ଦାମଙ୍କୁ ଘାଇଲା କଲେ ବିଜେଡି ନେତା

ଭୁବନେଶ୍ୱର: ବିଜେଡିରୁ ବାଦ ପଡ଼ିଲା ପରେ ଡାକ୍ତର ଦାମୋଦର ରାଉତ ନେତାମାନଙ୍କର ପ୍ରଧାନ ଶତ୍ରୁ ପାଲଟିଛନ୍ତି । ଉଭୟ ସୁଯୋଗ ପାଇଲେ କେହିକାହାକୁ ସମାଲୋଚନା କରିବାକୁ ପଛାଉନାହାଁନ୍ତି । ନିୟମିତ ଭାବରେ ଡାକ୍ତର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତାମାନଙ୍କ ଉପରେ ବର୍ଷି ଚାଲିଛନ୍ତି । ବିଜେଡିର ନେତାମାନେ ବି ସୁଯୋଗା ପାଇଲେ ପାଲଟା ଜବାବ ଦେଉଛନ୍ତି । ବିଜେଡିରୁ ବିଦା ହେଲା ପରେ ପ୍ରଥମଥର ପାଇଁ ଗୁରୁବାର ପାରାଦୀପରେ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମରେ ବିଜେଡି ନେତା ଓ ଡାକ୍ତର ରାଉତ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କେହି କାହାକୁ ଛାଡ଼ିଲେନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ କଥା କହି ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଥିଲେ । ଡାକ୍ତର ରାଉତ ଯେଉଁଭଳି ଉଚ୍ଚସ୍ୱରରେ ବିଜେଡି ନେତାଙ୍କ ଉପରେ ଗର୍ଜିଲେ ଠିକ ସେହିଭଳି ଭାବରେ ବିଜେଡି ନେତାମାନେ ବି ପାଲଟା ଜବାବ ତାଙ୍କୁ ଦେଲେ । ପାରାଦୀପ କଳିଙ୍ଗ ବାଲିଯାତ୍ରା ମଂଚରେ ଡାକ୍ତର ରାଉତଙ୍କୁ ବିଜେଡି ନେତାମାନେ ମିଳିମିଶି ଘେରିଲେ । କଡ଼ା ସମାଲୋଚନା ମଧ୍ୟ ସେମାନେ କଲେ । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି ।
ପ୍ରତିବର୍ଷ ଭଳି ଏଥର ବି ପାରାଦୀପରେ କଳିଙ୍ଗ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ସାଂସଦମାନଙ୍କୁ ଆୟୋଜକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଡାକ୍ତର ରାଉତଙ୍କୁ ମଧ ଡକାଯାଇଥିଲା । କିନ୍ତୁ ତାଙ୍କୁ ଡାକି ଦେଇ ଆୟୋଜକମାନେ ଅପମାନିତ କଲାଭଳି ପଦକ୍ଷେପ ନେବା ଏବଂ ତାଙ୍କ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ହେଉଥିଲା ବେଳେ ତାଙ୍କୁ ନ ପଚାରି ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଧ୍ୟମରେ ଅତିଥି ଚୟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ନିଷ୍ପତ୍ତି ନିଆଯିବାର ଘଟଣାକୁ ନେଇ ସେ ଗର୍ଜିଥିଲ । ବିଶେଷ କରି ତାଙ୍କର ରାଗ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପରେ ଥିଲା । ଡାକ୍ତର ରାଉତ କହିଥିଲେ ପାରାଦୀପର ଗୋଡ଼ିମାଟିଠାରୁ ଆରମ୍ଭ କରି ଯେକୌଣସି ବ୍ୟକ୍ତି ଯେଉଁ ଦଳକୁ ଭୋଟ ଦିଅନ୍ତୁ ନାଁ କାହିଁକି ସେମାନଙ୍କ ପାଖରେ ବିଜୁ ପଟ୍ଟନାୟକ ମୁକୁଟବିହୀନ ସମ୍ରାଟ ହୋଇ ରହିଛନ୍ତି । ଏହାକୁ ଭାଙ୍ଗିଦେବା ପାଇଁ ଯେଉଁମାନେ ଚକ୍ରାନ୍ତ ଚଳାଇଛନ୍ତି ସେମାନେ ହତାଶ ହେବେ । ଆଜିର କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମ ପାଇଁ ମୋ ପାଖକୁ ଗୋଟେ ଚିଠି ଆସିଲା । ଆପଣ ପ୍ରଥମ ଦିନ ଆଉ ଶେଷ ଦିନ ଆସିଲେ । କେତେବେଳେ ଆସିବେ ନାଁ ୫ଟା ବେଳକୁ । ମୁଁ ୫ଟା ବେଳୁ ଆସି ସର୍କିଟ ହାଉସରେ ବସିଛି । କାହାରି ଦେଖାନାହିଁ । ଅତିଥିଭାବେ ନିମନ୍ତ୍ରଣ କରିବ ତାଙ୍କୁ ସମ୍ବର୍ଦ୍ଧନା କରିବାକୁ କେହି ଜଣେ ରହିବନି । ୨ ଘଣ୍ଟା କାଳ ବସିଲା ପରେ ମୋତେ କେହିଲେ ମନ୍ତ୍ରୀ ଆସୁଛନ୍ତି ଏଇଠି ସମସ୍ତେ ଏକାଠି ହେବେ । ମୁଁ ବସିଛି ମନ୍ତ୍ରୀ ଆସିବେ । କିନ୍ତୁ କଣ ହେଲା କେଜାଣି ସିଧାସଳଖ ସେମାନେ ଆସି ସଭାସ୍ଥଳରେ । ପାରାଦୀପର ଭାଗ୍ୟ ନିର୍ଦ୍ଧାରଣ କରାଯାଉଛି କଟକର ଦ୍ୱାରିକା ହୋଟେଲରେ । ସେଠି ଆଲୋଚନା ହେଉଛି ଦାମ ରାଉତଙ୍କୁ ଷ୍ଟେଜ ଉପରକୁ ଚଢ଼ାଇ ଦେବୁନାହିଁ । ଏତେ ତାକତ ତୁମର ଅଛି? କିଏ ତୁମେ? ଅତିଥି କିଏ ଆସିବେ, ସାଂସ୍କୃତିକ କାର୍ଯ୍ୟକ୍ରମ କଣ ହେବ ମୁଁ ଜାଣିବି ନି? କଳିଙ୍ଗ ବାଲିଯାତ୍ରାକୁ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ମାହାଙ୍ଗାରା ବିଧାୟକ ମନ୍ତ୍ରୀ ପ୍ରତାପ ଜେନା ଘରେଘରେ ପହଂଚିବେ ମୋତେ କୁହାଗଲା ଆପଣ ଟିକେ ଚାଲନ୍ତୁ । କିଏ ତୁମେ? ଏଥିରେ ପୁଣି ଆଲୋଚନା କରିବ ଦାମ ରାଉତଙ୍କୁ ଆମେ ଷ୍ଟେଜ ଉପରକୁ ଚଢ଼ାଇ ଦେବୁନି । କିଏ ତୁମେ? ଆଜି ଛାତିଫାଟିଯାଉଛି ଏକଥା ଦେଖିଲା ବେଳକୁ ।”
ସାଂସଦ ଡାକ୍ତର କୁଳମଣୀ ସାମଲଙ୍କ ଯେତେବେଳେ ପାଳି ପଡ଼ିଲା ସେ ଡାକ୍ତର ରାଉତଙ୍କୁ କଟାକ୍ଷ କରି କହିଲେ “ଯାହା କରିଛି ମୁଁ, ଯାହା କରୁଛି ମୁଁ, ଯାହା କରିବି ମୁଁ ଆଉ କିଏ କିଛି କରିପାରିବେନି ଇଏ କଣ ଗୋଟିଏ କଥା? ଆଉ କଣ କିଏ ଲୋକ ନାହାଁନ୍ତି । ଆଉ କଣ କେହିଁ ଲୋକ ଜନ୍ମିବେନି । ଆଉ କଣ କେହି କିଛି କରିବେନି କେବଳ ଗୋଟିଏ ଲୋକ ଏହି ଜାଗାକୁ ପଟ୍ଟା କରି ନେଇଛନ୍ତି ।” ଆଉ ଶ୍ରୀ ସାମଲ କହିଲେ ମୁଁ କଣ କାହାଠାରୁ ଖାଏ, ନା କାହାଠାରୁ ନିଏ । କାହା ଜିଭରେ ହାଡ଼ ଅଛି, କାହା ଜିଭରେ କଣ୍ଟା ଅଛି କହିଦେବ ।’ ପୁଣି ଡାକ୍ତର ରାଉତଙ୍କୁ ତାତ୍ସଲ୍ୟ କରି କହିଲେ ସେ ସବୁ ନିଅଁନ୍ତି, ସବୁ ଖାଆଁନ୍ତି, ସବୁ କରନ୍ତି । କହିବାକୁ ମୋତେ ବ୍ୟସ୍ତ ଲାଗୁଛି । ମୁଁ ଏବେବି ସମ୍ମାନ କରେ । ଆଉ ମୋ ଆଡ଼କୁ ଯେତେବେଳେ ଅଙ୍ଗୁଳି ନିର୍ଦ୍ଦେଶ ଆସୁଛି ଶାନ୍ତ ହୋଇ ରହି ହେଉନି । ଦେହରେ ଯେତେବେଳେ ଚୋଟ ବାଜେ ଏ ଭଦ୍ର ଲୋକ କେବେ ସହିପାରିବ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଡାକ୍ତର ରାଉତ ସବୁବେଳେ ବିଜୁବାବୁଙ୍କ କଥା କହୁଥିôବାରୁ ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କୁ ଆକ୍ଷେପ କରି କହିଲେ ‘କଣ କହିଥିଲେ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକତ କାହାକୁ କେତେ କଥା କହିଛନ୍ତି, କାହାକୁ କଣ କହିଛନ୍ତି କିଏତ ରେକର୍ଡ ରଖିନାହାଁନ୍ତି, କି ଦେଖି ନାହାଁନ୍ତି । କିନ୍ତୁ ମୁଁ କହିବି, ମୁଁ ଯେତେବେଳେ ଛାତ୍ରନେତା ଥିଲି ଓ ଜଗତସିଂହପୁର କଲେଜର ସଭାପତି ଥିଲି ବିଜୁ ପଟ୍ଟନାୟକଙ୍କୁ ଡାକିଥିଲି । ବିଜୁବାବୁ ମୋ ପାଖରେ ବସିଥିଲେ । ମୁଁ ସେତେବେଳେ ଛୋଟ ପିଲାଟିଏ । ମୁଁ ସଭାପତି ସେ ଅତିଥି । ସେତେବେଳେ ସେ ମୋତେ କହିଥିଲେ ତୁ ଦେଖ ଆଗାମୀ ଦିନରେ ଓଡ଼ିଶାରେ ମୋ ନାଁ କହି ଲୋକେ ରାଜନୀତି କରିବେ । ଆପଣ ପାଖରେ କଣ ପ୍ରମାଣ ଅଛି କହିପାରିବେ ମୋତେ ଏକଥା କହି ନ ଥିଲେ ବୋଲି । ଆପଣଙ୍କ ପାଖରେ କେହି କହିପାରିବ ସତ କହୁଛ କି ମିଛ କହୁଛ ।’
ମନ୍ତ୍ରୀ ଶ୍ରୀ ଜେନା ମଧ୍ୟ ଡାକ୍ତର ରାଉତଙ୍କୁ ଟାର୍ଗେଟ କରି କହିଥିଲେ “ଏହା ହେଉଛି ସଂସ୍କୃତି ମଂଚ । ଏକଥା କହିବା ପାଇଁ ମୁଁ ବାଧ୍ୟ ହେଉଛି ଯେହେତୁ ମୋର ପୂର୍ବବର୍ତ୍ତୀ ସମ୍ମାନିତବ୍ୟକ୍ତିମାନେ ତାଙ୍କର ଧୀଶକ୍ତି ମୋଠାରୁ ଅଧିକ । ତାଙ୍କର ଅଭିଜ୍ଞତା ମୋଠାରୁ ଅଧିକ, ଜ୍ଞାନ-ବିବେକ ଅଧିକ, ଶାଳିନତା ଅଧିକ, କିନ୍ତୁ ସାଂସ୍କୃତିକ ମଂଚରେ କଣ ଆଲୋଚନା ହେଲା ମୋ ପୂର୍ବରୁ କିଭଳି ରାଜନୀତି ହେଲା ସମସ୍ତେ ଜାଣିଛନ୍ତି । ଆକ୍ଷେପ, ପ୍ରତିଆକ୍ଷେପ ହେଲା । ଯଦି କୌଣସି ଗୋଟିଏ ବ୍ୟକ୍ତି କାହାକୁ ଆକ୍ଷେପ କରି ଖୁସୀ ହୋଇଯାଉଛନ୍ତି ତାଙ୍କୁ ଖୁସୀ ହେବାକୁ ଦିଆଯାଉ । କିନ୍ତୁ ମୁଁ ଜୋର ଦେଇ କହିରଖିବାକୁ ଚାହେଁ ଏ ଅଂଚଳର ବିକାଶ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ୱାରା ସମ୍ଭବ ହୋଇଥିଲା ।”