ଦାମଙ୍କ ଗଡ଼ରେ ବିଜେଡି ଦେଖାଇଲା ଦମ୍ଭ

ଭୁନନେଶ୍ୱର: ବିଜେଡି ଆଜି ଡାକ୍ତର ଦାମଦୋର ରାଉତଙ୍କ ନିର୍ବାଚନମଣ୍ଡଳୀରେ ତାର ଦମ୍ଭ ଦେଖାଇଛି । ମହିଳା ସମାବେଶ କରି ଡାକ୍ତର ରାଉତଙ୍କୁ ଦଳ ଖୋଲା ଚ୍ୟାଲେଞ୍ଜ ଦେଇଛି । କିନ୍ତୁ ଏହି ସମାବେଶରେ ଯୋଗ ଦେବାପାଇଁ ଜିଲ୍ଲାର ସଭାପତି ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ବିଷ୍ଣୁ ଦାସ ଯେ କି ଡାକ୍ତର ରାଉତଙ୍କର ଜଣେ ପାରମ୍ପରିକ ରାଜନୀତିକ ଶତ୍ରୁ ତାଙ୍କୁ ବାରଣ କରାଯାଇଛି । ହେଲେ ଏହି ଘଟଣାକୁ ନେଇ ଏହା ପଛରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ହାତ ଥିବା ଅଭିଯୋଗକ୍ରମେ ବିଷ୍ଣୁଙ୍କ ସମର୍ଥକମାନେ ବାଟରେ ପ୍ରତିପାଦ କରିବାରୁ ଦୁଇ ନେତାଙ୍କ ସମର୍ଥକଙ୍କ ଭିତରେ ଠେଲାପେଲା ହୋଇଛି । ବିଷ୍ଣୁ ଓ ରାଜଶ୍ରୀଙ୍କ ସମର୍ଥକମାନେ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ଦଳ ପାଇଁ ଅଡୁଆ ଆଣିଛି । ହେଲେ କୁଜଙ୍ଗରେ ବିଜେଡି ପକ୍ଷରୁ ଆୟୋଜିତ ମହାସମାବେଶରେ ବହୁ ସଂଖ୍ୟାରେ ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଡାକ୍ତର ରାଉତଙ୍କୁ ବିଜେଡି ନେତାମାନେ ଦେଖାଇଦେଲେ ଯେ, ତାଙ୍କ ନିର୍ବାଚନମଣ୍ଡଳୀରେ ବିଜେଡି ଏବେବି ଶକ୍ତିଶାଳୀ ଅଛି ଏବଂ ଲୋକେ ବିଜେଡି ସହ ଅଛନ୍ତି ।
ବିଷ୍ଣୁଙ୍କୁ ଛାଡ଼ିଦେଲେ ବିଜେଡିର ଅନ୍ୟ ନେତାମାନେ ସେଠାରେ ଉପସ୍ଥିତ ଥିଲେ । ସମାବେଶକୁ ସଫଳ କରିବା ପାଇଁ ପୁରା ଦମରେ ଲାଗି ପଡ଼ିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସହ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଶାଖାର ସଭାପତି ବିଧାୟିକା ପ୍ରମିଳା ମଲ୍ଲିକ, ତ୍ରିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି, କଟକ-ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟ ଓ ଅନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ । ଏତେ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ଯେ, ଯେଉଁଥିରେ ଜଣାପଡ଼ି ଯାଉଥିଲା ଡାକ୍ତର ରାଉତଙ୍କ ସହ ଆଉ କେହି ବିଜେଡିକର୍ମୀ ନାହାଁନ୍ତି । ଡାକ୍ତର ରାଉତ ଦଳରୁ ବହିଷ୍କୃତ ହେବା ପରେ ୨/୪ ଦିନ ଭିତରେ ସମର୍ଥକମାନଙ୍କ ସମାବେଶ କରିବେ ବୋଲି କହି ତାହା କରିପାରି ନାହାଁନ୍ତି । ଏଣୁ ତାଙ୍କର ସମର୍ଥକଙ୍କ ସଂଖ୍ୟା ହ୍ରାସ ପାଉଥିବା ଭୟରେ ସେ ବୋଧହୁଏ ସମାବେଶ କରିବାକୁ ଚାହୁଁନାହାଁନ୍ତି ବୋଲି କୁହାଯାଉଛି । ସମାବେଶ ଡାକି ଯଦି ସେଥିରେ ଆଖିଦୃଶିଆ ଲୋକଙ୍କ ଉପସ୍ଥାନ ନ ହୁଏ ତେବେ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବ । ସେ ଦୈନିକ ଯେପରି ଗଣମାଧ୍ୟମରେ ଗର୍ଜି ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି ସେଥିରେ ଲୋକ ନ ହେଲେ ତାଙ୍କ ପତିଆରା ହ୍ରାସ ପାଇବ । ହେଲେ ବିଜେଡି ଆଗୁଆ ସମାବେଶ କରିଛି । ଦଳ ଚାହିଁଥିଲେ ଜଗତସିଂହପୁର ଜିଲ୍ଲାର ଅନ୍ୟ ଯେକୌଣସି ନିର୍ବାଚନମଣ୍ଡଳିରେ ଏହି ସମାବେଶ କରିପାରିଥାନ୍ତେ । କିନ୍ତୁ କେବଳ ଡାକ୍ତର ରାଉତଙ୍କୁ ଦେଖାଇଦେବା ପାଇଁ ଯେ ତାଙ୍କ ସହ ନୁହଁନ୍ତି, ଲୋକେ ବିଜେଡି ସହ ଅଛନ୍ତି । ସେଠାରେ ସଭାରେ ମଧ୍ୟ ଏକ ପ୍ରକାର ନେତାମାନେ ଡାକ୍ତର ରାଉତଙ୍କୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ବିଜେଡି ଡାକ୍ତର ରାଉତଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀରେ କଡ଼ା ଯବାବ ଦେବାରେ ସଫଳ ହୋଇଛି । ହେଲେ ନିର୍ବାଚନ ସମୟରେ ଏହା ଅଧିକ ସ୍ପଷ୍ଟ ହେବ ।
ଏହି ସମାବେଶକୁ ଯିବା ବେଳେ ବାଟରେ ବିଷ୍ଣୁ ଓ ରାଜଶ୍ରୀଙ୍କ ସମର୍ଥକଙ୍କ ଭିତରେ ଗଣ୍ଡଗୋଳ ଘଟଣା ଜିଲ୍ଲା ରାଜନୀତିକୁ ଅଧିକ ଉଷ୍ମ କରିଛି । କୁହାଯାଉଛି ବିଷ୍ଣୁ ତିର୍ତ୍ତୋଲରୁ ଛିଡ଼ା ହେବା ପାଇଁ ଚାହୁଁଥିବାରୁ ରାଜଶ୍ରୀଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ସେଥିପାଇଁ ଏହିଭଳି ଗଣ୍ଡଗୋଳ ସୃଷ୍ଟି ହେଉଛି । କିନ୍ତୁ ବଡ଼ କଥା ହେଉଛି ଡାକ୍ତର ରାଉତଙ୍କୁ ସବୁବେଳେ ବିରୋଧ କରୁଥିବା ଓ ଚ୍ୟାଲେଞ୍ଜ ଦେଇ ଆସୁଥିବା ବିଷ୍ଣୁଙ୍କୁ କାହିଁକି ଦଳ ମୁଖିଆ ସେ ସମାବେଶରୁ ଦୂରେଇ ରଖିଲେ ତାହା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଡାକ୍ତର ରାଉତ ବିଦା ହେବା ପରେ ଖୋଲା ଚ୍ୟାଞ୍ଜେ ଦେଇଥିଲେ କିଛି ଜଗତସିଂହପୁର ଜିଲ୍ଲାରୁ ଆଉ କେହି ବିଜେଡିର ଜିତିପାରିବେ ନାହିଁ । ଏପରି କି ସେ ବଂଚିଥିଲା ଯାଏ ବିଷ୍ଣୁ ଆଉ ବିଧାନସଭା ମାଟି ମାଡ଼ି ପାରିବେ ନାହିଁ ଏକଥା ମଧ୍ୟ ଡାକ୍ତର ରାଉତ କହିଥିଲେ । ଏହି ଚ୍ୟାଞ୍ଜେକୁ ଗ୍ରହଣ କରି ବିଷ୍ଣୁ ପାରାଦୀପରୁ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଦଳ ସୁପ୍ରିମ ଚାହିଁଲେ ସେ ଡାକ୍ତର ରାଉତଙ୍କୁ ଜବାବ ଦେବା ପାଇଁ ଲଢ଼ିବେ ବୋଲି କହିଥିଲେ । କିନ୍ତୁ ସେ ଅଂଚଳରେ ଦଳୀୟ ସମାବେଶ ହେବା ଓ ବିଷ୍ଣୁଙ୍କୁ ଦୂରେଇ ରଖାଯିବା ଫଳରେ ଅନେକ କିଛି ସୂଚନା ମିଳୁଛି ବୋଲି କୁହାଯାଉଛି ।