ବିଜୟଶ୍ରୀ ଓ ଯୋଗେନ୍ଦ୍ରଙ୍କୁ ଭିଆରଏସ୍, ପ୍ରଭାତଙ୍କୁ ସିଆରଏସ୍

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକର ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିରେ କେଉଁ ନେତା ଯିବେ କେଉଁ ନେତା ରହିବେ ସେ ନେଇ ଛକିଶୂନ ଖେଳ ମଧ୍ୟ ଲାଗି ରହିଛି । ଏହି ଯିବା ଆସିବା ପ୍ରକ୍ରୀୟା ଭିତରେ ବିଜେଡିର କିଛି ବରିଷ୍ଠ ବିଧାୟକଙ୍କ ପାଇଁ ଏହା ଶେଷ ବିଧାନସଭା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କେତେଜଣ ବିଧାୟକ ଆସନ୍ତା ନିର୍ବାଚନରୁ ଏକପ୍ରକାର ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେଇ ଯାଇଛନ୍ତି । ଆଉ କେତେଜଣଙ୍କୁ ବିଜେଡି ନିର୍ବାଚନରୁ ବାଧ୍ୟତାମୂଳକ ଅବସର (ସିଆରଏସ) ଦେବାକୁ ଯାଉଛନ୍ତି । କେତେଜଣଙ୍କୁ ଇତିମଧ୍ୟରେ ସୂଚନା ମଧ୍ୟ ଦିଆଯାଇ ସାରିଲାଣି । ସେ ବିଧାୟକମାନେ ବି ଖୋଲାଖୋଲି ଏକଥା ସ୍ୱୀକାର ମଧ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯେଉଁ ସୂଚନା ମିଳୁଛି ସେଥିରେ ଦୁଇଜଣ ଭିଆରଏସ ନେଇଥିବା ବେଳେ ଜଣେ ସିଆରଏସ ପାଇବା ନେଇ ସୂଚନା ପାଇସାରିଛନ୍ତି ।
ପୂର୍ବ ଘୋଷଣା ଅନୁଯାୟୀ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଭିଆରଏସ ନେବେ ବୋଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁକ୍ରବାର ବିଧାନସଭାର ଶେଷ ଅଧିବେଶନରେ ଭେଟି ଜଣାଇସାରିଛନ୍ତି । ଆଉ ସୁପ୍ରିମୋଙ୍କ ଶୁଭେଚ୍ଛା ମଧ୍ୟ ନେଇଛନ୍ତି । ବିଜୟଶ୍ରୀ ଆଉ ପ୍ରତ୍ୟେକ୍ଷ ନିର୍ବାଚନକୁ ଆସିବେ ନାହିଁ । କିନ୍ତୁ ତାଙ୍କ ସ୍ଥାନ ଖାଲି ରଖିବାକୁ ଚାହୁଁନାହାଁନ୍ତି । ସେ ତାଙ୍କ ପୁଅକୁ ବିଜେଡିରୁ ଆସନ୍ତା ନିର୍ବାଚନରେ ବାସୁଦେବପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିବେ । ଏ ନେଇ କୁଆଡ଼େ ସେ ଦଳ ସୁପ୍ରିମୋଙ୍କ ସହ ଫାଇନାଲ କରିସାରିଛନ୍ତି । ଦଳରେ ସକ୍ରୀୟ ଥିବା ଅବସ୍ଥାରେ ସେ ତାଙ୍କ ପୁଅକୁ ରାଜନୀତିର ବାଡ଼ି ଧରାଇ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କାରଣ ପରେ କଣ ହେବ କହିବା କଷ୍ଟକର । ଦଳ ଭିତରେ ବର୍ତ୍ତମାନ ତାଙ୍କର କିଛିଟା ଗୁରୁତ୍ୱ ରହିଛି । ଏଣୁ ଏହି ସୁଯୋଗରେ ସେ ତାଙ୍କ ପୁଅକୁ ଆଗକୁ ଆଣି ରାଜନୀତିରେ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ।
ଆଉ ଜଣେ ବରିଷ୍ଠ ବିଧାୟକ ହେଲେ ଯୋଗେନ୍ଦ୍ର ବେହେରା । ସେ ନିକଟରେ ମନ୍ତ୍ରୀ ପଦରୁ ବାଦ ପଡ଼ିଛନ୍ତି । କିନ୍ତୁ ସେ ଆଉ ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଖୋଲାଖୋଲି ଭାବେ କହୁଛନ୍ତି । ଦଳ ମୁଖିଆଙ୍କୁ ମଧ୍ୟ ଜଣା ଦେଇଥିବା ସୂଚନା ଦେଉଛନ୍ତି । ସେ ମଧ୍ୟ ବିଜୟଶ୍ରୀଙ୍କ ଭଳି ତାଙ୍କ ପୁଅକୁ ପ୍ରାର୍ଥୀ କରିବା ପାଇଁ ଆଗ୍ରହୀ । ତାଙ୍କ ବଦଳରେ ପୁଅକୁ ଦଳୀୟ ଟିକେଟ ଦେବାପାଇଁ ସେ ଜଣାଇଛନ୍ତି । ସେ ମଧ୍ୟ ଦେଖୁଛନ୍ତି ରାଜନୀତି କେତେ ଜଟିଳ ହେବାରେ ଲାଗିଛି । ଭବିଷ୍ୟତ କଥା କହିବା କଷ୍ଟକର । ଏଣୁ ନିଜେ ଯେତେବେଳେ ସକ୍ରୀୟ ଅଛନ୍ତି ସେହି ସମୟରେ ପୁଅକୁ ଥଇଥାନ କରିବା ପାଇଁ ଚାହୁଁଛନ୍ତି । ପୁଅ ଛିଡ଼ା ହେଲେ ରାଜନୀତି ବଜାୟ ରହିବ । ସେଥିଲାଗି ସେ ମଧ୍ୟ ପୁଅକୁ ପ୍ରାର୍ଥୀ କରିବା ଲାଗି ପ୍ରସ୍ତୁତ କରିଛନ୍ତି । କିଛିଦିନ ହେଲା ସେ ତାଙ୍କ ରାଜନୈତିକ କାର୍ଯ୍ୟ ସବୁ ବୁଝାଶୁଝା ପାଇଁ ପୁଅକୁ ଦାୟିତ୍ୱ ଦେଇସାରିଛନ୍ତି । ତାଙ୍କ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନମଣ୍ଡଳୀରେ ଏବେ ପୁଅ ହିଁ ବୁଝାଶୁଝା କରୁଛି । ଖାଲି ଟିକେଟ ପାଇବା ବାକି ରହିଛି ।
ସିଆରଏସ ତାଲିକାରେ ଥିବା ବିଧାୟକ ହେଉଛନ୍ତି ବାଙ୍କୀର ପ୍ରଭାତ ତ୍ରିପାଠୀ । ତାଙ୍କୁ ଦଳ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବ ନାହିଁ ଏଭଳି ସୂଚନା ଦିଆଯାଇ ସାରିଛି । ତାଙ୍କ ବଳରେ ଏବେ ଯୁବ ଜନତା ଦାୟିତ୍ୱରେ ଥିବା ତାଙ୍କ ପୁଅକୁ ପ୍ରାର୍ଥୀ କରିବା ପାଇଁ ଦଳ ଚାହୁଁଛି । ହେଲେ ତାଙ୍କ ପୁଅକୁ ଦଳ ବାପାଙ୍କ ବାଙ୍କୀ ଆସନରେ ଟିକେଟ ଦେବାକୁ ସ୍ଥିର କରିଛି । ଏଥିରେ କିନ୍ତୁ ଶ୍ରୀ ତ୍ରିପାଠୀଙ୍କ ପୁଅ ରାଜି ନୁହଁନ୍ତି । ସେ ଚାହୁଁଛନ୍ତି କଟକ-ବାରବାଟୀ ବିଧାନସଭାରୁ ଛିଡ଼ା ହେବେ । ବାଙ୍କି ଅପେକ୍ଷା ତାଙ୍କର କଟକ-ବାରବାଟୀରେ କାର୍ଯ୍ୟଧାରା ଅଧିକ ବୋଲି ସେ ଯୁକ୍ତି ଦର୍ଶାଉଛନ୍ତି । ଶ୍ରୀ ତ୍ରିପାଠୀ ବାଙ୍କୀ ବିଧାନସଭା ଆସନ ହାତରୁ ଛାଡ଼ିବା ଚାହୁଁନାହାଁନ୍ତି । ଦଳ କଟକ-ବାରବାଟୀ ଆସନ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ସ୍ଥିର କରିଛି । ଏଠିକାର ବିଧାୟକ ଦେବାଶୀଷ ସାମନ୍ତରାୟଙ୍କୁ ପାରାଦୀପ ପଠାଯାଉଛି । ଏଠାରେ ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ଥିର ହୋଇଥିବା କୁହାଯାଉଛି । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ପ୍ରଭାତକୁ ଏଥର ଦଳ ଟିକେଟ ଦେବ ନାହିଁ ତାଙ୍କ ପୁଅକୁ ଟିକେଟ ଦେବ ବୋଲି ସ୍ପଷ୍ଟ ହୋଇଛି । ଶ୍ରୀ ତ୍ରିପାଠୀ ମଧ୍ୟ ଏକଥାକୁ ଅସ୍ୱୀକାର କରୁନାହାଁନ୍ତି ।

ଜୟଙ୍କ ଯୋଜନା: ସମର୍ଥକଙ୍କୁ ଥଇଥାନ କରିବେ କଂଗ୍ରେସରେ