ନିଜ ଦଳ ପଦକ୍ଷେପ ଓ ବଂଶାନୁକ୍ରମିକ ସେବା ଉଚ୍ଛେଦକୁ ବିଜୟଙ୍କ ବିରୋଧ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପରେ ଏହାକୁ ନେଇ ବହୁ ଯୁକ୍ତିତର୍କ ଓ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହା ସମ୍ପୂର୍ଣ୍ଣ ରାଜନୈତିକ ମୋଡ଼ ନେଇସାରିଛି । ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦୈନିକ ଆସୁଛି । ସୁପ୍ରିମ୍କୋର୍ଟ ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା ନେଇ ବଡ଼ଧରଣର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୁରୀ ଜିଲ୍ଲା ଜଜ ଯେଉଁ ସୁପାରିସ କରିଛନ୍ତି ତାକୁ କାର୍ଯ୍ୟକାରି କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାବି ହଜିବା ଘଟଣା ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ କମିଶନ ନିଯୁକ୍ତ କରିଛନ୍ତି । କିନ୍ତୁ ବିଜେପି ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି । ଏହି ଘଟଣା ଚାଲିଥିଲା ବେଳେ ଶନିବାର ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ନ ହେଲେ ବି କୋର୍ଟକୁ ଯିବା ଘଟଣାରେ ନିଜ ଦଳର ପଦକ୍ଷେପକୁ ବିରୋଧ କରିଛନ୍ତି । ବିଜୟ ଆଉଏକ ଗୁୁରୁତ୍ୱପୂର୍ଣ୍ଣ ଦର୍ଶାଇବାକୁ ଯାଇ ସେବାୟତଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି । କୋର୍ଟ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ବିଜୟ ନାପସନ୍ଦ କରିଛନ୍ତି । ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ।
ବିଜେପି ହାଇକୋର୍ଟରେ ମାମଲା କରିଥିବାରୁ ଏହାକୁ ବିରୋଧ କରି ଦଳର ନାଁ ନ ନେଇ ବିଜୟ ସାମ୍ବାଦିକମାନଙ୍କୁ କହିଛନ୍ତିି, “ସଂସ୍କାର ଓ ପରିଚାଳନାକୁ ନେଇ କୋର୍ଟରେ ମାମଲା ଭକ୍ତଙ୍କ ମନରେ ବହୁ ପ୍ରଶ୍ନ ସୃଷ୍ଟି କରିଛି । ଲୋକେ ଚିନ୍ତିତ ଯେ, ଶ୍ରୀଜଗନ୍ନାଥ ମନ୍ଦିରର ଭବିଷ୍ୟତ କ’ଣ ହେବ ।” ଏଥି ସହ ବିଜୟ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ମତ ରଖି କହିଛନ୍ତି “ପୁରୀ ଜିଲ୍ଲା ଜଜଙ୍କ ଆଧାରରେ ସୁପ୍ରିମ୍କୋର୍ଟଙ୍କ ମତ ଆସିଛି । ଜଗନ୍ନାଥ ମନ୍ଦିରକୁ ଅପନିନ୍ଦିତ କରାନଯାଉ । ଏଭଳି କରିବା ପାଇଁ କିଛି ଯୋଜନା ମଧ୍ୟ ହେଉଛି । ସୁପ୍ରିମ୍କୋର୍ଟଙ୍କ ପ୍ରସ୍ତାବ ଏ କ୍ଷେତ୍ରରେ କିଛି ମାତ୍ରାରେ ସହାୟକ ହେବ । ମନ୍ଦିର ସଂସ୍କାର ନେଇ ୧୨ଟି ପ୍ରସ୍ତାବ ରଖାଯାଇଛି । ଜଗନ୍ନାଥ ମନ୍ଦିର ହେଉଛି ଦେଶରେ ଗୋଟିଏ ମନ୍ଦିର ଯେଉଁଠି ୧୨୦ ପ୍ରକାରର ରୀତିନୀତି ହୁଏ । ଅନ୍ୟ ଜଗନ୍ନାଥ ମନ୍ଦିର ଭଳି ଏଠି ସେଭଳି ସେବା ହୁଏନାହିଁ ଏବଂ ନୀତି ଭିତରେ ମଧ୍ୟ ଆକାଶ ପାତାଳ ତଫାତ । ପାରମ୍ପାରିକ ସେବା ବଂଶାନୁକ୍ରମ ସେବା ଶ୍ରୀମନ୍ଦିରରେ ହୁଏ । ଏହା ଉଚ୍ଛେଦ ହେବା କଷ୍ଟକର । ଏହାକୁ ପାଳନ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଯେଉଁମାନେ ଦେଖାରେଖା କରୁଥିଲେ ସେମାନେ ବୋଧହୁଏ ଏ ବିଷୟ ସୁପ୍ରିମ୍କୋର୍ଟରେ କହିବାକୁ ଭୁଲି ଯାଇଛନ୍ତି । ଏଥିପାଇଁ ନୂଆ ସମସ୍ୟା ଓ ସମ୍ପର୍କ ସୃଷ୍ଟି ହେଉଛି । ଏ ପ୍ରସ୍ତାବ ଉପରେ ସରକାର ଓ ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ହେବା ଦରକାର । ବଂଶାନୁକ୍ରମିକ ସେବା ସମ୍ପୂର୍ଣ୍ଣ ଉଚ୍ଛେଦ ହେବା ସମ୍ଭବ ହେବନାହିଁ । ଶ୍ରୀମନ୍ଦିର ଆଇନ ୧୯୫୨ର ଧାରା ୧୫ (୧) ଅନୁସାରେ ବଂଶାନୁକ୍ରମିକ ସେବା ବିଷୟ ଉଲ୍ଲେଖ ରହିଛି । ଏହି ଆଇନ ବିଧାନସଭାରେ ପ୍ରଣୟନ ହୋଇଛି । ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ କେଉଁ କଥାକୁ ମାନି କାର୍ଯ୍ୟକରିବେ । ସୁପ୍ରିମ୍କୋର୍ଟଙ୍କ ପ୍ରସ୍ତାବକୁ ମାନିବେ ନା ଆଇନକୁ ମାନିବେ । ଏହାକୁ ନେଇ ଏବେ ଏକ ସମ୍ପର୍କ ସୃଷ୍ଟି ହେବାକୁ ଯାଉଛି । ତୁରନ୍ତ ମନ୍ଦିର ପରିଚାଳନା କମିଟି ବୈଠକ ବସୁ । ଆଇନ ସଚିବ, ଆଡ୍ଭୋକେଟ୍ ଜେନେରାଲ, ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ଓ ଶଙ୍କରାଚାର୍ଯ୍ୟ ବସି ଆଲୋଚନା କରନ୍ତୁ । ଯେଉଁ ବିବାଦ ଦେଖାଦେଇଛି ତାହା ସମାଧାନ ହେବାକୁ ହେଲେ ଜଗନ୍ନାଥ ଅପୂଜା ରହିଯିବେ । ଆମ ମନ୍ଦିରକୁ ଅନ୍ୟ ମନ୍ଦିର ସହ ତୁଳନା କରିବା ଉଚିତ ନୁହେଁ । ଗଜପତି ମହାରାଜ ହେଉଛନ୍ତି ଆଦ୍ୟ ପୂଜକ । ତାଙ୍କର ଅଧିକାର ଏଥିରେ ରହିବା ଦରକାର । ସେବାୟତମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ସେ ପ୍ରମୁଖ ଭୂମିକା ନେବା ଦରକାର । ଆଡଭୋକେଟ୍ ଜେନେରାଲ ସୁପ୍ରିମ୍କୋର୍ଟରେ ଉପସ୍ଥିତ ଥିଲେ ସେ କାହିଁକି ଶ୍ରୀମନ୍ଦିର କଥା କୋର୍ଟରେ ଅବଗତ କଲେନାହିଁ । ବର୍ତ୍ତମାନ ବି ସମୟ ଅଛି ସୁପ୍ରିମ୍କୋର୍ଟ ଏହି ଘଟଣାର ଅନୁଧ୍ୟାନ ପାଇଁ ଯେଉଁ ଗୋପାଳ ସୁବ୍ରମଣ୍ୟମ୍ଙ୍କୁ ଆମିସ୍କ୍ୟୁରୀ ଭାବେ ନିୟୋଜିତ କରିଛନ୍ତି ସେ ଅନୁଧ୍ୟାନ ପାଇଁ ଆସିଲା ବେଳେ ତାଙ୍କ ପାଖରେ ସବୁ ବିଷୟ ରଖାଯିବା ଉଚିତ । ଗଜପତି ଏହାର ନେତୃତ୍ୱ ନେବା ଦରକାର । ଦାୟିତ୍ୱ କେହି ମୁଣ୍ଡରୁ ଖସାଇବା ଅନୁଚିତ । କିଛି ବାହାର ଲୋକ ଓଡ଼ିଶାର ଏହି ପରମ୍ପରାକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ସବୁ ବିଷୟର ସମାଧାନ ହେବା ଦରକାର ।”

ମତାମତ ଦିଅନ୍ତୁ

Please enter your comment!
Please enter your name here