ଚର୍ଚ୍ଚା:ବିଜୟ-ଦିଲ୍ଲୀପ ଧରିବେ ଶଙ୍ଖ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଦଳମାନଙ୍କରେ ନେତାମାନଙ୍କ ପଟପରିବର୍ତ୍ତନ ଜାରି ରହିଛି । ସାଂସଦ ଓ ବିଧାୟକମାନଙ୍କ ଦଳ ଛାଡ଼ିବା ଓ ଘର ଡେଇଁବା କାର୍ଯ୍ୟ ଜୋରଦାର ହେବାରେ ଲାଗିଛି । ଏହା ମଧ୍ୟରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଉପରେ ନଜର ରହିଛି । ଯାହା ସୂଚନା ମିଳୁଛି ଦିଲ୍ଲୀପ ଦିନେ କି ଦୁଇଦିନ ଭିତରେ ବିଜେଡିକୁ ପୁଣି ଫେରିବେ ବୋଲି ଚର୍ଚ୍ଚା ହେଉଛି । ରାଉରକେଲାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜନୈତିକ ମହଲରେ ଏବେ ଏହି ଆଲୋଚନା ଜୋର ଧରିଛି । ଏଥିସହ କୁହାଯାଉଛି ବିଜୟ ମଧ୍ୟ ବିଜେଡିକୁ ଫେରୁଛନ୍ତି । ବିଜୟଙ୍କ କଥା ଛିଡ଼ି ନ ଥିବାରୁ ରବିବାରକୁ ମିଶ୍ରଣ କାର୍ଯ୍ୟ ରହିଥିବା କଥା କୁହାଯାଉଛି । ବିଜେଡି ନେତାଙ୍କ ସହ ବିଜୟଙ୍କୁ ନେଇ ଦିଲ୍ଲୀପ ଆଲୋଚନା ଚଳାଇଛନ୍ତି । ଏହି ଆଲୋଚନା ସଫଳ ହେଲେ ଦିନେ ଦୁଇଦିନ ଭିତରେ ଉଭୟ ବିଜେଡିରେ ଯୋଗଦେବେ । ବିଜୟ ଓ ଦିଲ୍ଲୀପ ଆଉ ବିଜେପିକୁ ଫେରିବାରେ ନାହିଁ କିମ୍ବା କଂଗ୍ରେସରେ ଯୋଗଦେବାର ମଧ୍ୟ ସମ୍ଭାବନା ନାହିଁ ବୋଲି କୁହାଯାଉଛି ।
ଦିଲ୍ଲୀପ ବିଜେଡିକୁ ଫେରୁଥିବା କଥା ଏକ ପ୍ରକାର ନିଶ୍ଚିତ ହୋଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଦିଲ୍ଲୀପଙ୍କ ସମର୍ଥକମାନେ ରାଜଧାନୀରେ ଆସି ଡେରା ପକାଇ ମିଶ୍ରଣକୁ ଅପେକ୍ଷା କରି ବସିଛନ୍ତି । ଘନ ଘନ ଆଲୋଚନା ମଧ୍ୟ ନେତାଙ୍କ ଭିତରେ ଚାଲିଛି । ରାଉରକେଲାରେ ଥିବା ଦିଲ୍ଲୀପଙ୍କ ସମର୍ଥକଙ୍କ ଭିତରେ ଖୁସିର ଲହରି ଖେଳିଛି । ଏପରି କି ଖବର ଆସିଛି ଦିଲ୍ଲୀପଙ୍କ ମିଶ୍ରଣ କଥା ଶୁଣି ପୁରା ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ନେତାମାନେ ଏବଂ ବିଶେଷ କରି ଟିକେଟ ଆଶାୟୀମାନେ ତାଙ୍କ ସହ ଯୋଗାଯୋଗ କରୁଛନ୍ତି । ତାଙ୍କୁ ଦଳକୁ ଆସିବା ପାଇଁ ପ୍ରବର୍ତ୍ତାଉଛନ୍ତି । ଏପରି କି ଏକଥା ବି କୁହାଯାଉଛି ରାଉରକେଲାରେ ଥିବା ବିଜେଡି ନେତା ତଥା ପୂର୍ବତନମନ୍ତ୍ରୀ ଶାରଦା ନାୟକଙ୍କ ବିରୋଧୀମାନେ ଆସି ଦିଲ୍ଲୀପଙ୍କ କ୍ୟାମ୍ପରେ ସାମିଲ ହେବାରେ ଲାଗିଛନ୍ତି । ସାରଦାଙ୍କ ଏବେ ଖାସ ବିରୋଧୀ ସାଜିଥିବା ବିକାଶ ମାନସିଂ ଏଥିନେଇ ଏକ ବନ୍ଧୁମିଳନର ଆୟୋଜନ କରି ସାରଦାଙ୍କ ଅନ୍ୟ ବିରୋଧୀମାନଙ୍କୁ ଏକଜୁଟ କରିବା ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀପଙ୍କୁ ସ୍ୱାଗତ କରିବା ପାଇଁ ସୁନ୍ଦରଗଡ଼ ବିଜେଡି ନେତାଙ୍କ ଭିତରେ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କିନ୍ତୁ ଦିଲ୍ଲୀପ ଏଯାଏଁ ଏ ନେଇ କୌଣସି ମତ ରଖି ନାହାଁନ୍ତି । କିମ୍ବା ବିଜେଡିର ଶୀର୍ଷ ନେତୃତ୍ୱ ଏ ଦିଗରେ କୌଣସି ସୂଚନା ଦେଉ ନାହାଁନ୍ତି । ମାତ୍ର ବିଜେଡି ମହଲରେ ଦିଲ୍ଲୀପଙ୍କ ମିଶ୍ରଣକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି ।
ଏକଥା ବି ପୁଣି ଆଲୋଚନା ହେଉଛି ଦିଲ୍ଲୀପ କେବେଠାରୁ ବିଜେଡିରେ ମିଶି ସାରନ୍ତେଣି । କିନ୍ତୁ ବିଜୟଙ୍କ ପାଇଁ ସବୁ କିଛି ଅଟକିଯାଇଛି । ବିଜୟଙ୍କୁ ନେବା ପାଇଁ ବିଜେଡି ଏବେ ପ୍ରାୟ ରାଜି ହେଉଥିବା କୁହାଯାଉଛି । ପରିବର୍ତ୍ତିତ ରାଜନୀତିକ ପାଣିପାଗକୁ ଦେଖି ବିଜେଡି ବାଧ୍ୟ ହୋଇ ତାର ପୂର୍ବ ନୀତିକୁ ବଦଳାଇବାକୁ ଯାଉଛି । ବିଜେପି ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହୋଇପଡୁଥିବା କୁହାଯାଉଛି । ସେଥିରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପରେ ଶୁକ୍ରବାର ଡାକ୍ତର ଦାମୋଦର ରାଉତ ବିଜେପିରେ ମିଶିଗଲା ପରେ ଶତ୍ରୁପକ୍ଷ କାଳେ ଭାରି ପଡ଼ିବେ ସେଥିପାଇଁ ନିଜକୁ ବିଜେଡି ମୁକାବିଲା ପାଇଁ ପ୍ରସ୍ତୁତ କରୁଛି । ବିଜୟଙ୍କର ରାଜନୈତିକ ପ୍ରତିଷ୍ଠା ରହିଛି । ଏଣୁ ବିଜୟଙ୍କୁ ଦଳକୁ ଫେରାଇ ଆଣି ବୈଜୟନ୍ତ ଓ ଦାମଙ୍କୁ ମୁକାବିଲା କରିବାରେ ସଫଳ ହୋଇପାରିବେ ବୋଲି ବିଜେଡି ନେତାମାନେ ଭାବୁଛନ୍ତି । କିନ୍ତୁ ବିଜେଡିର କେନ୍ଦ୍ରାପଡ଼ା ଜିଲ୍ଲା ନେତାମାନେ ବିଜୟଙ୍କ ଆଗମନକୁ ବିରୋଧ କରୁଛନ୍ତି । ସେମାନେ ବିଜୟ ପୁଣି ଫେରନ୍ତୁ ଚାହୁଁନାହାଁନ୍ତି । ଦଳର ଏକ ଶକ୍ତିଶାଳୀ ଗୋଷ୍ଠୀ ଏଇ ମିଶ୍ରଣକୁ ଘୋର ବିରୋଧ କରି ଆସୁଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ସେମାନେ କେତେଦୂର ସଫଳ ହେବେ ତାହା ଦେଖିବା କଥା ।