You are here
Home > ଅଧିକ ଖବର > ବତିଘର-ଖୋଳା ସେତୁ ଲୋକାର୍ପିତ

ବତିଘର-ଖୋଳା ସେତୁ ଲୋକାର୍ପିତ

ମହାକାଳପଡ଼ା : ଗମନା ଗମନର ସୁବିଧା ପାଇଁ ବତୀଘର ପଞ୍ଚାୟତର ମଧ୍ୟଭାଗରେ ବହିଯାଇଥିବା ଶାଖାନଦୀ ଉପରେ ଗତ ଦୁଇ ବର୍ଷ ତଳେ ପରିକଳ୍ପନା କରାଯାଇଥିବା ଖୋଳା ସେତୁକୁ ଶୁକ୍ରବାର ଅପରାହ୍ନରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଲୋକାର୍ପିତ କରିଛନ୍ତି । ଏହି ସେତୁଟି ନିର୍ମାଣ ପାଇଁ ପ୍ରାୟ ୨କୋଟି ୮୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାର ଜଣାପଡ଼ିଛି । ଏଥିସହିତ ଖରିନାସୀଠାରୁ ବତିଘର ପର୍ଯ୍ୟନ୍ତ ପ୍ରାୟ ୭କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଦକ୍ଷିଣ ବରକୋଳି ଖୋଳାର ରେଡ୍କ୍ରସ୍ ଭବନ ପରିସରରେ ଏକ ସଭାର ଆୟୋଜନ କରିଥିଲେ । ମହିଳା ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କ ପାଇଁ ତାଙ୍କ ନିଜସ୍ୱ ପାଣ୍ଠିରୁ ୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବା ସହିତ ଗୃହକାର୍ଯ୍ୟ ଆରମ୍ଭ ଖୁବ୍ଶିଘ୍ର କରାଯିବ ବୋଲି କହିଥିଲେ । ମହିଳାମାନେ ସ୍ୱାବଲମ୍ବି ହୋଇ ମୁଖ୍ୟସ୍ରୋତକୁ ଆସିବାକୁ ଆହ୍ୱାନ ଦେଇଥିଲେ । ପଞ୍ଚାୟତର ପ୍ରତ୍ୟେକ ସମସ୍ୟାରେ ସେ ଜଡ଼ିତ ଥିବାବେଳେ ସବୁ ସମୟରେ ସୁଖ ଦୁଃଖରେ ଆସି ଭାଗିଦାର ହେଉଥିବାର କହିଥିଲେ । ଲୋକମାନଙ୍କର ନଦୀପାର ସମସ୍ୟା କେତେକାଂଶରେ ପୂରଣ ହୋଇଥିବା ବେଳେ ଆଗାମି ଦିନରେ ଖରିନାସୀଠାରେ ଏକ ସେତୁ ନିର୍ମାଣର ବ୍ୟବସ୍ଥା କରାଯାଇଥିବା ଏବଂ ଖୁବ୍ଶିଘ୍ର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ନାୟକ ପଞ୍ଚାୟତର ୩୨ଜଣ ବିଧବା ଅସହାୟାଙ୍କୁ ସରକାରୀ ଭତ୍ତା ବଣ୍ଟନ କରିଥିବା ବେଳେ ବତିଘର ପଞ୍ଚାୟତର ଦକ୍ଷିଣଖୋଳାଠାରେ ଅବସ୍ଥିତ ଜ୍ଞାନମୟୀ ହାଇସ୍କୁଲ୍ର ଏକ ନୂତନ ଗୃହର ଶିଳାନ୍ୟାସ କରିଥିଲେ । ଆୟୋଜିତ ସଭାରେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ବରାଳଙ୍କ ସଭାପତିତ୍ୱରେ ବିଧାୟକ ଶ୍ରୀ ନାୟକଙ୍କ ସହିତ ମହାକାଳପଡ଼ା ବିଡିଓ ରମେଶ ଚନ୍ଦ୍ର ସେଠୀ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ରାକେଶ ମହାପାତ୍ର, ସରପଞ୍ଚ ଦେବବ୍ରତ ମାଇଥି, ଦେବେନ୍ଦ୍ର ଦାସ, ବାବୁ ମଲ୍ଲିକ, ଅମିୟ ରଞ୍ଜନ ଗିରି, ରଙ୍କେଶ୍ୱର ମଣ୍ଡଳ, ବିଷ୍ଣୁପଦ ଦାସ, ବିଶ୍ୱଭୂଷଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବାବେଳେ ପଞ୍ଚାୟତର ବିଭିନ୍ନ ବର୍ଗର ଲୋକମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକ ଶ୍ରୀ ନାୟକ ପେଟଛେଲା ପଞ୍ଚାୟତରେ ପେଟଛେଲା (୨) ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହର ଶିଳାନ୍ୟାସ କରିଥିଲେ ।

Loading...
ONA

Leave a Reply

Top