You are here
Home > ବଡ଼ଖବର > ଦୁର୍ନୀତିଗ୍ରସ୍ତଙ୍କୁ ପ୍ରୋତ୍ସାହିତ କରିବାରେ ନବୀନ ମୁଖ୍ୟ ନାୟକ:ଧର୍ମେନ୍ଦ୍ର, ଲୋକେ ସବୁ ଦେଖୁଛନ୍ତି: ପ୍ରତାପ

ଦୁର୍ନୀତିଗ୍ରସ୍ତଙ୍କୁ ପ୍ରୋତ୍ସାହିତ କରିବାରେ ନବୀନ ମୁଖ୍ୟ ନାୟକ:ଧର୍ମେନ୍ଦ୍ର, ଲୋକେ ସବୁ ଦେଖୁଛନ୍ତି: ପ୍ରତାପ

ଭୁନନେଶ୍ୱର: ତୈଳ ଦର ବୃଦ୍ଧି ଏବଂ ଦୁର୍ନୀତି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରୀୟା ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ବିଜେଡି ମଧ୍ୟ ଧର୍ମେନ୍ଦ୍ରଙ୍କ ଅଭିଯୋଗ ଉପରେ କଡ଼ା ଟିପ୍ପଣୀ ଦେଇ ପାଲଟା ସମାଲୋଚନା କରିଛି । ଦୁଇ ଦଳ ଭିତରେ ବିବାଦ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱରରେ ଆସିଥିବା ଅବସରରେ ବିଜେଡି ରଖିଥିବା ପ୍ରତିକ୍ରିୟା ଉପରେ ମତ ରଖିଛନ୍ତି । ଧର୍ମେନ୍ଦ୍ରଙ୍କ ଅଭିଯୋଗ ପାଇଁ ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ ଜବାବ ଦେଇଛନ୍ତି ।

ତୈଳ ଦର ବୃଦ୍ଧି ସମ୍ପର୍କରେ ଧର୍ମେନ୍ଦ୍ର କହିଛନ୍ତି ତୈଳଦର ହ୍ରାସ ନେଇ ରାଜ୍ୟ ସରକାରଙ୍କର ସହଯୋଗ ଆବଶ୍ୟକ ରହିଛି । ଅନେକ ରାଜ୍ୟରେ ଟିକସ ରାଜ୍ୟ ସରକାର କମେଇଲେଣି । ଓଡ଼ିଶା ସରକାର ଟିକସ କମେଇବା ଦରକାର । ଅବକାରୀ ଶୁଳ୍କ କେନ୍ଦ୍ର ସରକାର ହ୍ରାସ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ତେଲଦର ବୃଦ୍ଧି ହେଲେ ଏହା ରାଜ୍ୟମାନଙ୍କୁ ଲାଭ ହେଉଛି । ଏସବୁ ଲୋକଲୋଚନକୁ ଆସି ସାରିଲାଣି । ମୁଁ ଆଗରୁ ହିସାବ ଦେଇଥିଲି ୨୦୧୪ରେ ପେଟ୍ରୋଲ ଓ ଡିଜେଲରୁ ରାଜ୍ୟ ସରକାର ପାଉଥିଲେ ୩୦୦୦ କୋଟି ଟଙ୍କାରୁ କମ୍ । ଏବେ ୭୦୦୦ କୋଟି ଟଙ୍କା ପାଇଲେଣି । ଏଣୁ ଟିକସ କମାଇବା ନେଇ ରାଜ୍ୟ ସରକାରଙ୍କର ବଡ଼ ଦାୟିତ୍ୱ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଡାକ୍ତର ଦାମୋଦର ରାଉତ ବହିଷ୍କାର ପୂର୍ବରୁ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତାକୁ ନେଇ ଜୋରଦାର ରାଜନୀତି ଚାଲିଛି । ବିରୋଧୀ ସେ ପ୍ରସଙ୍ଗରେ ତୁହାକୁ ତୁହା ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି ଯଦି ପ୍ରଥମ ଦିନରୁ ଦେଖାଯାଏ ତେବେ ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ନେଇ ଯେଉଁମାନଙ୍କୁ ନବୀନ ବାବୁ ତାଙ୍କ ସରକାର ପ୍ରାରମ୍ଭରୁ ବାହାର କରିଥିଲେ ସେମାନେ ଏବେ ତାଙ୍କର ପ୍ରମୁଖ ସହଯୋଗୀ । ତାଙ୍କ ବ୍ୟବସ୍ଥାର ପ୍ରମୁଖ କାର୍ପଟଦାର । ନବୀନ ବାବୁ ଦୁର୍ନୀତିକୁ ନେଇ କେବେ ସିରିୟସ ନ ଥିଲେ । କେଉଁ ତିନି ଟର୍ମରେ ଭଲ ଥିଲେ ଯେ, ଏବେ ଖରାପ ହୋଇଗଲେ । ମୁଳରୁ ନବୀନ ବାବୁ ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ଜଣେ ମୁଖ୍ୟ ନାୟକ ବୋଲି ସେ କହିଛନ୍ତି ।

ଏହାର ଜବାବରେ ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରୀୟା ରଖି ଶ୍ରୀ ଦେବ କହିଛନ୍ତି ୩୪ ରୁ ୭୩ ବୃଦ୍ଧି ଭିତରେ ପେଟ୍ରୋଲରେ ଅବକାରୀ ଶୁଳ୍କ ୬ ପ୍ରତିଶତରୁ ୧୯ ପ୍ରତିଶତରେ ପହଂଚିଛି ଓ ଡିଜେଲରେ ୧୫ ପ୍ରତିଶତ ଅବକାରୀ ଶୁଳ୍କ ବଢ଼ାଇ ସାରିଲେଣି । ଅନ୍ୟପଟରେ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରମାନେ ତାଙ୍କ ଲାଭାଂଶ କାଟି ତେଲ ଦର ଖସେଇବେ । କେନ୍ଦ୍ର ସରକାର ୪ ବର୍ଷ ଭିତରେ ଲାଭାଂଶ ପଇସା ଯେତେ ବଢ଼ାଇଛନ୍ତି ଓ ଦର କମ ଥିଲା ବେଳେ ଯେତିକି ଅବକାରୀ ଶୁଳ୍କ ନେଇଛନ୍ତି ତାହା କଲେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାଛଡ଼ା ଧର୍ମେନ୍ଦ୍ର ଯେଉଁ ଦୁର୍ନୀତି ବିଷୟ ଉଠାଇଛନ୍ତି ସେ ସମ୍ପର୍କରେ ଶ୍ରୀ ଦେବ କହିଛନ୍ତି ଏସବୁ ଲୋକଙ୍କୁ ଭ୍ରାନ୍ତ ଧାରଣା ଦେବା ପାଇଁ କହୁଛନ୍ତି । କାରଣ ସାଢ଼େ ୪ ବର୍ଷ ଧରି ବିଜେପି ସରକାର ଓଡ଼ିଶା ଲୋକଙ୍କ ପାଇଁ କିଛି କାରିନାହିଁ । ଏଣୁ କଥାକୁ ଏଡାଇବା ପାଇଁ  ଏବଂ ନିଜ ଦୋଷ ଦୁର୍ବଳତା ଘୋଡ଼ାଇବା ପାଇଁ ଏପ୍ରକାର କରୁଛନ୍ତି । ଆମେ ଗୋଟିଏ କଥା ସ୍ପଷ୍ଟ କରିଦେଉଛୁ ଲୋକେ ସବୁକଥା ଦେଖୁଛନ୍ତି । ଯେତେ ଘୋଡ଼ାଇଲେ ବି ଘୋଡ଼ାଇ ହେବ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।

Loading...
ONA

Leave a Reply

Top