ନବୀନ ବିରୋଧୀ ମେଂଟକୁ ବିଜୟଙ୍କ ନା

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ହାୱା ବହୁଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରୋଧୀ ଶକ୍ତି ଏକଜୁଟ ହେବାରେ ଲାଗିଛନ୍ତି । କିନ୍ତୁ ନବୀନ ବିରୋଧୀ ଶକ୍ତିରେ ରହିବାକୁ ବରିଷ୍ଠ ନେତା ବିଜୟ ମହାପାତ୍ର ନାରାଜ । ବୁଧବାର ଏକ କାର୍ଯ୍ୟକ୍ରମରେ ସବୁ ବିରୋଧୀ ଶକ୍ତିଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରାଯାଇଥିଲା ବେଳେ ସେଥିରେ ବିଜୟ ସାମିଲ ହେଲେନାହିଁ । ନବୀନ ବିରୋଧୀଙ୍କୁ ବିଜୟ ଆଦୌ ଧରାଛୁଆଁ ଦେଉନାହାଁନ୍ତି । ତାଙ୍କ ବିରୋଧରେ ଯେଉଁସବୁ କାର୍ଯ୍ୟକ୍ରମ ହେଉଛି ବା ସେଥିପାଇଁ ଯୋଜନା କରାଯାଉଛି ବିଜୟ ସେଥିରୁ ନିଜକୁ ଦୂରେଇ ରଖୁଛନ୍ତି । ଏପରି ଦୂରେଇ ରଖି ନବୀନ ବିରୋଧୀ ହେବାକୁ ସେ ଆଉ ଚାହୁଁନାହାଁନ୍ତି ଏଭଳି ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରୁଛନ୍ତି । ଏଥିରୁ ସେ ବିଜେଡିକୁ ପୁଣି ଫେରିବା ନେଇ ଯେଉଁ ଚର୍ଚ୍ଚା ଓ ଆଲୋଚନା ଚାଲିଛି ତାହା ଅଧିକ ବଳବର୍ତ୍ତର ହେଉଛି ବୋଲି ଅନେକ ମତ ରଖୁଛନ୍ତି ।
ଏହାକୁ ନେଇ କିଛି ଲୋକ କହୁଛନ୍ତି ପ୍ରକୃତରେ ଯଦି ବିଜେଡିକୁ ବିଜୟଙ୍କର ଫେରିବାର ନ ଥାନ୍ତା ବା ସେପରି କିଛି ଆଶା ରଖି ନ ଥାନ୍ତେ ତେବେ ନବୀନ ବିରୋଧୀଙ୍କ ସହିତ ହାତ ମିଳାଇବାରେ ତାଙ୍କର କିଛି ଅସୁବିଧା ନ ଥାନ୍ତା । କାରଣ ରାଜ୍ୟ ରାଜନୀତିରେ ନବୀନଙ୍କର ଜଣେ ପରମ ରାଜନୈତିକ ଶତ୍ରୁଭାବେ କାହାକୁ ଯଦି କୁହାଯାଉଥିଲା ସେଥିରେ ଆଗ ଧାଡ଼ିରେ ଆସୁଥିଲା ବିଜୟଙ୍କ ନାଁ । କିନ୍ତୁ ଏବେ ହଠାତ ପରିବର୍ତ୍ତିତ ପରିସ୍ଥିତିରେ ସେ ବଦଳି ଯାଇଛନ୍ତି ଓ ତାଙ୍କ ଆଭିମୁଖ୍ୟ ମଧ୍ୟ ବଦଳିଛି । ବିଜେପି ସହ ତାଙ୍କର ତିକ୍ତତା ସୃଷ୍ଟି ହେବା ପରେ ଏହି ପରିବର୍ତ୍ତନ ପରିଲକ୍ଷିତ ହେଉଛି । ନଚେତ ସରକାରଙ୍କୁ ପ୍ରତିକଥାରେ ଯଦି କେହି ଅଧିକ ସମାଲୋଚନା କରୁଥିଲା ଓ ଅଡୁଆରେ ପକାଉଥିଲା ସେ ହେଲେ ବିଜୟ । ରାଜ୍ୟର ଅନ୍ୟ ନେତାମାନଙ୍କ ତୁଳନାରେ ବିଜେଡିର ବିଜୟଙ୍କ ପ୍ରତି ଭୟ ଅଧିକ ଦେଖିବାକୁ ମିଳୁଥିଲା । ଅନ୍ୟ ନେତାମାନଙ୍କୁ ବିଜେଡି ଏତେ ଗୁରୁତ୍ୱ ଦେଉ ନଥିଲା । ବିଜୟ କିଛି ମତ ରଖିଲେ ସଙ୍ଗେ ସଙ୍ଗେ ବିଜେଡି ପ୍ରତିକ୍ରୀୟା ରଖୁଥିଲା । ଏପରି କି ବିଜୟଙ୍କ ବିରୋଧରେ ମତ ରଖିବା ପାଇଁ ବିଜେଡି ନେତାମାନଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ଏବେ ସବୁ କିଛି ବଦଳି ଯାଇଛି । ବିଜେପିରେ ନୂଆ ସଭାପତି ଭାବେ ବିଧାୟକ ବସନ୍ତ ପଣ୍ଡା ନିଯୁକ୍ତ ହେବା ପରଠାରୁ ବିଜୟଙ୍କର କାର୍ଯ୍ୟଧାରା ବଦଳିଯାଇଛି । ଦଳଠାରୁ ମୋହ ତୁଟାଇଛନ୍ତି । ବିଜେପି ସହ ସେ ଆଉ ନିଜର ଆଗାମୀ ରାଜନୀତିକ ଭବିଷ୍ୟତ ଦେଖୁନାହାଁନ୍ତି । ଏଣିକି ସେ ବିଜେଡିକୁ ସୁହାଇଲା ଭଳି ଓ ବିଜେପିକୁ କ୍ଷତି ଘଟିଲା ଭଳି ମତମାନ ରଖୁଛନ୍ତି । ବିଜେପି ଯେଉଁସବୁ କାର୍ଯର୍୍ୟକ୍ରମ ଗ୍ରହଣ କରୁଛି ତା ବିରୋଧରେ ଯାଉଥିଲା ବେଳେ ବିଜେଡି ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି ।
ଏହି ଧାରା ଚାଲିଥିଲା ବେଳେ ଆଲୋଚନା ହେଉଥିଲା ବୋଧହୁଏ ବିଜୟ ବିଜେଡିକୁ ଫେରିବେ । ସେଥିପାଇଁ ସେ ତାଙ୍କ ମନୋଭାବ ବଦଳାଇଛନ୍ତି । ଏପରି ଚର୍ଚ୍ଚା ଚାଲିଥିଲା ବେଳେ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରଠାରୁ ବିଜୟ ନୀରବ ରହିବା ଫଳରେ ତାଙ୍କ ପ୍ରତି ସନ୍ଦେହ ଅଧିକ ବଢ଼ିଲା । ବିଜୟଙ୍କୁ ନେଇ ଡାକ୍ତର ରାଉତ ମଧ୍ୟ ଅନ୍ୟ ବିଜୁଅନୁଗତଙ୍କୁ ଧରି ନୂଆ ରାଜନୀତିକ ପରିକଳ୍ପନା କରିଥିଲେ । କିନ୍ତୁ ବିଜୟ ଡାକ୍ତର ରାଉତ ବିଦାହେବା ପରଠାରୁ କୌଣସି ପ୍ରତିକ୍ରୀୟା ତାଙ୍କ ସମ୍ପର୍କରେ ବା ନୂତନ ରାଜନୀତିକ ସମୀକରଣ ସମ୍ପର୍କରେ ମତ ରଖିନାହାଁନ୍ତି । ଶେଷରେ ଡାକ୍ତର ରାଉତ ଖୋଲାଖୋଲି କହିଲେ ନୂଆ ସମୀକରଣ ବା ନୂଆ ଦଳ ଗଠନ ନେଇ ଯେଉଁ ପରିକଳ୍ପନା ଚାଲିଛି ସେଥିନେଇ ବିଜୟ ଧରାଛୁଆଁ ଦେଉନାହାଁନ୍ତି । ଏପରି କି ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଇବା ଭଳି କୌଣସି ମଦ ମଧ୍ୟ ଆଉ ରଖୁନାହାଁନ୍ତି ।
ଏବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ସଙ୍ଗଠନ ମାଧ୍ୟମରେ ସବୁ ନବୀନ ବିରୋଧୀ ନେତାଙ୍କୁ ଏକାଠି କରିବାକୁ ଉଦ୍ୟମ କରାଯାଇଥିଲା । ଜନଜାଗରଣ ମହାମେଂଟ ଭାବରେ ଏହାର ନାଁ ରଖାଯାଇଥିଲା । କାର୍ଯ୍ୟକ୍ରମରେ ବିଜୟ ଯୋଗଦେବେ ବୋଲି ଘୋଷଣା କରାଯାଇଥିଲା । ଆୟୋଜକମାନେ ଯେଉଁ ବ୍ୟାନର ପ୍ରସ୍ତୁତ କରିଥିଲେ ସେଥିରେ ଡାକିଥିବା ସବୁ ନେତାମାନଙ୍କ ଫଟୋ ଦେଇଥିଲେ । ଏଥିରେ ବିଜୟଙ୍କ ଫଟୋ ମଧ୍ୟ ସ୍ଥାନ ପାଇଥିଲା । ଦୀର୍ଘ ଦିନ ହେବା ସରକାରୀ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିବା ବିଜୟ ଏଥିରେ ଯୋଗଦେବେ ବୋଲି କୁହାଯାଉଥିଲା । ଆୟୋଜକ ଓ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ବହୁ ଆଶା ବାନ୍ଧିଥିଲେ । କିନ୍ତୁ ବିଜୟଙ୍କୁ ସେ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା । ସେମାନେ ମଧ୍ୟ ବିଜୟଙ୍କ ଅନୁପସ୍ଥିତିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସେଠାରେ ସାମ୍ବାଦିକମାନେ ମଧ୍ୟ ବିଜୟଙ୍କ ଅନୁପସ୍ଥିତିକୁ ନେଇ ଡାକ୍ତର ରାଉତଙ୍କୁ ପଚାରିଥିଲେ । ଡାକ୍ତର ରାଉତ ସେ କାହିଁକି ଆସିଲେ ନାହିଁ କହିପାରିବେ ନାହିଁ ବୋଲି ମତ ରଖିଥିଲେ । ଆଉ ତୀର ମାରି କହିଥିଲେ ବିଜୟବାବୁଙ୍କୁ ଯେଉଁଭଳି ଭାବେ ବିଜେଡିରୁ ଅପମାନିତ କରି ବିଦାକରିଥିଲେ । ତାଙ୍କୁ ଟିକେଟ ଦେଲେ ପୁଣି ଛଡ଼ାଇ ନେଇ ଯେଉଁଭଳି ଭାବେ ଅପମାନିତ କଲେ ସେଥିରେ ସେ ଯଦି ପୁଣି ଲଉଟନ୍ତି ତେବେ ଆମର କିଛି କହିବାର ନାହିଁ ବୋଲି ଡାକ୍ତର ରାଉତ ମତ ରଖିଥିଲେ ।
ଟାଙ୍ଗୀ ସମାବେଶ ବିରୋଧୀ ନେତାମାନେ ନୁାହେଁ ଏକ ସ୍ୱତନ୍ତ୍ର ସଙ୍ଗଠନ ମାଧ୍ୟମରେ ଡକାଯାଇଥିଲା । କିନ୍ତୁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ନବୀନ ବିରୋଧୀ କାର୍ଯ୍ୟକ୍ରମ । ଏଣୁ ବିଜୟ ନ ଯିବା ଫଳରେ ତାଙ୍କ ପ୍ରତି ଏବେ ବିଜଡିକୁ ଫେରିବା ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ଅଧିକ ଘନୀଭୂତ ହେଲା ବୋଲି କୁହାଯାଉଛି । ଦୀର୍ଘଦିନ ଧରି ତାଙ୍କର ବିଜେଡି ମିଶ୍ରଣ ଖବରକୁ ନେଇ ଆଲୋଚନା ଚାଲିଥିଲା ବେଳେ ସେ ଏହାକୁ ଏଯାଏଁ ଖଣ୍ଡନ କରୁ ନ ଥିବାରୁ ସନ୍ଦେହ ବଢ଼ୁଛି ବୋଲି ଅନେକ ମତ ରଖୁଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here