼ିବ ବୋଲି ସୁବାଷ କହିଛନ୍ତି ।