You are here
Home > ବଡ଼ଖବର > ମୁଲଚାଲ ପାଇଁ ଦିଲ୍ଲୀରେ ବୈଜୟନ୍ତ!

ମୁଲଚାଲ ପାଇଁ ଦିଲ୍ଲୀରେ ବୈଜୟନ୍ତ!

ଭୁନନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପି ସହ ମୁଲଚାଲ କରିବା ପାଇଁ ଦିଲ୍ଲୀ ଯାଇଥିବା କଥା ଏବେ ରାଜଧାନୀର ରାଜନୀତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି । ବୈଜୟନ୍ତଙ୍କ ଫେରିବା ବାଟକୁ ବିଜୁ ଅନୁଗତମାନେ ଚାହିଁ ବସିଛନ୍ତି । ବିଜେପି ସହ ବୈଜୟନ୍ତଙ୍କ ମୁଲଚାଲ ଯଦି ତୁଟିଗଲା ତେବେ ଆଉ ବିଜୁ ଅନୁଗାମୀ ଏକାଠି ହୋଇ ଏକ ନୂଆ ସମୀକରଣ କରିବାର ଯେଉଁ ପରିକଳ୍ପନା କରାଯାଉଛି ସେଥିରେ ଭଟ୍ଟା ପଡ଼ିବ ବୋଲି ଆଲୋଚନା ହେଉଛି । ବୈଜୟନ୍ତ ଯଦି ଏଥିରେ ନ ରହିବେ ତେବେ ଏହି ସମୀକରଣ ସଫଳ ହୋଇପାରିବ ନାହିଁ । ସେ ମୂଳରୁ ବିଜେପି ମୁହାଁ ହୋଇ ରହିଛନ୍ତି, ଯେଉଁଥିପାଇଁ କି ତାଙ୍କୁ ଆଜି ବିଜେଡିରୁ ବିଦା ହେବାକୁ ପଡ଼ିଲା । ଏଣୁ ସେ ହଠାତ ବିଜେପିରେ ଯୋଗ ଦେବା ଆଶାକୁ ଛାଡ଼ି ପାରୁନାହାଁନ୍ତି । ଫଳରେ ଅନୁଗତକୁ ଏକାଠି କରିବା ପାଇଁ ଯେଉଁ ପରିକଳ୍ପନା କରାଯାଉଥିଲା ତାହା ଆଗେଇ ପାରୁନାହିଁ । ବୈଜୟନ୍ତଙ୍କ ହାତରେ ଅନେକ କିଛି ନିର୍ଭର କରୁଛି । ବର୍ତ୍ତମାନର ରାଜନୀତିକ ପରିସ୍ଥିତିରେ ସେ ହିଁ ମୁଖ୍ୟଭାବେ ଏହି ପରିକଳ୍ପନାକୁ ଆଗକୁ ବଢ଼ାଇ ପାରିବେ ବୋଲି କୁହାଯାଉଛି ।
ଏକଥା ସମସ୍ତେ ଜାଣନ୍ତି ଯେ, ବୈଜୟନ୍ତ ବିଜେଡିରେ ରହିଥିଲେ ବି ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତାଙ୍କର ଆଭିମୁଖ୍ୟ ବଦଳିଛି । ସେ ସବୁ କଥାରେ ଓ କାର୍ଯ୍ୟରେ ବିଜେପି ଓ ମୋଦିଙ୍କ ପ୍ରଶଂସା କରିବା ଓ ଗୁଣଗାନ କରିବାରେ ଲାଗିଥିଲେ । ଯାହା ତାଙ୍କୁ ନବୀନଙ୍କଠାରୁ ଦୂରେଇ ରଖିଲା । କୁହାଯାଉଛି, ନବୀନ ଯେତେବେଳେ ତାଙ୍କର ସବୁ ସାଂସଦ ଟିମ୍କୁ ଧରି ମୋଦିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ସେଠାରେ କୁଆଡ଼େ ମୋଦି ବୈଜୟନ୍ତଙ୍କୁ ଡାକି ପାଖରେ ବସାଇଥିଲେ । ଏହି ଘଟଣା ନବୀନଙ୍କୁ ବାଧିଥିଲା । ଏହାପରଠାରୁ ବୈଜୟନ୍ତଙ୍କୁ ଆଉ ନବୀନ ବିଶ୍ୱାସକୁ ନେଲେ ନାହିଁ । କ୍ରମେ ତାଙ୍କୁ ଦୂରେଇଦେବାରେ ଲାଗିଲେ । ବୈଜୟନ୍ତ ବି ନବୀନଙ୍କ ଧାରଣାକୁ ବଦଳାଇବା ପାଇଁ ଉଦ୍ୟମ ନ କରି ତାକୁ ଉଜ୍ଜିବତ କରିବାରେ ଲାଗିଲେ । ମୋଦି ଯେତେବେଳେ ତାଙ୍କ ସରକାରର ୧୦୦ ବର୍ଷ ପୂର୍ତ୍ତି ପାଳନ କଲେ ବୈଜୟନ୍ତ ସେତେବେଳେ ତାଙ୍କ ଶାସନ କାଳକୁ ଭୂୟସୀ ପ୍ରଶଂସା କରି ଜାତୀୟ ଗଣମାଧ୍ୟମରେ ଲେଖିଲେ । ଏପରି କି ବର୍ଷ ପୂର୍ତ୍ତି ସମୟରେ ବି ଆଟିଲେଖି ପ୍ରଶଂସା କଲେ । ମୋଦିଙ୍କର ସବୁ କାର୍ଯ୍ୟକୁ ବୈଜୟନ୍ତ ସମର୍ଥନ କରିବାରେ ଲାଗିଥିଲେ । ଏପରିକି ପରିସ୍ଥିତି ଏପରି ହେଲା ବିଜେପିର କେନ୍ଦ୍ର ସରକାରଙ୍କୁ ସୁରକ୍ଷା ଦେବା ପାଇଁ ବୈଜୟନ୍ତ ଏତେ ଦୂର ଆଗେଇ ଗଲେ ଯେ, ନିଜ ଦଳ କଥା ଆଉ ଚିନ୍ତା କଲେନାହିଁ । ରାଜ୍ୟସଭାରେ ବିଜେପିର ସଂଖ୍ୟା କମ ଥିବାରୁ କେନ୍ଦ୍ର ସରକାର କୌଣସି ପ୍ରସ୍ତାବ କି ବିଲ ଆଣିଲେ ତାହା ଗ୍ରହଣୀୟ ହୋଇପାରୁ ନ ଥିଲା । ସେଥିପାଇଁ ବିଲ ପାସ କରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକ ଡାକିବାକୁ ପଡୁଥିଲା । ଏହାକୁ ନେଇ ରାଷ୍ଟ୍ରପତି ମଧ୍ୟ କଟୁ ମନ୍ତବ୍ୟ ଦେଇଥିଲେ । ଏହା ଗଣତନ୍ତ୍ରର ପରିପନ୍ଥୀ ବୋଲି କହିଥିଲେ । ସେ ସମୟରେ ରାଜ୍ୟସଭାର ଏହି ନିୟମ ପରିବର୍ତ୍ତନ ଜରୁରୀ ବୋଲି ମତ ରଖି ସମ୍ବିଧାନ ସଂଶୋଧନ କଥା ଉଠାଇଥିଲେ ବୈଜୟନ୍ତ । ତାଙ୍କର ଏହି ମତକୁ ନେଇ ସେତେବେଳେ ଦେଶର ରାଜନୀତିରେ ବେଶ୍ ହଇଚଇ ହୋଇଥିଲା । ରାଜନୀତିକ ମୋଡ଼ ଏପରି ନେଇଥିଲା ଯେ, ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ କ୍ଷେତ୍ରରେ ମୁହଁ ଖୋଲିବାକୁ ପଡିଥିଲା । ଏହା ବୈଜୟନ୍ତଙ୍କର ବ୍ୟକ୍ତିଗତ ମତ ଓ ବିଜେଡିର ମତ ନୁହେଁ ବୋଲି କହିବାକୁ ହୋଇଥିଲା । ବିଜେଡି ମଧ୍ୟ ଏ ସମ୍ପର୍କରେ ପ୍ରେସ୍ ଇସ୍ତାହାର ଦେଇ ଅଧିକ ସ୍ପଷ୍ଟ କରିଥିଲା । କାରଣ ସେ ସମୟରେ ବୈଜୟନ୍ତ ଦିଲ୍ଲୀରେ ବିଜେଡିର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ । ଏଣୁ ବିଜେଡି ଭୁଲ ବୁଝାମଣା ଭିତରେ ରହିଯିବ ଭାବି ଏହି ପଦକ୍ଷେପ ଦଳ ନେଇଥିଲା । ଏହି ଭଳି ଭାବରେ ବୈଜୟନ୍ତ ବିଜେପିକୁ ସୁରକ୍ଷା ଦେବାକୁ ଯାଇ ନିଜ ଦଳକୁ ଖାଲରେ ପକାଇବାରେ ପଛାଇ ନ ଥିଲେ ।
କେବଳ ଏତିକି ନୁହେଁ ମୋଦୀ ସରକାର ଯେତେବେଳେ ଯେଉଁ ପ୍ରସଙ୍ଗ ଆଣିଲେ ଓ ଘୋଷଣା କଲେ ତାକୁ ବିଜେଡି ବିରୋଧ କରୁôଥଲା ବେଳେ ବୈଜୟନ୍ତ ସମର୍ଥନ କଲେ । ଦଳର ଆଭିମୁଖ୍ୟ ବାହାରକୁ ଯାଇ ବାରମ୍ବାର ସମର୍ଥନ ଦେଲେ । ଏଣୁ ବିଜେପି ପାଇଁ ଦଳ ଛାଡ଼ିଥିବାରୁ ହଠାତ୍ ମୋହ ତୁଟାଇ ପାରୁନାହାଁନ୍ତି ବୋଲି କୁହାଯାଉଛି । ବିଜେଡିରୁ ଯିବା ପରେ ଓ ପୂର୍ବରୁ ବିଜେପି ନେତାମାନଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ । ରାଜ ନେତାଙ୍କ ଅପେକ୍ଷା ଜାତୀୟ ସ୍ତରର ନେତାଙ୍କ ସହ ବୈଜୟନ୍ତ ଅଧିକ ପରିଚିତ । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ । ବିଜେଡିରୁ ଯିବା ପରେ ମୋଦିଙ୍କ ଚା’ ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ବୈଜୟନ୍ତ ରାଜ୍ୟରେ ଜୋରଦାର ପ୍ରଚାର କରାଉଛନ୍ତି । ବିଜେପି ନେତାମାନେ ବି ତାଙ୍କୁ ଡାକି ସମ୍ବଦ୍ଧିତ କରିଛନ୍ତି ଏବଂ ଦଳକୁ ଆସିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।
କୁହାଯାଉଛି ବିଜେପିରେ ସାଧାରଣ ଭାବେ ମିଶିବାର ହୋଇଥିଲେ ବୈଜୟନ୍ତ ଏତେବେଳେକୁ ମିଶି ସାରନ୍ତେଣି । କିନ୍ତୁ ମିଶିବା ପୂର୍ବରୁ ସେ ତାଙ୍କ ରାଜନୀତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ କେତେକ ସର୍ତ୍ତ ବିଜେପି ନେତାଙ୍କ ଆଗରେ ରଖିଛନ୍ତି । ଯାହା ଚୂଡ଼ାନ୍ତ ହୋଇପାରୁନାହିଁ କି ସେ ମିଶି ପାରୁନାହାଁନ୍ତି । ଆଲୋଚା ହୋଉଛି ସର୍ତ୍ତ ଭିତରେ ରହିଛି ବୈଜୟନ୍ତ କୌଣସି ଏକ ରାଜ୍ୟର ରାଜ୍ୟସଭାରୁ ନିର୍ବାଚିତ ହୋଇ ଯିବେ ଏବଂ ତାଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ । ଏଥିସହ ଆସନ୍ତା ନିର୍ବାଚନରେ ଓଡ଼ିଶାରେ ସେ ବିଜେପିରେ ଛବି ହେବେ । ଅର୍ଥାତ୍ ବିଜେପି ତାଙ୍କୁ ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବ । ବୈଜୟନ୍ତଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବ । କିନ୍ତୁ ଏହି ଶେଷ ସର୍ତ୍ତ ପୂରଣ ହେବା କଷ୍ଟକର ହେଉଛି । ପ୍ରଥମ ସର୍ତ୍ତ ବିଜେପି ପାଇଁ କିଛି ସମସ୍ୟା ନ ଥିଲା । ହେଲେ ବର୍ତ୍ତମାନ ସେ ପରିସ୍ଥିତି ସୂର ହୋଇଗଲାଣି । ଆଉ ସେତେ ସମୟ ନାହିଁ ଯେ, ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହେବେ । ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସିଲାଣି । କିନ୍ତୁ ଓଡ଼ିଶାରେ ଦଳର ଛବି ହେବା ଘଟଣା ଗ୍ରହଣଯୋଗ୍ୟ ହୋଇପାରୁନାହିଁ । ରାଜ୍ୟରେ ଯେଉଁ କ୍ୟାଡର ନେତାମାନେ ଅଛନ୍ତି ସେମାନେ ଏହାକୁ ବିରୋଧ କରୁଛନ୍ତି । ବୈଜୟନ୍ତଙ୍କର ଏହି ସର୍ତ୍ତକୁ ଯଦି ଦଳ ଗ୍ରହଣ କରିନେବ ତେବେ ରାଜ୍ୟ ସଙ୍ଗଠନରେ ବିଦ୍ରୋହ ଦେଖାଦେବା ନିଶ୍ଚିନ୍ତ । ଏକଥାକୁ କେନ୍ଦ୍ରୀୟ ନେତୃବୃନ୍ଦ ଭଲଭାବେ ବୁଝିଛନ୍ତି । ଯେଉଥି ପାଇଁ ବୈଜନ୍ତଙ୍କ ମିଶ୍ରଣ କଷ୍ଟା ଅଟକିଛି । ନବୀନଙ୍କ ସହ ଟକ୍ଟର ଦେବା ପାଇଁ ବୈଜୟନ୍ତ ଚାହୁଁଛନ୍ତି । ସେଥିପାଇଁ ଏହି ସର୍ତ ସେ ରଖୁଛନ୍ତି । କିନ୍ତୁ ଦଳ ୪ ବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ଛବି ଭାବେ ପ୍ରୋଜେକ୍ଟ କରି ଚାଲିଛି । ଏ କ୍ଷେତ୍ରରେ ବୈଜୟନ୍ତ କେତେଦୂର ସଫଳ ହେବେ ତାହା ଉପରେ ନିର୍ଭର କରୁଛି ବୋଲି କୁହାଯାଉଛି ।
ଏଣୁ ବୈଜୟନ୍ତ ଯଦି ବିଫଳ ହୋଇ ଫେରନ୍ତି ତେବେ ବିଜୁ ଅନୁଗାମୀ ଏକାଠି ହେବା ପରିକଳ୍ପନା ଆଗେଇ ପାରେ ବୋଲି ଚର୍ଚ୍ଚା ହେଉଛି ।

Loading...
ONA

Leave a Reply

Top