ବିଜେଡି ନିର୍ବାଚନୀ ସର୍ଭେ

ବିଜେଡି ଏବେ ଏକ ଘରୋଇ ଏଜେନ୍ସି ମାଧ୍ୟମରେ ରାଜ୍ୟବ୍ୟାପୀ ସର୍ଭେ କରୁଛି । ଏହି ଏଜେନ୍ସି ଇତିମଧ୍ୟରେ ସଂସଦୀୟ ଆସନଗୁଡ଼ିକର ସର୍ଭେ କାର୍ଯ୍ୟ ସାରିଥିବାବେଳେ ବିଧାନସଭା ମଣ୍ଡଳୀୱାରି ସର୍ଭେ ଚଳାଇଛି । କିନ୍ତୁ ଏହି ସର୍ଭେରୁ ଯେଉଁ ପ୍ରାରମ୍ଭିକ ରିପୋର୍ଟ ମିଳିିଛି ତାହା କୁଆଡ଼େ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି ବୋଲି ଚର୍ଚ୍ଚା । ଶୁଣିବାକୁ ମିଳୁଛି, ଏହି ସର୍ଭେ କୁଆଡ଼େ ରାଜ୍ୟରେ ସରକାରବିରୋଧୀ ହାୱାର ଅତିମାତ୍ରାରେ ବଢ଼ିବାରେ ଲାଗିଛି ବୋଲି ସଙ୍କେତ ଦେଇଛି । ଏପରିକି ଅନେକ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ନଥିବାର ପ୍ରମାଣ ଦେଇଛି । ଅନେକ ଲୋକଙ୍କ ଭିଡିଓ ରେକର୍ଡିଂକୁ ମଧ୍ୟ ଏହି ସଂସ୍ଥା ବିଜେଡି ନେତୃତ୍ୱଙ୍କ ପାଖରେ ଉପସ୍ଥାପନ କରିଛି । ତେଣୁ କାଳେ ଏହି ସଂସ୍ଥା କିଛି ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେଉଛି ବୋଲି ଭାବି ଗତ ମାସରେ ଅନ୍ୟ ଏକ ସଂସ୍ଥାକୁ ମଧ୍ୟ ସମାନ୍ତରାଳ ସର୍ଭେ ପାଇଁ ବିଜେଡି ପକ୍ଷରୁ ଅନୁମତି ଦିଆଯାଇଥିଲା । ସମ୍ପୃକ୍ତ ସଂସ୍ଥା ୭-୮ଟି ଜିଲ୍ଲାରେ ଦଳର ସ୍ଥିତିକୁ ନେଇ ଅନୁରୂପ ରିପୋର୍ଟ ଦେବା ପରେ ବିଜେଡି ନେତୃତ୍ୱ ଚିନ୍ତିତ ହୋଇପଡ଼ିଛନ୍ତି । ଶୁଣିବାକୁ ମିଳୁଛି ବିଜେଡି କୁଆଡ଼େ ନିଜର ରଣନୀତି ‘ବିଧାୟକ ପ୍ରୋଟୋକଲ୍’କୁ ବାହାରି ଯେଉଁ ସବୁ ସ୍ଥାନରେ ସ୍ଥାନୀୟ ନେତାଙ୍କ ସ୍ଥିତି ଭଲ ନାହିଁ ସେଠାରେ ଦ୍ୱିତୀୟ ଧାଡ଼ିର ନେତାଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗିଛି । ସେମାନଙ୍କୁ ଖୁବଶୀଘ୍ର ଦଳ ପକ୍ଷରୁ ଆବଶ୍ୟକ ପ୍ରମୋଟ୍ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ସମ୍ଭବତଃ ଜୁଲାଇ ମାସ ସୁଦ୍ଧା ଏହି ଦ୍ୱିତୀୟ ଧାଡ଼ିର ନେତାଙ୍କୁ ନିର୍ବାଚନମଣ୍ଡଳୀରେ ସାଂଗଠନିକ କାର୍ଯ୍ୟକୁ ବ୍ୟାପକ କରାଇବା ପାଇଁ ବିଜେଡି ନେତୃତ୍ୱ ଗ୍ରୀନ୍ ସିଗ୍ନାଲ ଦେବେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏମିତ ସର୍ଭେ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ କରିଥାଏ । କେବଳ ପ୍ରଫେସନାଲ୍ ସଂସ୍ଥା ନୁହେଁ ଗୁଇନ୍ଦା ବିଭାଗ ଠାରୁ ରିପୋର୍ଟ ନିଅନ୍ତି ନବୀନ ନିବାସର ବିଶ୍ୱସ୍ଥ ଅଧିକାରୀ । ଜିଲ୍ଲାର ଗୁଇନ୍ଦା ସଂସ୍ଥା ବା ଡିଆଇବି ଏସପିଙ୍କୁ ଭୋଟର ମାନଙ୍କର ମତା ମତର ଆଭାସ ଦେଇଥାନ୍ତି । ସେହି ରିପୋର୍ଟକୁ ଆଧାର କରି ଜିଲ୍ଲା ଏସପି ମାନେ ରାଜ୍ୟ ଗୁଇନ୍ଦା ମୁଖ୍ୟଙ୍କୁ ତଥ୍ୟ ଦେଇଥାନ୍ତି । ୩୨ ଏସପିଙ୍କ ରିପୋର୍ଟକୁ କମ୍ପାଇଲ କରି ଗୁଇନ୍ଦା ମୁଖ୍ୟ ନବୀନଙ୍କ ଆଗରେ ସାରା ରାଜ୍ୟର ଚିତ୍ର ଉପସ୍ଥାପନ କରନ୍ତି ବୋଲି କୁହାଯାଏ । ଏହା ସହ ଜିଲ୍ଲା ସ୍ତରରୁ ଜିଲ୍ଲାପାଳ ମାନଙ୍କ ଜରିଆରେ ମଧ୍ୟ ଶାସକ ଦଲ ଲୋକଙ୍କ ମତାମତ ନେଇଥାଏ । ଜିଲ୍ଲାପାଳ, ଏସପି ଏବଂ ପ୍ରଫେସନାଲ୍ ସଂସ୍ଥାର ରିପୋର୍ଟକୁ ଆଧାର କରି ବିଜେଡି କିଏ କେଉଁଠୁ ଲଢିବ ତାହା ସ୍ଥିର କରିଥାଏ । ଏମିତିକି ଏହି ରିପୋର୍ଟ ଅନୁସାରେ ହିଁ କାହା ଟିକଟ ରହିବ ଆଉ କାହା ଟିକଟ କଟିବ ତାହାହିଁ ଠିକ ହୁଏ । ତେବେ ୨୦୦୯ ଓ ୨୦୧୪ ନିର୍ବାଚନରେ ଗୁଇନ୍ଦା ରିପୋର୍ଟ ପ୍ରସ୍ତୁତ କରୁଥିବା ଅଧିକାରୀଙ୍କ ବଦଳି ପରେ ଏପରି ରିପୋର୍ଟ ବିଜେଡି ମୁଖିଆଙ୍କ ଚିନ୍ତା ବଢାଇଛି ।

LEAVE A REPLY

Please enter your comment!
Please enter your name here