You are here
Home > ବଡ଼ଖବର > ସେ ବିଜୁ ଜନତା ଦଳ ଆଉ ନାହିଁ : ବୈଜୟନ୍ତ

ସେ ବିଜୁ ଜନତା ଦଳ ଆଉ ନାହିଁ : ବୈଜୟନ୍ତ

ଭୁବନେଶ୍ୱର: ବିଜେଡିରୁ ଡାକ୍ତର ଦାମଦୋର ରାଉତ ବହିଷ୍କୃତ ହେବା ପରେ ତାଙ୍କୁ ତାଙ୍କ ବାସଭବନକୁ ଯାଇ ଆଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭେଟିଥିଲେ । ଉଭୟ ନେତାଙ୍କ ଭିତରେ ରାଜନୀତିକ ସ୍ଥିତି ନେଇ ଆଲୋଚନା ହୋଇଥିଲା । ବିଶେଷ କରି ବିଜେଡିରେ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତି ଉପରେ ଉଭୟ ଆଲୋଚନା କରିଥିଲେ । ବୈଜୟନ୍ତ ବିଜେଡିରୁ ବହୁଦିନ ହେଲାଣି ସଂପର୍କ ତୁଟାଇ ସାରିଲେଣି । କିନ୍ତୁ ସେ ଏପର୍ଯ୍ୟନ୍ତ ତାଙ୍କର ଆଗାମୀ ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ହେଲେ ଡାକ୍ତର ରାଉତ ବିଭିନ୍ନ ସମୟରେ ସରକାର ଦୁର୍ନୀତି ନେଇ ରଖୁଥିବା ମତକୁ ସମର୍ଥନ ଦେଉଥିଲେ । ଆଜି ତାଙ୍କ ଘରକୁ ଯାଇ ସମର୍ଥନ ଜଣାଇବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ମୁଁ ଭାବୁଛି ଏହା ଅତି ଦୁଃଖର କଥା । ବିଜୁବାବୁଙ୍କର ଯେଉଁମାନେ ଦୃଢ଼ ସମର୍ଥକ, ବହୁ ବର୍ଷ ହେଲା ଯେଉଁମାନେ ତାଙ୍କ ସାଙ୍ଗରେ ସହଯୋଗ କରି କାମ କରିଛନ୍ତି ସେମାନଙ୍କୁ ଗୋଟିଏ ପରେ ଗୋଟିଏ ବାହାର କରି ଦିଆଯାଇଛି । ଏବେ ଯାହା ଦାମବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏହା ଅନ୍ୟାୟ ଭଳି ଲାଗୁଛି । ବିଜୁ ଜନତା ଦଳ ସହ ଆମେ ମୂଳରୁ ସମ୍ପୃକ୍ତ ଥିଲୁ ଏବଂ ବହୁ ବର୍ଷ ଧରି ଗର୍ବ ଅନୁଭବ କରୁଥିଲୁ । ସେହି ଦଳରେ ଏବେ ଯେତେବେଳେ ଗମ୍ଭୀର ଅଭିଯୋଗ ଆସୁଥିଲା ଭ୍ରଷ୍ଟାଚାର ବିଷୟରେ ତୁରନ୍ତ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା, ଯାହା ହେଉଥିଲା । ମୋର ମନେ ଅଛି କେଉଁଠି ଭ୍ରଷ୍ଟାଚାରର ଟିକିଏ ବାସ୍ନା ଉଠିଲେ ସେଇଠି ଏହି କଥା କହି କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ଏବେ ଯେତେବେଳେ ଏତେ ଗୁରୁତର ଦୂର୍ନୀତି ଅଭିଯୋଗ କରାଯାଇଛି ଓଲଟା ଯିଏ ଅଭିଯୋଗ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଯାହା କିଛି ହେଉନି କିମ୍ବା କାର୍ଯ୍ୟାନୁଷ୍ଠାନ କିଛି ନିଆଯାଉନି ଏହା ବହୁ ଦୁଃଖର କଥା । ସେ ବିଜୁ ଜନତା ଦଳ ଆଉନାହିଁ । ଯେଉଁ ଆଦର୍ଶରେ ଏ ଦଳ ୨୦ ବର୍ଷ ତଳେ ଗଢ଼ା ଯାଇଥିଲା ହିଂସା ବିରୋଧରେ, ଭ୍ରଷ୍ଟାଚାର ବିରୋଧରେ ଓ ନାରୀମାନଙ୍କୁ ସମ୍ମାନ ଦେବାପାଇଁ ଏସବୁ ଓଲଟି ଯାଇଛି । ମୋର ନିଜର ଅଭିଜ୍ଞତା ରହିଛି ହିଂସାର । ପଥର, ଢ଼େଲା, ଅଣ୍ଡାମାଡ଼, ମୋ ଉପରେ ହୋଇଛି । ଭ୍ରଷ୍ଟାଚାର ବିଷୟରେ ତ ସମେସ୍ତ ଜାଣନ୍ତି, ମହିଳା ଓ ଶିଶୁମାନଙ୍କ ଉପରେ ଯେଉଁ ପ୍ରକାର ହିଂସାକାଣ୍ଡ ହେଉଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହାକୁ ସାରା ଓଡ଼ିଶାବାସୀ ଜାଣିଛନ୍ତି । ଦୁଃଖର କଥା ସେ ଦଳ ଆଉ ରହିଲା ନାହିଁ । ମୁଁ ଆସିଥିଲି ଦାମବାବୁଙ୍କୁ ନୈତିକ ସମର୍ଥନ ଦେବାପାଇଁ । ଯାହା ହେଉଛି ଠିକ ହେଉନାହିଁ । ଆମେ ଯଦି ବିଜୁବାବୁଙ୍କ ଆଦର୍ଶରେ ବିଶ୍ୱାସ କରୁ ଆମକୁ ଏସବୁ ଭଲ ଲାଗୁନାହିଁ । ଆଗାମୀ ଦିନରେ ମୋ ରାଜନୀତି ଭବିଷ୍ୟତ ସମ୍ପର୍କରେ ବିଚାର କରିବି ବୋଲି ବୈଜନ୍ତୟ କହିଛନ୍ତି ।

Loading...
ONA

Leave a Reply

Top