ଏଥର ବୈଜୟନ୍ତ ଲଢ଼ିବେନି!

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୂଚନା ମିଳୁଛି । କାରଣ ସେ ଏପର୍ଯ୍ୟନ୍ତ ମନସ୍ଥିର କରିପାରି ନାହାଁନ୍ତି । ବିଭିନ୍ନ ଦ୍ୱନ୍ଦ୍ୱ ମଧ୍ୟ ଦେଇ ଗତି କରୁଛନ୍ତି । ନିକଟରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ରଖିଥିବା ମତରୁ ଏଭଳି ସୂଚନା ମିଳୁଥିବା କଥା କୁହାଯାଉଛି । କାରଣ ତାଙ୍କର ନିର୍ବାଚନ ରାଜନୀତିରେ ଭାଗ ନେବାରେ ହୋଇଥିଲେ ସେ ଏଯାଏଁ ବିଳମ୍ବ କରି ନ ଥାନ୍ତେ । ନିର୍ବାଚନ ଲାଗି ସମୟ ବେଶୀ ନାହିଁ । ନିଜକୁ କୌଣସି ଦଳରେ ବା ଗୋଷ୍ଠୀରେ ସାମିଲ କରିବାକୁ ହେଲେ ସେ ଦଳ ସହ ନିଜକୁ ଖାପ ଖୁଆଇବାକୁ ଓ ପରିଚିତ ହେବାକୁ ସମୟ ଲାଗିବ । ଏଣୁ ସେ ବିଳମ୍ବ କରିବାର ଅର୍ଥ ଏଥର ନିର୍ବାଚନ ରାଜନୀତିକୁ ଓହ୍ଲାଇ ନ ପାରନ୍ତି । ଏଭଳି ଆଲୋଚନା ଏବେ ଚାଲିଛି ।
ଦିଲ୍ଲୀରେ ନବୀନଙ୍କ ଜୀବନୀ ଉପରେ ଲେଖା ପୁସ୍ତକର ଏକ କାର୍ଯ୍ୟକ୍ରମରେ ବୈଜୟନ୍ତ ଯୋଗ ଦେଇଥିଲେ । ଏଥିରେ ସେ କେତେକ ବିଷୟ ନେଇ ସୂଚନା ଦେଇଥିଲେ । ତାଙ୍କର ଆଗାମୀ ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ରାଜ୍ୟରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଶ୍ନ ଉଠୁଛି । ଏଣୁ ସେଠି ମଧ୍ୟ ଏହି ପ୍ରସଙ୍ଗ ଉଠିବାରୁ ସେ ଯେଉଁ ମତ ରଖିଥିଲେ ତାକୁ ନେଇ ଏସବୁ ତର୍ଜମା କରାଯାଉଛି । କାରଣ ବିଜେଡି ଛାଡ଼ିଲା ପରେ ଏଯାଏଁ କୌଣସି ଦଳରେ ସେ ସାମିଲ ହୋଇ ନାହାଁନ୍ତି ବା ନୂଆ ରାଜନୀତିକ ଫୋରମ୍ ନେଇ ରାଜ୍ୟରେ ଚାଲିଥିବା ଆଲୋଚନାରେ ମଧ୍ୟ ସାମିଲ ହୋଇନାହାଁନ୍ତି । ଦିଲ୍ଲୀ କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କ ଆଗାମୀ ରାଜନୀତିକ କାର୍ଯ୍ୟପନ୍ଥା ସମ୍ପର୍କରେ ପ୍ରଶ୍ନ ଆସିଲା ବୈଜୟନ୍ତ କହିଲେ ଯେପର୍ଯ୍ୟନ୍ତ ପରିସ୍ଥିତି ବାଧ୍ୟ ନ କରିଛି ସେ ଯାଏଁ କୌଣସି ନିଷ୍ପତ୍ତି ନେବେନାହିଁ । ଏହା ସେ ନବୀନଙ୍କଠାରୁ ଶିଖିଛନ୍ତି । ଏହି ବକ୍ତବ୍ୟ ମାଧ୍ୟମରେ ସେ ଜଣାଇଦେବାକୁ ଚାହିଁଛନ୍ତି ହଠାତ୍ କୌଣସି ନିଷ୍ପତ୍ତି ନେବାକୁ ସେ ଚାହୁଁନାହାଁନ୍ତି । ପୂର୍ବରୁ ମଧ୍ୟ କହିଛନ୍ତି ତରବରିଆ ଭାବରେ କିଛି ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ମୁଁ ବିଭିନ୍ନ ଅଂଚଳ ବୁଲୁଛି ଓ ଲୋକଙ୍କ ସହ ମିଶୁଛି । ମତାମତ ମଧ୍ୟ ନେଉଛି । ତା ପରେ ମୋର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବି । ଏହି ବିଷୟ ସେ ବିଭିନ୍ନ ଆଡ଼େ କହୁଥିବାରୁ ଏଥିରୁ ଯାହା ଜଣାପଡୁଛି ସେ ବର୍ତ୍ତମାନ ଯାଏ ମନସ୍ଥିର କରିନାହାଁନ୍ତି । ଏପରି କି ନୂଆ ଦଳ ଗଠନ ନେଇ ଯେତେବେଳେ ଡାକ୍ତର ଦାମୋଦର ରାଉତ ମତ ରଖିଥିଲେ ଏବଂ ଏ ସମ୍ପର୍କରେ ବୈଜୟନ୍ତଙ୍କ ସହ ଆଲୋଚନା କରିଥିଲେ ବୋଲି କହିଥିଲେ ସେତେବେଳେ ଏହାକୁ ସେ ଘୋର ବିରୋଧ କରିଥିଲେ । ଏଯାଏଁ ସେ କୌଣସି ଦଳ ଗଠନ ନେଇ ଚିନ୍ତା କରି ନାହାଁନ୍ତି । ମୋର ଯେତେବେଳେ କହିବାକୁ ହେବ ମୋ ନିଜକଥା ମୁଁ ନିଜେ କହିବି । ଅନ୍ୟ କାହା ଜରିଆରେ ନୁହେଁ । ଏକଥା କହି ସେ ଜଣାଇଲେ ଯେ, ଡାକ୍ତର ରାଉତଙ୍କ ନୂଆ ଦଳ ଗଠନ ପ୍ରସ୍ତାବରେ ସେ ସହମତ ନୁହଁନ୍ତି ।
ବୈଜୟନ୍ତଙ୍କୁ ନେବାପାଇଁ ଉଭୟ ବିଜେପି ଓ କଂଗ୍ରେସ ଗୋଡ଼ ଟେକି ବସିଛନ୍ତି । କିନ୍ତୁ ତାଙ୍କର ଆଗ୍ରହ ବିଜେପି ପ୍ରତି ରହିଛି । ହେଲେ ବିଜେପିରେ ଯୋଗଦେବା ନେଇ ତାଙ୍କର ମୁଲଚାଲ ତୁଟୁନାହିଁ । ଯେପର୍ଯ୍ୟନ୍ତ ମୁଲଚାଲ ତୁଟିନାହିଁ ସେ ପର୍ଯ୍ୟନ୍ତ ସେ ବିଜେପିରେ ମିଶିବେ ନାହିଁ । ବିଜେପି ବ୍ୟତିତ ଅନ୍ୟ ଦଳରେ ମିଶିବା କି ଅନ୍ୟ ଦଳ ଗଢ଼ିବା ସପକ୍ଷରେ ବର୍ତ୍ତମାନ ସେ ନାହାଁନ୍ତି । ବିଜେପିକୁ ଯିବା ପାଇଁ ତାଙ୍କର ଆଗ୍ରହ କେତେ ଅଧିକ ତାହା ମଧ୍ୟ ଦିଲ୍ଲୀ କାର୍ଯ୍ୟକ୍ରମରେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି । ସେ କହିଥିଲେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଆସିଥିଲେ ମଧ୍ୟ ଯେପର୍ଯ୍ୟନ୍ତ ଦଳ ଅଲଆଉଟ ଉଦ୍ୟମ ନ କରିଛି ସେ ପର୍ଯ୍ୟନ୍ତ ସଫଳ ହେବ ନାହିଁ । ଏକଥା କହି ସେ ଜଣାଇବାକୁ ଚାହିଁଛନ୍ତି ଯେ ବିଜେପି ରାଜ୍ୟରେ ଆଗଉଛି ହେଲେ ଯେପର୍ଯ୍ୟନ୍ତ ତାଙ୍କ ଭଳି ନେତାମାନଙ୍କୁ ସାମିଲ ନ କରାଯାଇଛି ଦଳ ଆଗେଇ ପାରିବ ନାହିଁ । ଅଲଆଉଟ ଉଦ୍ୟମ ଅର୍ଥ ସମସ୍ତଙ୍କୁ ଓ ସବୁ ଦିଗର ନେତାମାନଙ୍କୁ ଦଳ ସାମିଲ ନ କଲା ଯାଏ ସଫଳ ହୋଇପାରିବ ନାହିଁ । ଏଥିରୁ ବିଜେପି ପ୍ରତି ତାଙ୍କର ଆଗ୍ରହର ସୂଚନା ମିଳୁଛି ଓ ବିଜେପି ତାଙ୍କ ଭଳିଆ ନେତାଙ୍କୁ ସାମିଲ କରିବା ଲାଗି ମଧ୍ୟ ସେ ଜଣାଉଛନ୍ତି । ଦିଲ୍ଲୀ ଦରବାରରେ ହେଇଥିବା କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କ ଏହି ମତ ରଖିବାର ଅର୍ଥ ହେଉଛି ବିଜେପିର ଜାତୀୟ ସ୍ତରର ନେତାମାନଙ୍କୁ ଜଣାଇବା । ବୈଜୟନ୍ତ ଗୋଟିଏ ପଟରେ ବିଜେପିକୁ ଯିବା ପାଇଁ ଗୋଡ଼ ଟେକି ବସିଛନ୍ତି । ଅନ୍ୟ ପଟରେ ତାଙ୍କର ଯେଉଁ ଉଚ୍ଚାଭିଳାସ ରହିଛି ତାହା ପୂରଣ ହୋଇପାରୁ ନ ଥିବାରୁ ଆଗେଇ ପାରୁନାହିଁ । ବିଜେପି ତାଙ୍କୁ ନେବାପାଇଁ ଚାହୁଁଛି କିନ୍ତୁ ବିନା ସର୍ତ୍ତରେ ଆସି ଯୋଗଦେବାକୁ କହୁଁଛି ।
ଏଣୁ ବୈଜୟନ୍ତ ଏଥର କୌଣସି ଦଳରେ ନ ମିଶି ନିର୍ବାଚନ ଯାଏଁ ପରିସ୍ଥିତିକୁ ଅନୁଧ୍ୟାନ କରିବେ ଏବଂ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ । ଆବଶ୍ୟକ ହେଲେ ଏଥର ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା ନ କରି ବିଜେଡି ବିରୋଧରେ ପ୍ରଚାର କରିବେ । ନୂଆ ସରକାର ଆସିଲା ପରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here