You are here
Home > ଗସିପ ଖବର > ଅଜ୍ଞାତବାସରେ ବିଜୟ

ଅଜ୍ଞାତବାସରେ ବିଜୟ

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବେ ସମ୍ପୂର୍ଣ୍ଣ ଅଜ୍ଞାତବାସରେ । ସାଧାରଣ ନିର୍ବାଚନ ପୂର୍ବରୁ ବିଜୟ ନିଜର ନୂଆ ରାଜନୀତିକ ମଂଚ ଗଠନ କରିବେ ବୋଲି ଯେଉଁ ଚର୍ଚ୍ଚା
ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏପରିକି ବିଜୟଙ୍କ ଘନିଷ୍ଠ ବୋଲାଉଥିବା ଜିଲ୍ଲାସ୍ତରର ନେତାମାନେ କୁଆଡ଼େ ଏବେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ତେଣୁ ବିଜେପିରେ ଅଣଦେଖା ଓ ବିଜେଡି ଦ୍ୱାର ଉନ୍ମୁକ୍ତ ହେଉନଥିବାରୁ ବିଜୟ ଏବେ ଜାଣିଶୁଣି ରାଜନୀତିକ ଅଜ୍ଞାତବାସରେ ରହିଛନ୍ତି ବୋଲି ଚର୍ଚ୍ଚା । ଶୁଣିବାକୁ ମିଳୁଛି, ବିଜୟ କୁଆଡ଼େ ସାଧାରଣ ନିର୍ବାଚନ ପୂର୍ବରୁ ନିରଞ୍ଜନ ପଟ୍ଟନାୟକଙ୍କ ସହ ମିଶି ଏକ ନୂଆ ଆଂଚଳିକ ଦଳ ଗଢ଼ିବାକୁ ମନସ୍ଥ କରିଥିଲେ । କିନ୍ତୁ ନିରଞ୍ଜନ ପିସିସି ମୁଖିଆ ହେବା ପରେ ଏହି ଯୋଜନାରେ
ଡୋରି ବନ୍ଧାହୋଇଛି । ବିଜୟଙ୍କ ସହ ଏହି ଆଂଚଳିକ ଦଳରେ ସାମିଲ ହେବାକୁ ଥିବା କିଛି ଅଲୋଡ଼ା ବରିଷ୍ଠ ନେତା ବି ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ଚିନ୍ତାରେ ରହିଲେଣି । ବିଜେଡିରେ ମୂଳରୁ ଥାଇ ପରବର୍ତୀ ସମୟରେ ନିଲମ୍ବନ ଅବା ଇସ୍ତଫା ଦେଇଥିବା ଏହି ନେତାମାନେ ଏବେ ପୁଣି ଥରେ ବିଜେଡିକୁ ଫେରିବା ପାଇଁ ପ୍ରସ୍ତାବ ପଠାଇଥିଲେ ବି କ୍ଷମତାକେନ୍ଦ୍ରର କ୍ଲିଅରାନ୍ସ ମିଳୁନି । ସମ୍ଭବତଃ ଏସବୁ ସ୍ଥିତିକୁ ପରଖି ବିଜୟ କୁଆଡ଼େ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟରେ ଥିବା ଛୋଟ ଛୋଟ ଦଳଗୁଡ଼ିକୁ ବିଭିନ୍ନ ଉପାୟରେ ବିଜେଡି କ୍ଷମତାକେନ୍ଦ୍ର ମ୍ୟାନେଜ୍ କରୁଥିବା କଥା ବିଜୟ ଖବର ପାଇବା ପରେ ଆଉ ଦଳ ନଗଢ଼ି ବିଜେପି ସହ ସାଲିସ୍ କରିବେ ବୋଲି ନିଷ୍ପତି ନେଇଛନ୍ତି । ବିଜୟ କୁଆଡ଼େ ନିକଟରେ ଦିଲ୍ଲୀ
ଗସ୍ତରେ ଯାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । କିନ୍ତୁ ସାଂଗଠନିକ ସକ୍ରିୟତା ପାଇଁ ତାଙ୍କୁ ସେଭଳି କୌଣସି ଆଶ୍ୱସ୍ତ ମିଳିନଥିବାରୁ ବିଜୟ କୁଆଡ଼େ ଏବେ ଅଜ୍ଞାତ ବାସରେ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ।

Loading...
ONA

Leave a Reply

Top