ସ୍କୁଲ ଶିକ୍ଷକଙ୍କ ବୁଲିବା ଉପରେ ଲାଗିଲା ଲଗାମ, ସ୍କୁଲରେ ଲାଗିବ ବାୟୋମେଟ୍ରିକ

ଭୁବନେଶ୍ୱର: ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀମାନେ ଅଫିସ ସମୟରେ ବୁଲିବାରେ ଲଗାମ ଲାଗିବ । ସେମାନେ ମନଇଚ୍ଛା ଆଉ ଅଫିସ ସମୟରେ ଯାଇପାରିବେ ନାହିଁ । ଏପରିକି କେଉଁ କର୍ମଚାରୀ କେତେବେଳେ କଲେଜ ଓ ସ୍କୁଲ ଆସୁଛନ୍ତି, କେତେବେଳେ ଯାଉଛନ୍ତି ସେସବୁର ଟିକିନିକି ଖବର ରଖାଯିବ । ଶିକ୍ଷକ ତଥା ଶିକ୍ଷା କର୍ମଚାରୀ ଉପସ୍ଥାପନ ପାଇଁ ରାଜ୍ୟର ସବୁ ହାୟର ସେକେଣ୍ଡାରୀ ସ୍କୁଲ(ଜୁନିୟର କଲେଜ)ରେ ଲାଗିବ ବାୟୋମେଟ୍ରିକ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛିି । ୨୦୧୯-୨୦ ଶିକ୍ଷା ବର୍ଷ ଆରମ୍ଭରୁ କଲେଜରେ ବାୟୋମେଟ୍ରିକ ଲଗାଇବା ପାଇଁ ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ ସମସ୍ତ ହାୟର ସେକେଣ୍ଡାରୀ ସ୍କୁଲ, ଡିଗ୍ରୀ କଲେଜ ସହ ଏକାଠି ଥିବା ଜୁନିୟର କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ସବୁ ସରକାରୀ, ବେସରକାରୀ, ଅଣଅନୁଦାନ ପ୍ରାପ୍ତ, ସେଲ୍ଫ ଫାଇନାନ୍ସ, ଆବାସିକା ଜୁନିୟର କଲେଜ ପାଇଁ ଲାଗୁ କରାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ବହୁ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷା କର୍ମଚାରୀମାନେ ଅଫିସ ସମୟରେ କଲେଜରେ ରହୁନାହାନ୍ତି । କେବଳ ଉପସ୍ଥାପନ ପକାଇ ମନଇଚ୍ଛା ପଳାଉଛନ୍ତି । ଏପରିକି କେଉଁ କର୍ମଚାରୀ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ଉପସ୍ଥାପନ ବି ପଡିଯାଉଛି । କଲେଜର ଉପସ୍ଥାପନ ଖାତାରେ ଏସମ୍ପର୍କରେ ଠିକ ବିବରଣୀ ମଧ୍ୟ ପ୍ରକାଶ କରାଯାଇନାହିଁ । ସରକାରୀ ଅଧିକାରୀମାନେ କଲେଜ ପରିଦର୍ଶନ ଓ ତଦନ୍ତ ସମୟରେ ଏହା ସାମ୍ନାକୁ ଆସିଛି । ତେଣୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଠିକ ଉପସ୍ଥାନ ପାଇଁ ସବୁ ଜୁନିୟର କଲେଜର ଅଧ୍ୟକ୍ଷମାନେ କଲେଜ ପରିସରରେ ବାୟୋମେଟ୍ରିକ ଲଗାନ୍ତୁ । ପ୍ରତି ମାସର ଉପସ୍ଥାପନ ଉପରେ ନୀରିକ୍ଷକ କରନ୍ତୁ । ଏହା ସତ୍ତେ୍ୱ ଯଦି କୌଣସି କର୍ମଚାରୀଙ୍କ ଉପସ୍ଥାନରେ ତ୍ରୁଟି ରହିଥାଏ ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ବାୟୋମେଟ୍ରିକ ପରିଚାଳନା ସମ୍ପର୍କରେ ନିର୍ଦ୍ଦେଶାଳୟ ପକ୍ଷରୁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ୨୦୧୯-୨୦ ଶିକ୍ଷା ଆରମ୍ଭ ପୂର୍ବରୁ ପ୍ରତି ଜୁନିୟର କଲେଜରେ ବାୟୋମେଟ୍ରିକ ଲଗାନ୍ତୁ । ମେସିନରେ କଲେଜର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀଙ୍କୁ ପୁଞ୍ଜିକରଣ କରାଇବେ । ପ୍ରତିଦିନ ଏହାର ତଦାରଖ ହେବ । ସରକାରୀ କର୍ମଚାରୀ କଲେଜ ପରିଦର୍ଶନ ସମୟରେ ସେମାନଙ୍କୁ ଅନଲାଇନ ଉପସ୍ଥାନ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟରେ ଯଦି କୌଣସି କର୍ମଚାରୀଙ୍କ ଉପସ୍ଥାନରେ ତ୍ରୁଟି ଥାଏ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

+୨ ପରୀକ୍ଷା: ସ୍ମାର୍ଟ ହାତଘଣ୍ଟା ମନା